ଭୁବନେଶ୍ୱର: ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବରିଷ୍ଠ ନାଗରିକ ଏବଂ ଏକାଧିକ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କମାନଙ୍କୁ ଆଜି ଟିକା ଦିଆଯାଉଛି। କୋ-ଓ୍ୱିନ୍ ଆପରେ ପଞ୍ଜୀକୃତ କରିଥିବା ଲୋକେ ଏହି ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
ତେବେ ଆଜି ଅନଲାଇନରେ ପଞ୍ଜୀକରଣ କରିବା ସମୟରେ କିଛି ତ୍ରୁଟି ଦେଖାଯାଇଥିଲା। ସେଥିପାଇଁ ରାଜ୍ୟରେ ଅଫଲାଇନରେ ବି ପଞ୍ଜିକରଣ କରିପାରିବେ ବୋଲି ଏନେଇ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି।
ଚିଠିରେ ଟିକା ନେବାରେ ବରିଷ୍ଠ ନାଗରିକ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବାକୁ କୁହାଯାଇଛି। ଯେଉଁମାନେ ଟିକା ନେବାକୁ ପଞ୍ଜିକରଣ କରିବେ ସେମାନଙ୍କର ମୋବାଇଲ୍ ନମ୍ବର, ପରିଚୟ ପ୍ରମାଣପତ୍ର, ପରିଚୟ ପ୍ରମାଣପତ୍ରରେ ଥିବା ନମ୍ବର, ନାଁ, ଜନ୍ମ ତାରିଖ, ଲିଙ୍ଗ ଏବଂ ୪୫ରୁ ୫୯ ବର୍ଷ ଭିତରେ ବହୁବିଧ ରୋଗରେ ପୀଡ଼ିତ ବୟସ୍କଙ୍କ ଡାକ୍ତରୀ ସାର୍ଟିଫିକେଟ ଦେବାକୁ କୁହାଯାଇଛି।



