
ଭୁବନେଶ୍ବର: ଓଡିଶା ସରକାର ଓ ଆରସେଲର ମିତ୍ତଲ ଇସ୍ପାତ କମ୍ପାନୀ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆରସେଲର ମିତ୍ତଲ କମ୍ପାନୀର ଅଧ୍ୟକ୍ଷ ଏଲ.ଏନ. ମିତ୍ତଲଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ଏହି ଏମଓୟୁରେ କୁହାଯାଇଛି ଯେ, ମିତ୍ତଲ କମ୍ପାନୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ମିଲିୟନ ଟନ ବିଶିଷ୍ଟ ଏକ ଇସ୍ପାତ କାରଖାନା କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା କରିବ।
ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ମେଗା ଷ୍ଟିଲ ପ୍ଳାଣ୍ଟ ପ୍ରକଳ୍ପ ଦାଦାନପ୍ରବଣ କେନ୍ଦ୍ରାପଡ଼ା ସମେତ ଓଡିଶାର ବେକାରି ସମସ୍ଯା ଦୂରୀକରଣରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଉଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ ବିବୃତ୍ତିରେ ନବୀନ ପଟ୍ଟନାୟକଙ୍କ ସରକାରର ଏହି ଏମଓୟୁକୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏବଂ ଏହା ଦ୍ଵାରା କେନ୍ଦ୍ରପଡା, ଜଗତସିଂହପୁର ଓ ପଡୋଶୀ ଯାଜପୁର ଜିଲ୍ଲାର ବେକାରି ସମସ୍ୟା ଦୂରୀକରଣରେ ଏହା ସହାୟକ ହେବ।
ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ତାଙ୍କ ସ୍ଵପ୍ନର ଜିଲ୍ଲା କେନ୍ଦ୍ରାପଡାକୁ ନବୀନ ସରକାରଙ୍କର ଏହି ମେଗା ଉପହାର ନିଶ୍ଚିତ ଭାବରେ ଏହି ଜିଲ୍ଲାର ବିକାଶ ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଶ୍ରୀ ବେହେରା କହିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।