ଲୋକଙ୍କୁ ମିଳୁନି, ପାଇପ ଫାଟି ଭାସୁଛି ପାଣି

Published: Mar 5, 2021, 1:20 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏଲ୍‌ଆଣ୍ଡଟି ଯେଉଁଦିନଠାରୁ ଜାନବିଲି ପ୍ରକଳ୍ପ କରିବା ପାଇଁ ଟେଣ୍ଡର ନେଇ କାମ ଆରମ୍ଭ କରିଥିଲା ସେହି ଦିନଠାରୁ ବ୍ରହ୍ମପୁର ସହରବାସୀଙ୍କ ପାଇଁ ଦୁଃଖଦୁର୍ଦ୍ଦଶା ଆରମ୍ଭ ହୋଇଯାଇଥିଲା। ଶତାବ୍ଦୀର ଶୋଷକୁ ମେଣ୍ଟିଯିବ ବୋଲି ବ୍ରହ୍ମପୁର ବାସୀ କେତେ ଆଶା ରଖିଥିଲେ କିନ୍ତୁ ତାହା ଦିବା ସ୍ୱପ୍ନରେ ବର୍ତ୍ତମାନ ପରିଣତ ହେଲାଣି।

ଜାନିବିଲି ପ୍ରକଳ୍ପରୁ ପାଣି ଆସିବା ନେଇ ଯେଉଁ ଯୋଜନା ଚାଲିଛି ତାହାର ସଂପୂର୍ଣ୍ଣ ଅବଧି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ ନିର୍ବାଚନ ବେଳେ ରାଜ୍ୟ ସରକାର ତରବରିଆ ଭାବେ ଅଧପନ୍ତରିଆ ଯୋଜନାକୁ ଉଦ୍‌ଘାଟନ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସଂପୂର୍ଣ୍ଣ ନହୋଇପାରି ଲୋକେ ସେହି ପାଣି ପାଇଁ ଡ଼ହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି। କେଉଁଠି ପାଣି ଟୋପାଏ ପାଇଁ ହାହାକାର ପରିସ୍ଥିତି ଥିବାବେଳେ କେଉଁଟି ପାଇପ୍ ଫାଟି ରାସ୍ତାରେ ଜଳ ଭାସୁଛି। ସହରର ପ୍ରତ୍ୟେକ ସାହିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ ନୂଆ ବାର୍‌କାସ୍ ସାହିଠାରେ ଜାନିବିଲି ପାଣି ପାଇପ୍ ଗତ ତିନିସପ୍ତାହରୁ ଅଧିକ ଦିନ ହେବ ଫାଟି ସେଥିରୁ ଅନବରତ ପାଣି ବାହାରି ରାସ୍ତାରେ ପାଣି ଭାସୁଛି। ସାହିର ବିଭିନ୍ନ ସ୍ଥାନରେ ପାଇପ୍ ଫାଟିଯିବାରୁ ଲୋକେ ଦୂଷିତ ପାଣି ପାନ କରିବାକୁ ବାଧ୍ୟ ହେଉଛନ୍ତି। ପିଏଚ୍‌ଡ଼ି କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ। ପାଣି ଆସିବା ସମୟରେ ରାସ୍ତାସାରା ପାଣି ଭାସିବା ଆରମ୍ଭ ହୋଇଯାଉଛି।

ସବୁଠାରୁ ବଡ଼କଥା ଏହି ସାହିରେ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଘର ମଧ୍ୟ ରହିଛି। ତାଙ୍କ ପାଇପ୍ ମଧ୍ୟ ଫାଟି ରାସ୍ତାରେ ପାଣି ଭାସୁଥିବାବେଳେ ମରାମତି ନହେବା ଅଧିକାରୀଙ୍କ ଖାମଖିଆଲି ନୀତି ତଥା ହିଟଲରୀ ଶାସନକୁ ପଦାରେ ପକାଇ ଦେଇଛି। ଏଲ୍‌ଆଣ୍ଡଟି ସହର ସାରା ରାସ୍ତା ଖୋଳି ଧ୍ୱଂସ ସ୍ତୂପରେ ପରିଣତ କରିଦେଇଥିବାବେଳେ ଏବେ ନୂଆ ସମସ୍ୟା ରୂପେ ପାଣି ପାଇପ୍ ଫାଟି ଭାସିବା ଅନ୍ୟ ଏକ ସମସ୍ୟା ରୂପେ ଉଭା ହୋଇଛି। ତୁରନ୍ତ ପିଏଚ୍‌ଡ଼ି କର୍ତ୍ତୃପକ୍ଷ ଏହାକୁ ମରାମତି କରିବାକୁ ସାହି ବାସିନ୍ଧା ଦାବି କରିଛନ୍ତି।

Related posts