ବାଣପୁର: ପୋଖରୀରେ ବୁଡି ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ

Published: Jan 26, 2021, 7:41 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପୋଖରୀରେ ବୁଡି ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରମୋରୀ ପଂଚାୟତର ମୋରାମୋରି ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଆଜି ଅପରାହ୍ନ ୨ ଘଟିକା ସମୟରରେ ମୋରାମୋରି ଗ୍ରାମର ଲକ୍ଷ୍ମୀଧର ବରାଳଙ୍କ ପୁତ୍ର ବିଭୁତି ବରାଳ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି।

ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ ବିଭୁତି ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ। କିନ୍ତୁ କୌଣସି କାରଣ ବଶତଃ ପୋଖରୀ ମଧ୍ୟକୁ ଗୋଡ଼ ଖସିଯିବାରୁ ସେ ପୋଖରୀ ଭିତରେ ବୁଡି ଯାଇଥିଲେ। ସେଠାରେ ଥିବା ଅନ୍ୟ ଲୋକମାନେ ଏ ନେଇ ତୁରନ୍ତ ବିଭୁତିଙ୍କ ଘରେ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକ ଘଟଣାସ୍ଥଳରେ ପହଁଚି ବିଭୂତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ଡାକ୍ତର ବାଣପୁର ପୋଲିସକୁ ଜଣାଇବାପରେ ବାଣପୁର ପୋଲିସ ଡାକ୍ତରଖାନାରେ ପହଁଚି ଶବ ଜବତ କରି ତଦନ୍ତ ଜାରି ରଖିଛି।

Related posts