Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏଣିକି ୭ ରୁ ୧୨ ବର୍ଷର ପିଲା ପାଇବେ କୋଭିଡ ଟୀକା, ଅନୁମୋଦନ ଦେଲା ଡିସିଜିଆଇ

ନୂଆଦିଲ୍ଲୀ: ଦେଶରେ କୋଭିଡଙ୍କ ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକମାନେ ପୁନର୍ବାର ସତର୍କ ହେବା ଆବଶ୍ୟକ। ଦେଶର ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୪ ଟି କୋଭିଡ ମାମଲା ରୁଜୁ ହୋଇଛି। ଯେଉଁଥିପାଇଁ କୋଭିଡର ସକ୍ରିୟ ମାମଲା ୪ ହଜାର ୪୮୨ କୁ ବୃଦ୍ଧି ପାଇଛି। ଏହି ସମୟରେ, ଏକ ବଡ ଆଶ୍ବସ୍ତିକର ଖବର ଆସିଛି ଯେ, ବର୍ତ୍ତମାନ ୭ ବର୍ଷରୁ ୧୨ ବର୍ଷର ପିଲାମାନଙ୍କୁ ମଧ୍ୟ ଟିକା ଦିଆଯାଇପାରେ। ସେରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ୭ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭୋଭାକ୍ସ ଟିକା ପ୍ରସ୍ତୁତ କରିଛି। ଏହି ଟିକା ମଧ୍ୟ DCGI ରୁ ଅନୁମୋଦନ ଲାଭ କରିଛି।

ଗତ ସପ୍ତାହରେ କୋଭିଡ ବିଷୟ ବିଶେଷଜ୍ଞ କମିଟି (SEC) ସାତରୁ ୧୧ ବର୍ଷ ବୟସ ପାଇଁ କୋଭୋଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେବା ପରେ DCGI ର ଅନୁମୋଦନ ଆସିଛି। ଏହାପୂର୍ବରୁ, NTAGI ବାଓଲୋଜିକାଲ ଇ ଟିକା କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇପାରେ, ଯାହାର ବୈଠକ ମଙ୍ଗଳବାର ଦିନ ହେବ। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଜୁନ୍ ୪ ତାରିଖରେ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ ଭାବରେ ବ୍ୟବହାର ପାଇଁ କୋର୍ବେଭ୍ୟାକ୍ସକୁ ଅନୁମୋଦନ କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପିଲାଙ୍କୁ ଦିଆଯିବ କୋଭିଡ ଟୀକା: କୋଭାକ୍ସିନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କୋଭିଡ ଟୀକାକୁ ନେଇ ଏବେ ଏକ ଖୁସି ଖବର ମିଳିଛି। ଏଣିକି ପିଲାଙ୍କୁ କୋଭିଡ ଟୀକା ମିଳିବ। ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ଟୀକା ପାଇଁ ଅନୁମତି ମିଳିଛି। ଭାରତ ବାୟୋଟେକ୍ ର କୋଭାକ୍ସିନ ଟୀକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଅନୁମତି ଦେଇଛି। ତେବେ ଏହି ଟୀକା ଡୋଜର ବ୍ୟବଧାନ ୨୮ ଦିନ ରହିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କର କୋଭିଡ ଟୀକା ନେବା ସତ୍ତ୍ୱେ ସଂକ୍ରମଣ ହେଉଛି: ବିଶେଷଜ୍ଞ

ଭୁବନେଶ୍ୱର: କୋଭିଡ୍‌ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶିକାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି। ବିଶେଷ କରି ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି ସେମାନଙ୍କୁ ଏହି ସଂକ୍ରମଣ ହେଉଛି ବୋଲି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର କ୍ରିଟିକାଲ କେୟାର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ବାନାମ୍ବର ରାୟ କହିଛନ୍ତି।

