
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସିରେ କରୋନା କ୍ଷିପ୍ରଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ବାଲୁଗାଁ ଏନଏସିର ୱାର୍ଡ ନମ୍ବର ୬ ଚକ୍ରଧରପୁରରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଚିଲିକା ତହସିଲଦାର ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପତ୍ର ଯୋଗେ ଅନୁରୋଧ କରିଥିଲେ।
ଏହାକୁ ଗୁରୁତର ସହ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଆଜି ମଇ ୧୦ ତାରିଖ ସଂଧ୍ୟା ୭ ଘଟିକାରୁ ମଇ ୧୬ତାରିଖ ରାତି ୯ ଘଟିକା ଯାଏଁ ଚକ୍ରଧରପୁରର ସଞ୍ଜୟ ସାହୁଙ୍କ ଘର ଠାରୁ ରମେଶ ଧୁଡିଙ୍କ ଘର(୨୫ ଗୋଟି ଘର) ପର୍ଯ୍ୟନ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଛନ୍ତି।
ଉକ୍ତ ସମୟରେ ଏହି ଅଂଚଳର କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ। କଣ୍ଟେନମେଣ୍ଟ ଅଞ୍ଚଳରେ ଅଂଚଳବାସୀଙ୍କୁ ଜରୁରୀକାଳନ ସାମଗ୍ରୀ ଯୋଗାଣ, ବିଶୋଧନ, କଣ୍ଟାକ୍ଟ ଟ୍ରେସିଂ, ଆରଆରଟି ଦ୍ୱାରା ଘରକୁ ଘର ସର୍ଭେ କରାଯିବ। ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ନିଯୁକ୍ତ ହୋଇଥିବା ନୋଡାଲ ଅଧିକାରୀମାନେ ଏହି ସବୁ କାର୍ଯ୍ୟ କରିବେ। ବାଲୁଗାଁ ଏନଏସି କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ମିଶ୍ର ଉକ୍ତ ସମସ୍ତ କାର୍ଯ୍ୟର ତଦାରଖ କରିବେ।