
କୋଲକୋତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ନିକଟତର ହେଉଛି ସେତେ ତୃଣମୁଳ କଂଗ୍ରେସରୁ ନେତାଙ୍କ ଇସ୍ତଫା ଦେବା ବଢିବାରେ ଲାଗିଛି। ଆଜି ଏହି ଧାରାରେ ଆଉ ଜଣେ ତୃଣମୁଳ କଂଗ୍ରେସ ନେତା ତଥା ରାଜ୍ୟର ବନ୍ୟ ବିଭାଗ ମନ୍ତ୍ରୀ ସାମିଲ ହୋଇଛନ୍ତି। ମନ୍ତ୍ରୀ ରାଜୀବ ବାନାର୍ଜୀ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଦେଇଛନ୍ତି।
ନିଜର ଇସ୍ତଫା ପତ୍ରରେ ରାଜୀବ ବାନାର୍ଜୀ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗର ଲୋକଙ୍କୁ ସେବା କରି ମୁଁ ଗର୍ବିତ। ଜନସାଧାରଣ ଏଭଳି ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ରାଜୀବ ପୂର୍ବରୁ ଅନେକ କ୍ଯାବିନେଟ ବୈଠକରେ ଯୋଗ ଦେଇନଥିଲେ। ଯାହାଦ୍ୱାରା ସେ ନିଜ ପଦବୀରୁ ଓହରିଯିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନ ସେ ଦଳର ସଦସ୍ୟତା ପଦବୀରୁ ଇସ୍ତଫା ଦେଇନାହାନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ ଏବଂ ଏହା ପୂର୍ବରୁ ବହୁ ତୃଣମୁଳ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଉଛନ୍ତି। ଶୁଭେନ୍ଦୁ ଅଧିକାରୀ ପୂର୍ବରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। କିଛି ଦିନ ପରେ ଲକ୍ଷ୍ମୀ ରତ୍ନ ଶୁକ୍ଲା ନିଜର ମନ୍ତ୍ରୀ ପଦବୀ ଛାଡିଛନ୍ତି। ତୃଣମୁଳ କଂଗ୍ରେସର କେତେଜଣ ବିଧାୟକ, ସ୍ଥାନୀୟ ନେତା ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇସାରିଛନ୍ତି।
ସୂଚନା ମୁତାବକ, ଏହି ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଏକ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି। ତାଙ୍କର ଏହି କାର୍ଯ୍ୟକ୍ରମରେ ତୃଣମୁଳ କଂଗ୍ରେସର ଆହୁରି ଅନେକ ନେତା ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।