ଏହିପରି ଟୀକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଭଲ ହେବା ନିମନ୍ତେ ଅଧିକ ସମୟ ଲାଗୁଛି ବୋଲି ପ୍ରଫେସର ରାୟ ବୁଧବାର ପ୍ରକାଶ କରିଛନ୍ତି। ଦୁଇଟି ଟୀକା ନେଇଥିବା ସତ୍ୱେ ଅନେକ ବ୍ୟକ୍ତି କୋଭିଡ୍ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ହୋଇପଡ଼ୁଛନ୍ତି। ଭାଇରସ୍ ତା’ର ରୂପ ବଦଳାଉଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଥିବା ଲୋକ ଗୁରୁତର ହୋଇପଡ଼ୁଛନ୍ତି।

ଏହାକୁ ଡାକ୍ତରୀ ଭାଷାରେ ବ୍ରେକ୍ ଥ୍ରୁ ଇନ୍‌ଫେକ୍ସନ୍ କୁହାଯାଏ ଏବଂ ଏଭଳି ରୋଗୀ ପ୍ରାୟ ଏକ ରୁ ୫ ମାସ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥାନ୍ତି ଯାହାକୁ ଲଙ୍ଗ କୋଭିଡ୍ କୁହାଯାଏ।

ପ୍ରଫେସର ରାୟ କହିଥିଲେ ଯେ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଦେଢ଼ରୁ ଦୁଇ ପ୍ରତିଶତଙ୍କର ମୃତ୍ୟୁ ହେଉଛି। ସେହିପରି ୩ ପ୍ରତିଶତ ରୋଗୀ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ରହୁଛନ୍ତି। ୫ ପ୍ରତିଶତ ରୋଗୀ ଗୁରୁତର ଅସୁସ୍ଥ ହୋଇ ପଡ଼ୁଥିବା ବେଳେ ୧୨ ରୁ ୧୫ ପ୍ରତିଶତ ମଧ୍ୟମ ଧରଣର ଅସୁସ୍ଥତା ଅନୁଭବ କରୁଛନ୍ତି।

ତେବେ ୮୦ ରୁ ୮୨ ପ୍ରତିଶତ ରୋଗୀ ସାମାନ୍ୟ ଧରଣର ସଂକ୍ରମିତ ହେଉଥିବା ବେଳେ ଏମାନଙ୍କୁ ହସ୍ପିଟାଲ୍‌ରେ ଭର୍ତି ହେବାକୁ ପଡ଼ୁନାହିଁ। ନିକଟରେ ସମ୍ ଅଲ୍ଟିମେଟ ମେଡିକେୟାରରୁ ୨ ଜଣ ଗୁରୁତର କୋଭିଡ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏଡି ରୋଗୀଙ୍କର ଅସୁସ୍ଥତା, ଚିକିତ୍ସା ପଦ୍ଧତି ଏବଂ ସେମାନେ ସୁସ୍ଥ ହେବା ପଛରେ ମେଡିକାଲ୍ ଟିମ୍‌ର ଉଦ୍ୟମ ଓ ପରିଶ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅବଗତ କରାଇଛନ୍ତି ହସ୍ପିଟାଲ୍ କର୍ତୃପକ୍ଷ।

ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍‌ ବିଭାଗ ଅଧିନରେ ଏହି ଦୁଇ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସେମାନଙ୍କୁ ସୁସ୍ଥ କରାଇବାରେ ସମ୍ପୂର୍ଣ୍ଣ ସହଯୋଗ ଓ ପ୍ରଚେଷ୍ଟା କରିଥିବା ହସ୍ପିଟାଲର ସମସ୍ତ ବିଭାଗ, ଡାକ୍ତରୀ ଟିମ୍‌, ନର୍ସିଂ, ନ୍ୟୁଟ୍ରିସନ୍‌, ଫିଜିଓଥେରାପି ବିଭାଗ ଓ ପାରାମେଡିକାଲ୍ ଷ୍ଟାଫ୍‌ଙ୍କର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ସମ୍ମମ୍‌ର ଚିଫ୍ ଅଫ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ଡଃ ବିରାଜ ମୋହନ ମିଶ୍ର।

