
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଦେଶର ୭୩ଟି ସରକାରୀ ମେଡ଼ିକାଲ କଲେଜ ଏବଂ ପ୍ରତିଷ୍ଠାନର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିରେ ଓଡ଼ିଶାର ତିନୋଟି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ପାଇଁ ଯୋଜନା ରହିଛି। ଏଗୁଡ଼ିକ ହେଲା-କଟକସ୍ଥିତ ଏସସିବି ମେଡ଼ିକାଲ କଲେଜ, ବୁର୍ଲାସ୍ଥିତ ଭିଏସଏସ ମେଡ଼ିକାଲ କଲେଜ ଏବଂ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ।
ଯୋଜନାର ତୃତୀୟ ପର୍ଯ୍ୟାୟରେ ଏମକେସିଜି ଓ ଭିଏସଏସ ମେଡ଼ିକାଲ କଲେଜକୁ ସାମିଲ କରାଯିବାକୁ ଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ କଟକ ମେଡ଼ିକାଲ କଲେଜକୁ ସାମିଲ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ସୂଚନା ଦେଇଛନ୍ତି।
ତେବେ ଏହି ଯୋଜନାରେ ନୂତନ ସରକାରୀ ମେଡ଼ିକାଲ କଲେଜ ବା ପ୍ରତିଷ୍ଠାନ ଖୋଲାଯିବାର ବ୍ୟବସ୍ଥା ନାହିଁ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ବର୍ତ୍ତମାନର ମେଡ଼ିକାଲ କଲେଜଗୁଡ଼ିକରେ ସୁପର ସ୍ପେଶାଲିଟି ବ୍ଲକ (ଏସଏସବି) ଏବଂ ଜରୁରିକାଳୀନ ଚିକିତ୍ସା କେନ୍ଦ୍ର କିମ୍ବା ମେଡ଼ିକାଲ ସରଞ୍ଜାମ କିଣିବାର ବ୍ୟବସ୍ଥା ରହିଛି।