ଜେଡ଼ିୟୁରେ ମିଶ୍ରଣ ଅଟକଳ ପରେ ଉପେନ୍ଦ୍ର କୁଶବାହଙ୍କୁ ଝଟକା: ଆରଜେଡ଼ିରେ ମିଶିଲେ ରାଜ୍ୟ ସଭାପତି

Published: Mar 12, 2021, 2:38 pm IST

ପାଟଣା: ବିହାରର ରାଜନୀତିରେ ଲଗାତର ହଲଚଲ ଦେଖିବାକୁ ମିଳୁଛି। ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମିଶ୍ରଣ ନିତୀଶ କୁମାରଙ୍କ ଜନତା ଦଳ(ୟୁ) ସହିତ ହେବା ନେଇ ଅଟକଳ କରାଯାଉଛି। କିନ୍ତୁ ତାହା ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ବଡ ଝଟକା ଲାଗିଛି। ଆରଏଲଏସପିର ବହୁ ନେତା ଦଳ ଛାଡି ରାଷ୍ଟ୍ରୀୟ ଜନତା ଦଳରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇଛନ୍ତି। ଉପେନ୍ଦ୍ର କୁଶବାହଙ୍କ ଦଳରୁ ବିହାରର ରାଜ୍ୟ ସଭାପତି ବୀରେନ୍ଦ୍ର କୁଶବାହ, ରାଜ୍ୟ ସାଧାରଣ ସମ୍ପାଦକ ନିର୍ମଳ କୁଶବାହ, ମହିଳା ମୋର୍ଚ୍ଚାର ମୁଖ୍ୟ ମଧୁ ମଞ୍ଜରି ପ୍ରମୁଖ ଦଳୀୟ କର୍ମୀଙ୍କ ସହ ଆରଜେଡିରେ ସାମିଲ ହେଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଉପେନ୍ଦ୍ର କୁଶବାହଙ୍କ ଦଳ ଆରଏଲଏସପି ଜେଡ଼ିୟୁରେ ମିଶିବା ପାଇଁ ଆଲୋଚନା ଜାରି ରହିଛି। ଉପେନ୍ଦ୍ର କୁଶବାହ ଏବଂ ନିତୀଶ କୁମାରଙ୍କ ମଧ୍ୟରେ ଏନେଇ ଅନେକ ଥର ବୈଠକ ହୋଇଛି। ୧୪ ମାର୍ଚ୍ଚରେ ଉପେନ୍ଦ୍ରଙ୍କ ଦଳର ବୈଠକ ପରେ ଜେଡ଼ିୟୁରେ ମିଶ୍ରଣ ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। କିନ୍ତୁ ତା’ପୂର୍ବରୁ ଦଳର ବହୁ ବରିଷ୍ଠ ନେତା ଦଳ ତ୍ୟାଗ କରାଯାଉଥିବା ଦେଖାଯାଉଛି।

ବିଗତ କିଛି ମାସ ହେଲା ଉପେନ୍ଦ୍ର କୁଶବାହଙ୍କ ଦଳରୁ ଅନେକ ନେତା ଦଳ ତ୍ୟାଗ କରିଛନ୍ତି, ଯାହା ଏବେ ବି ଜାରି ରହିଛି। ତେବେ ଜେଡ଼ିୟୁରେ ମିଶ୍ରଣ ପରେ ଦଳ ଉପରେ କି ପ୍ରଭାବ ପଡୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Related posts