୭୨ ବର୍ଷୀୟ ପୂର୍ବତନ ବ୍ୟୁରୋକ୍ରାଟ ଗୌତମବୁଦ୍ଧ ମୁଖାର୍ଜୀ କୋଭିଡ୍ ସଂକ୍ରମିତ ହେବା ପରେ ସମ୍ମମ୍‌ରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ଥିଲା। ଦୀର୍ଘ ୧୬ ଦିନ ସେ ଆଇସିୟୁରେ ରହିଥିଲେ। ତାଙ୍କର ଅକ୍ସିଜେନ୍‌ର ସ୍ତର ମଧ୍ୟ ଖୁବ୍ କମ୍‌ ରହୁଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ସମସ୍ୟା ମଧ୍ୟ ରହିଥିଲା। ଦୀର୍ଘ ଦୁଇ ମାସ ଚିକିତ୍ସିତ ହେବା ପରେ ସେ ମଙ୍ଗଳବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ବୋଲି ଡା. ରାୟ ସୂଚନା ଦେଇଛନ୍ତି।

ତେବେ ଦ୍ୱିତୀୟ ସଂକ୍ରମିତ ଜଣକର ଚିକିତ୍ସା ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ଡା. ରାୟ କହିଛନ୍ତି। ମାତ୍ର ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ମହମ୍ମଦ ସଫାକ୍ ଅଲୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସମ୍ମମ୍‌ରେ ଭର୍ତି ହୋଇଥିଲେ। ତାଙ୍କର ଅବସ୍ଥା ଆଇସିୟୁରେ ଗୁରୁତର ହେବା ପରେ ଭେଂଟିଲେଟରରେ ରଖାଯିବା ସହ ଟ୍ରାକିଓଷ୍ଟୋମି ମଧ୍ୟ କରାଯାଇଥିଲା। ଫୁସ୍‌ଫୁସ୍‌ରେ ଅନେକ ଜଟିଳତା ଦେଖାଦେଇଥିଲା।

ଜୀବନ ଓ ମୃତ୍ୟୁର ଖଣ୍ଡାଧାର ମଧ୍ୟରେ ରହିଥିବା ଏହି ରୋଗୀଙ୍କ ଚିକିତ୍ସା କରିବା ବେଶ କଷ୍ଟସାଧ୍ୟ ଥିଲା। ଦେଢ଼ ବର୍ଷର କୋଭିଡ୍ ମହାମାରୀ ଚିକିତ୍ସା କରିବା ମଧ୍ୟରେ ଶ୍ରୀ ଅଲ୍ଲୀଙ୍କ ଚିକିତ୍ସା ସବୁଠୁ ଜଟିଳ ଥିଲା ଏବଂ ସମ୍ମମ୍ ଟିମ୍ ଖୁବ୍ ସଫଳତାର ସହ ତାଙ୍କର ଚିକିତ୍ସା କରିପାରିଛି ବୋଲି ଡା. ରାୟ କହିଛନ୍ତି।

ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡା. ରାୟଙ୍କ ସମେତ କାର୍ଡିଓଥୋରାସିକ୍ ସର୍ଜନ୍ ଡା. ବନବିହାରୀ ମିଶ୍ର, ଜେନେରାଲ୍ ସର୍ଜରୀ ବିଭାଗର କନ୍‌ସଲ୍‌ଟାଂଟ୍ ଡା. ସତ୍ୟଜିତ ରଥ, ସିନିୟର୍ କ୍ଲିନିକାଲ୍ ନ୍ୟୁଟ୍ରିସ୍‌ନିଷ୍ଟ ସୁଶ୍ରୀ ସଂଗୀତା ଜେନା, ଫିଜିଓଥେରାପି ବିଭାଗ ମୁଖ୍ୟ ଡା. ପି. ବାଲାକିଶୋର, ମାଇକ୍ରୋବାୟୋଲୋଜି ଟିମ୍ ଏବଂ କ୍ରିଟିକାଲ୍ କେୟାର ଟିମ୍‌ର ସମ୍ପୂର୍ଣ୍ଣ ସହଯୋଗ ଥିବା ବ୍ରିଗେଡିୟର ଡା. ମିଶ୍ର କହିଥିଲେ। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ ଶ୍ରୀ ମୁଖାର୍ଜୀ ଏବଂ ଶ୍ରୀ ଅଲୀଙ୍କ ପରିବାର।

