ଫଟା ଜିନ୍ସ ପରେ ଆଉ ଏକ ବୟାନକୁ ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା

Published: Mar 21, 2021, 10:09 pm IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କିଛି ଦିନ ତଳେ ଫଟା ଜିନ୍ସ ଉପରେ ବୟାନ ରଖି ସମଗ୍ର ଦେଶରେ ସମାଲୋଚନାର ଶିକାର ହୋଇଥିଲେ। ହେଲେ ପୁଣି ଥରେ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ଆଜି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆମେରିକା ଆମ ଉପରେ ୨୦୦ ବର୍ଷ ଶାସନ କରିଥିବା କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ରାୱତ ଭାରତରେ କରୋନା ସ୍ଥିତିକୁ ନେଇ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ। ଏହି ଅବସରରେ ଭାରତ କରୋନା ଲଢାଇରେ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି ବୋଲି ରାୱତ କହିଥିଲେ। ଏହା ସହିତ ଆମେରିକା ଯିଏ କି ଆମକୁ ୨୦୦ ବର୍ଷ ଶାସନ କରିଥିଲା। ସେହି ଦେଶ ଏବେ କରୋନା ପାଇଁ ସଂଘର୍ଷ କରୁଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଥିଲେ ଯେ, କରୋନା ମହାମାରୀରୁ ପ୍ରଧାନମନ୍ତ୍ରୀ ଆମକୁ ବଞ୍ଚାଇବାର କାମ କରିଛନ୍ତି। ପୂର୍ବରୁ ତୀରଥ ସିଂହ ରାୱତ କିଛି ଦିନ ତଳେ ଫଟା ଜିନ୍ସକୁ ନେଇ ବିବାଦ ଘେରକୁ ଆସିଥିଲେ। ଏହି ବୟାନକୁ ନେଇ ସେ କ୍ଷମା ମାଗିଥିଲେ।

ମାର୍ଚ୍ଚ ୧୯ ତାରିଖରେ ତୀରଥ ସିଂହ କହିଥିଲେ ଯେ, ଜିନ୍ସ ପିନ୍ଧିବାରେ ମୋର କୌଣସି ଅଭିଯୋଗ ନାହିଁ। ମୁଁ ନିଜେ ମଧ୍ୟ ଜିନ୍ସ ପିନ୍ଧୁଥିଲି। ଏକ ଭଲ ସଂସ୍କାର ପରିପ୍ରେକ୍ଷୀରେ ଫଟା ଜିନ୍ସ ପିନ୍ଧିବା ଉପରେ ମତ ରଖିଥିଲେ। ଯଦି କାହାକୁ ଫଟା ଜିନ୍ସ ପିନ୍ଧିବାରେ ଇଚ୍ଛା ଅଛି, ସେଥିପାଇଁ ମୋର କୌଣସି ଅଭିଯୋଗ ନାହିଁ। ଏହି ବୟାନ ପରେ କାହାକୁ ଆଘାତ ଲାଗିଥାଏ, ତେବେ ତାଙ୍କୁ ମୁଁ କ୍ଷମା ମାଗୁଛି। ଏହା ସହିତ ସେ କହିଥିଲେ ଯେ, ଯଦି ଆମ ପିଲାଙ୍କୁ ଉଚିତ ସଂସ୍କାର ଏବଂ ଅନୁଶାସନ ଦେବା, ତେବେ ସେମାନେ ଭବିଷ୍ୟତରେ କେବେ କୌଣସି କାର୍ଯ୍ୟରେ ଅସଫଳ ହେବେନି।

Related posts