
ଭୁବନେଶ୍ବର: କୋଭିଡ ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନିକଟକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର କରି ରାଜ୍ୟଗୁଡିକୁ ଟୀକା ଦେବା ପାଇଁ ଅନୁରୋଧ କରିଛନ୍ତି। ନଚେତ ଟୀକା କିଣିବା ପାଇଁ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଉ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ କହିଛନ୍ତି। ରାଜ୍ୟରେ ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡିକ ଆଗ୍ରହ ଦେଖାଉନଥିବାରୁ ନବ ଦାସ ଏଭଳି ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଓଡିଶାରେ ଗ୍ଲୋବାଲ ଟେଣ୍ଡର ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ସ୍ଵଦେଶୀ ଟୀକା କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ଭାଗ ନେଇନଥିଲେ। ସେଥିପାଇଁ ନିୟମକୁ କୋହଳ କରି ସମୟ ଘୁଞ୍ଚାଯାଇଛି।