କରୋନାର ନୂଆ ଷ୍ଟ୍ରେନ ବ୍ୟାପିବା ଆଶଙ୍କା: କଟକଣା ନିୟମ ପାଳନ ନକଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ

Published: Feb 21, 2021, 4:49 pm IST

ଭୁବନେଶ୍ୱର: ବିଶ୍ବରେ କରୋନାର ନୂଆ ଷ୍ଟ୍ରେନ ବ୍ୟାପିବା ଆଶଙ୍କା ବଢୁଛି। ଦେଶରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ସମସ୍ତ ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେଣୁ ରାଜ୍ୟରେ କୋଭିଡ୍‌ କଟକଣାକୁ କଡାକଡି କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କର୍ମ କ୍ଷେତ୍ରରେ, ଶିକ୍ଷାନୁଷ୍ଠାନ, ଶିଳ୍ପାଞ୍ଚଳ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଧେଶ ହୋଇଛି। ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍‌ରେ ସଚେତନ କରି ଓ ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସ୍‌ରେ କୋଭିଡ୍ ନିୟମ ପାଳନ କଡ଼ାକଡ଼ି କରିବା ପାଇଁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

ଅଫିସ୍ ଓ ଅନୁଷ୍ଠାନରେ ଯେମିତି କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ସଂପୃକ୍ତ ଅନୁଷ୍ଠାନ ଓ ଅଫିସ୍ ମୁଖ୍ୟଙ୍କୁ ନିୟମ ପାଳନର ତଦାରଖ ଦାୟିତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

ନିୟମ ପାଳନ କରୁ ନଥିବା ବ୍ୟକ୍ତିଙ୍କ କିମ୍ବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

Related posts