କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଘୋଷଣା କଲେ ନୂଆ ମାର୍ଗଦର୍ଶିକା

Published: Apr 8, 2021, 9:04 pm IST

ଭୁବନେଶ୍ଵର: କରୋନା ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ସରକାର କଟକଣାକୁ ଆହୁରି କଡାକଡି କରିଦେଇଛନ୍ତି। ସେଥିପାଇଁ ସ୍ଵତନ୍ତ୍ର ରିଲିଫ କମିଶନର ଏକ ନୂଆ ମାର୍ଗଦର୍ଶିକା ଘୋଷଣା କରିଛନ୍ତି।

ବସ, ରେଳ, ବିମାନରେ ଯାତ୍ରା କରି ଓଡିଶା ଆସୁଥିବା ଲୋକଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ଅନିବାର୍ଯ୍ୟ। ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବର ନେଗେଟିଭ ରିପୋର୍ଟ ଦେଖାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାଛଡା ଦ୍ଵିତୀୟ ଡୋଜ ଟୀକା ସାର୍ଟିଫିକେଟ ଦେଖାଇବା ପରେ ଓଡିଶା ଆସିବାକୁ ଅନୁମତି ମିଳିବ ବୋଲି କୁହାଯାଇଛି।

ଏହାସହ ଛତିଶଗଡରୁ ଆସୁଥିବା ଟ୍ରେନ ବାତିଲ କରିବା ପାଇଁ ରେଲୱେ ବୋର୍ଡକୁ ଚିଠି ହୋଇଛି। ଆସନ୍ତା ୧୦ ତାରିଖରୁ ଛତିଶଗଡରୁ ଆସୁଥିବା ଟ୍ରେନ ବାତିଲ କରିବା ପାଇଁ ଚିଠି ହୋଇଛି।

ଛତିଶଗଡରୁ ଯାତ୍ରୀବାହି ଗାଡିକୁ ଓଡିଶାରେ ପ୍ରବେଶ ପାଇଁ ବାରଣ କରାଯାଇଛି। ଏପ୍ରିଲ ୧୦ ତାରିଖରୁ ୩୦ ତାରିଖ ଯାଏଁ ଗାଡିମୋଟରକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଆଦେଶକୁ କଡାକଡି ପାଳନ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ହୋଇଛି।

ସୀମା ଚେକପୋଷ୍ଟକୁ କଡାକଡି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ଚେକପୋଷ୍ଟ ଦେଇ ଆସୁଥିବା ଲୋକଙ୍କୁ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ। ରିପୋର୍ଟ ନଥିଲେ ୭ ଦିନ କ୍ଵାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ହୋଇଛି। ପୁନର୍ବାର ଅସ୍ଥାୟୀ ମେଡିକାଲ ସେଣ୍ଟରକୁ କାର୍ଯ୍ଯକ୍ଷମ କରିବା ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।

Related posts