ଭୁବନେଶ୍ୱର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସେଚ ସଦନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଳକ୍ର ନରସିଂହପାଟଣାଠାରେ ସୁନାମୁହିଁ ନଦୀ ଉପରେ ଏକ କଣ୍ଟ୍ରୋଲ୍ ଷ୍ଟ୍ରକଚର ନିର୍ମାଣ ପାଇଁ ଆଜି ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟ୍ରୋଲ୍ ଷ୍ଟ୍ରକଚର ନିର୍ମାଣ ହେଲେ ସମୁଦ୍ରର ଲୁଣାପାଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ନରସିଂହପାଟଣା, ଜଗନ୍ନାଥପାଟଣା, ବଳଭଦ୍ରପାଟଣା ଓ ବରୁଡ଼ି ଭଳି ୬/୭ ଖଣ୍ଡ ମଉଜାର ଦୁଇ ହଜାର ପାଖାପାଖି ଚାଷଜମିର ଚାଷୀମାନେ ଉପକୃତ ହୋଇପାରିବେ ।
ସେହିପରି ଭାର୍ଗବୀ ନଦୀ ଉପରେ ପୁରୀ ସଦର ବ୍ଲକ୍ର ପ୍ରତାପ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର ମାଳିସାହିଠାରେ ନିର୍ମାଣାଧୀନ ବି୍ରଜକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପାଇଁ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଦୁଇଟି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ସହିତ ଚଳିତ ବଜେଟ ପରେ ସମସ୍ତ ପ୍ରଶାସନିକ ଓ ବୈଷୟିକ ନିଷ୍ପତ୍ତିକୁ ଚୂଡ଼ାନ୍ତ କରି ଦୀର୍ଘଦିନ ଧରି ଅବହେଳିତ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି ।