
ଭୁବନେଶ୍ବର, ପିପିଲିର ରଥୀ ଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ବର୍ତ୍ତମାନ ପିପିଲିରେ ଉପନିର୍ବାଚନ ହେବ। ହେଲେ ସେଠାରୁ ବିଜେଡିର କିଏ ପ୍ରାର୍ଥୀ ହେବ ସେ ନେଇ ସମସ୍ତଙ୍କ ନଜର। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲଭାବେ ଜାଣନ୍ତି ଯେ ପିପିଲିରେ ମହାରଥୀଙ୍କ ଦୁର୍ଗ କେତେ ସୁଦୃଢ ଥିଲା। ତେବେ ପିପିଲି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁତ୍ର ପ୍ରାର୍ଥୀ ହେବେ ନା ତାଙ୍କ ଧର୍ମପତ୍ନୀ ସେ ନେଇ ଚାଲିଛି ଅଙ୍କକଷା।
ଏପରି ପରିସ୍ଥିତିରେ ଆଜି ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ ଯାହା କହିଛନ୍ତି ତାହା ଚର୍ଚ୍ଚାର ପରିସରକୁ ଆସିଛି। ସେ କହିଛନ୍ତି ଯେ ନିର୍ବାଚନ ହେଉଛି ଏକ ପକ୍ରିୟା। ଏଥିରେ ବିଜେଡି ସୁପ୍ରିମୋ କାହାକୁ ପ୍ରାର୍ଥୀ କରିବେ ତାଙ୍କ ଉପରେ ନିର୍ଭର କରେ। ହେଲେ ସେ ଯଦି ମୋତେ ସୁଯୋଗ ଦିଅନ୍ତି ତେବେ ମୁଁ ଖୁସି ହେବି। ଏହାର ଅର୍ଥ ପ୍ରତିଭା ନିଜେ ଛିଡା ହେବେ ବୋଲି ସ୍ପଷ୍ଟ କରିଦେଲେ। ଏହାକୁ ନେଇ ଓଡିଶା ରାଜନୀତିରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଚାଲିଛି ।