
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜୟପାଟଣା ଅଂଚଳର ୭୫ ଜଣ ଶ୍ରମିକ ଦାଦନ ଦଲାଲ କବଳରୁ ଉଦ୍ଧାର ହୋଇଛନ୍ତି। ଜୟପାଟଣା ଥାନା ଅଂଚଳ ସାନ କର୍ଲାକୋଟ ଗ୍ରାମକୁ ଗୋଟିଏ ବସ ଧରି ଦଲାଲ ପହଂଚିଥିଲା। ସେଠାରୁ ଶ୍ରମିକମାନେ ତାମିଲନାଡୁ ରାଜ୍ୟର ତ୍ରୀପୁର ଅଂଚଳକୁ ଦାଦନ ପାଇଁ ଯାଇଥାନ୍ତେ। ଠିକ ସମୟରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜୟପାଟଣା ପୋଲିସ ପହଂଚି ବସକୁ ଅଟକ ରଖିବା ସହ ଶ୍ରମିକମାନଙ୍କୁ କରୋନା ସମୟରେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ନଯିବା ପାଇଁ ପ୍ରବର୍ତ୍ତାଇଥିଲା।
ବସ ନଂ. ଟିଏନ ୩୩ କେ ୮୪୮୮ ନମ୍ବର ବସ ନେଇ ଦୁଇଜଣ ଲୋକ ସାନ କର୍ଲାକୋଟ ଗ୍ରାମକୁ ଆସିଥିଲେ। ପୂର୍ବରୁ ଯାଇଥିବା ଶ୍ରମିକ ମାନଙ୍କୁ ପୁନର୍ବାର ସେଠାକୁ ନେବା ପାଇଁ ଏକପ୍ରକାର ବାଧ୍ୟ କରୁଥିଲେ। ସେହି ଶ୍ରମିକମାନେ ପୂର୍ବରୁ ସେଠାରେ କାମ କରୁଥିବା ବେଳେ କୋଭିଡ କଟକଣା ପାଇଁ ଫେରିଆସିଥିବା ବେଳେ ପୁନଃ ନେବାକୁ ବସ ଆସିଥିବା ଜଣାପଡିଥିଲା।
କଳାହାଣ୍ଡିରେ ଏନଆରଜିଏସ ଯୋଜନାରେ ଅଧିକ ପରିଶ୍ରମ ଏବଂ କମ ମଜୁରୀ ମିଳୁଥିବା କାରଣରୁ ଶ୍ରମିକମାନେ ବିଭିନ୍ନ କଳକାରଖାନାରେ କାମ କରି ଅଧିକ ରୋଜଗାର କରିବା ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ ମାନଙ୍କ ସୂତ୍ରରୁ ପ୍ରକାଶ। ବର୍ତ୍ତମାନର କୋଭିଡ କଟକଣା ଯୋଗୁଁ ବାହାରକୁ ଯିବାକୁ ବାରଣ ହୋଇଥିବା ଯୋଗୁଁ ପୋଲିସ ସେମାନଙ୍କୁ ଅଟକାଇଥିବା ଜଣାପଡିଛି। ଏସଂପର୍କରେ ଜୟପାଟଣା ପୋଲିସ ତଦନ୍ତ କରୁଥିବା ଜଣାପଡିଛି।