୨୦୧୯ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର : ରାମ ମନ୍ଦିର ଏବଂ କୃଷିକୁ ପ୍ରାଧାନ୍ୟ

Published: Apr 8, 2019, 1:30 pm IST
bjp releases manifesto

୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଥିଲା। ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ଗଠିତ ଏକ କମିଟି ଏହି ସଙ୍କଳ୍ପ ପତ୍ର ପ୍ରସ୍ତୁତ କରିଛି। ୨୦୧୯ ରେ ଦଳ କ୍ଷମତାକୁ ଆସିଲେ କି ପଦକ୍ଷେପ ନେବ ସେ ବିଷୟରେ ଇସ୍ତାହାରରେ ଉଲ୍ଲେଖ କରାଯାଇଛି। ଏହାର ଉନ୍ମୋଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଜେପି ନିର୍ବାଚନୀ ଇସ୍ତାହାରରେ ରାମ ମନ୍ଦିର ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଛି। ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାହାବି ସମ୍ଭବ ବିଜେପି ସରକାର ତାହା କରିବ ବୋଲି ଇସ୍ତାହାରରେ କୁହାଯାଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କରାଯିବ ବୋଲି ରାଜନାଥ ସିଂ ପ୍ରକାଶ କରିଛନ୍ତି। ୫ ବର୍ଷ ଯାଏଁ କୃଷକମାନଙ୍କୁ ଦିଆ ଯାଉଥିବା ଋଣ ପାଇଁ ସୁଧ ପଡ଼ିବ ନାହିଁ। ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନିଶ୍ଚିତ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ। ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ପଅ୍ରଦାନ କରାଯିବ। ଛୋଟ ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରାଯିବ। କିଷାନ ସମ୍ମାନ ଯୋଜନାର ସମ୍ପ୍ରସାରଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସେ ଆହୁରି କହିଛନ୍ତି କି, ଉତ୍ତରପୂର୍ବୀୟ ରାଜ୍ୟରେ ବେଆଇନ ଅନୁପ୍ରବେଶ ରୋକାଯିବ। ଗ୍ରାମୀଣ କୃଷି କ୍ଷେତ୍ରରେ ୨୫ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ ଏବଂ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ ହେବ ବୋଲି ଇସ୍ତାହାରରେ କୁହାଯାଇଛି। ଜାତୀୟ ରାଜପଥର ଦୈର୍ଘ୍ୟ ସମ୍ପ୍ରସାରଣ କରାଯିବ। ଦେଶରେ ୭୫ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଉଦ୍ୟୋଗୀ ମାନଙ୍କ ପାଇଁ ରାଷ୍ଟ୍ରୀୟ ଉଦ୍ୟୋଗ ବ୍ୟାପାର ଗଠନ କରାଯିବ ବୋଲି ମଧ୍ୟ ଏହି ଇସ୍ତାହାରରେ ଘୋଷଣା କରାଯାଇଛି। ଆତଙ୍କବାଦ ପ୍ରତି ସରକାରଙ୍କମ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ମଧ୍ୟ ଏହି ଇସ୍ତାହାରରେ କୁହାଯାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts