ଚିକିତ୍ସା ପାଇଁ ଦୋଳାରେ ବୁହା ହେଲେ ଦୁଇ ଜଣ ରୋଗୀ

Published: Feb 24, 2021, 11:47 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପାତ୍ରପୁର ବ୍ଲକର ଦୁର୍ଗମ ମହାଲିମ୍ବ ଗ୍ରାମର ଜଣେ ବୃଦ୍ଧରୋଗୀଙ୍କୁ ଦୋଳାରେ ବୁହାହୋଇ ଡାକ୍ତର ଖାନାକୁ ନେବାର କିଛି ଘଣ୍ଟା ପରେ ପୁଣି ଜଣେ ପ୍ରସୂତୀଙ୍କୁ ବୁହାହୋଇ ଡାକ୍ତର ଖାନାକୁ ନିଆଯାଇଛି। ପ୍ରସୂତୀ ମହିଳା ଜଣଙ୍କ ହେଉଛନ୍ତି ବୁରାତାଲ ପଞ୍ଚାୟତ ମହାଲିମ୍ବ ଗ୍ରାମର ଭରତ ନାୟକଙ୍କ ପତ୍ନୀ ମମତା ନାୟକ ବୋଲି ଜଣାପଡ଼ିଛି।

ଗତ ୧୬ ତାରିଖରେ ମମତାଙ୍କ ତୃତୀୟ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ପାହାଡ଼ ଉପରେ ଶୀତର ପ୍ରଭାବକୁ ଦେଖି ଏନ୍ତୁଡ଼ି ନିଆଁ ଲଗାଯାଇଥିଲା। ମମତାଙ୍କ ମୁହଁ ବୁଲାଇ ନିଆଁରେ ପଡିଯାଇଥିଲେ। ଯାହା ଫଳରେ ତାଙ୍କରି ବାମ ଗୋଡ ପୋଡି ଯାଇଥିଲା। ସେହି ଦିନଠାରୁ ଘରେ କଷ୍ଟ ଭୋଗୀ ରହିଥିବା ବେଳେ ଗ୍ରାମର ଜଣେ ଉତ୍ସାହୀ ଯୁବକ ଗତକାଲି ତାଙ୍କର ପୋଡି ସମ୍ପର୍କରେ ଜାଣିଥିଲେ।

ତେବେ ଗତକାଲି ସକାଳେ ଗ୍ରାମର ଜଣେ ୮୦ବର୍ଷର ବୃଦ୍ଧ ତିନିମାସ ପୂର୍ବେ ଗୋଡ ଭାଙ୍ଗି ରହିଥିବା ବ୍ୟକ୍ତିଙ୍କୁ ଆଠ କିଲୋମିଟର ଦୋଳରେ ବୋହି ଡାକ୍ତର ଖାନାକୁ ନେଇ ଥିଲେ।ଏହାପରେ ସନ୍ଧ୍ୟାରେ ମମତାଙ୍କୁ ଦୋଳରେ ଗ୍ରାମଠାରୁ ପାହାଡ଼ ତଳ ପୁରିଆ ସାହିକୁ ଆଣି ଜଣେ ସଂପକୀୟଙ୍କ ଘରେ ରଖିଥିଲେ।

ଆଜି ସକାଳୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ନେବା ପରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଗ୍ରାମକୁ ଗୁଜୁଲିଙ୍ଗି ଠାରୁ ନିର୍ମାଣ ହୋଇଥିବା ରାସ୍ତା କାମ ଗ୍ରାମ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇ ପ।ରିନାହିଁ। ଏପରିକି ନିର୍ମାଣ ହୋଇଥିବା ପ୍ରାୟ ଚାରି କିଲୋମିଟର ରାସ୍ତା ପକ୍କା ହୋଇନଥିବାରୁ ଆମ୍ବୁଲାନ୍ସ ଯାଇପାରୁନାହିଁ।

ତେବେ ପ୍ରସୂତୀ ମହିଳା ଜଣକ ପ୍ରସବ ପରେ ପୋଡିଯାଇ ଘରେ କଷ୍ଟ ଭୋଗୁଥିବା ବେଳେ କାହାରି ନଜରକୁ ଆସିନଥିବା ବେଳେ ଗ୍ରାମର ଜଣେ ଯୁବକଙ୍କ ଯୋଗୁଁ ଚିକିତ୍ସା ସେବା ପାଇପାରିଥିବା ଜଣାପଡିଛି। ପ୍ରଶାସନ ଏହି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କଲେ ଲୋକମାନଙ୍କ ଦୁଃଖ ଦୂର ହୋଇପାରିବ।

Related posts