
ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଶାଳିଆ ଡ୍ୟାମ ଏବଂ ପୋଡାସାହି ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଏବଂ ଦେଶୀ ମଦ ବିକ୍ରି ଆଡ୍ଡା ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଆଜି ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଉକ୍ତ ଚଢ଼ାଉ କାର୍ଯ୍ୟ ଜାରି ରହିଥିଲା।
ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ଶାଳିଆ ଡ୍ୟାମ ଆଖପାଖ ସମସ୍ତ ଅଞ୍ଚଳରୁ ୩୦ ରୁ ଊର୍ଦ୍ଧ୍ଵ ଭାଟିରୁ ପାଖାପାଖି ୪ ହଜାର ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରାଯାଇଛି। କିନ୍ତୁ ଘଟଣାସ୍ଥଳରୁ ମଦ ବେପାରୀ ଫେରାର ହେବାରେ ସଫଳ ହୋଇଛନ୍ତି।
ଅନୁରୂପ ଭାବେ ପୋଡା ସାହିରୁ ୧୮୩ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ସଉରୀ ଘଡେଇ ନାମକ ମଦ ବେପାରୀକୁ ଗିରଫ କରାଯାଇଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଦୁନିଆ ନାୟକ ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। ଅବକାରୀ ବିଭାଗ କେସ ନମ୍ବର ୮୧, ୮୨ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରି ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି।
ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଣପୁର ଥାନା ଏସଆଇ ରାଜକିଶୋର ବେହେରା, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ କୁମାର ପ୍ରଧାନ, ଖୋର୍ଦ୍ଧା ଅବକାରୀ ଭ୍ରାମ୍ୟମାଣ ନିରୀକ୍ଷକ ଜୟଦେବ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଭ୍ରାମ୍ୟମାଣ ଉପ ନିରୀକ୍ଷିକା ମାନସୀ ନାୟକ, ଭୁବନେଶ୍ୱର(୨) ଅବକାରୀ ଅଧିକାରୀ ଅଂଶୁମାନ ଜେନାଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ସାମିଲ ଥିଲେ।