ସମ୍‌ ଅଲ୍ଟିମେଟ୍ ମେଡିକେୟାର ଟିମ୍ ଏବଂ ବିଶେଷ ଭାବେ ଡାକ୍ତର ରାୟଙ୍କ ଚିକିତ୍ସା ଓ ଉଦ୍ୟମ ଯୋଗୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସେମାନଙ୍କ ପରିବାର କୃତଜ୍ଞତା ଜ୍ଞାପନ କରିବା ସହ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ସବୁ ଶିକ୍ଷକଙ୍କୁ ମିଳିବ କୋଭିଡ ଟୀକା: ତାଲିକା ପ୍ରସ୍ତୁତ ପାଇଁ ସମସ୍ତ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର: ଏବେ ରାଜ୍ୟରେ ସବୁ ଶିକ୍ଷକମାନଙ୍କୁ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ଟୀକା ନେଇଥିବା ଓ ନେଇନଥିବା ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡିଇଓ ଏବଂ ବିଇଓଙ୍କୁ ଏନେଇ ନିର୍ଦ୍ଦେଶ ହୋଇଛି। ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ସବୁ ଶିକ୍ଷକଙ୍କୁ ଟୀକା ଦାନ ପାଇଁ ବ୍ୟବସ୍ଥା କରାଯାଉଛି। ୨୭ ତାରିଖରୁ ଅତିରିକ୍ତ ୧୧ ଲକ୍ଷ ଟିକା ଆସିବା ପରେ ଟୀକାକରଣ ଆରମ୍ଭ ହେବ। ଦରକାର ପଡିଲେ ୧୦୦ ରୁ ଅଧିକ କର୍ମଚାରୀ ଥିବା ସ୍କୁଲରେ ଟୀକା କେନ୍ଦ୍ର ହେବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ପ୍ରସ୍ତୁତ ବାୟୋଲୋଜିକାଲ-ଇ ଟୀକା ହେବ ୯୦ ପ୍ରତିଶତ ପ୍ରଭାବୀ!: କରୋନା ଲଢେଇ ପାଇଁ ହୋଇପାରେ ଗେମଚେଞ୍ଜର

ନୂଆଦିଲ୍ଲୀ: ଦେଶରେ ନିର୍ମିତ ବାୟୋଲୋଜିକାଲ-ଇ ଟୀକା କୋଭିଡ଼ ବିରୋଧରେ ୯୦ ପ୍ରତିଶତ ପ୍ରଭାବୀ ହେବ ବୋଲି ସମ୍ଭାବନା ରହିଛି। ଏହା କରୋନା ମହାମାରୀ ବିରୋଧ ଲଢେଇରେ ଗେମ ଚେଞ୍ଜର ହୋଇପାରେ। ସରକାରଙ୍କ ପରାମର୍ଶଦାତା କମିଟିକୁ ଦେଶର ଜଣେ ବରିଷ୍ଠ ଡାକ୍ତର ଏନେଇ ଏହି ଅବଗତ କରାଇଛନ୍ତି।

କେନ୍ଦ୍ର ସରକାରର କୋଭିଡ଼ ୱାର୍କିଂ ଗୃପର ଅଧ୍ୟକ୍ଷ ଏନକେ ଅରୋରା କହିଛନ୍ତି ଯେ, ଏହି ଟୀକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚି ସାରିଛି। ଏବଂ ଏହା ଅକ୍ଟୋବର ମାସରେ ଉପଲବ୍ଧ ହୋଇପାରିବ। ଡା. ଅରୋରାଙ୍କ ଅନୁସାରେ, ବାୟୋଲୋଜିକାଲ-ଇ ଟୀକାକୁ କୋର୍ବେଭାକ୍ସ କୁହାଯିବ ଏବଂ ଏହା ନୋଭାଭାକ୍ସ ଭଳି ହେବ।

ସେହିହାଳି କମ୍ପାନୀର ସୂଚନା ଅନୁଯାୟୀ, କୋଭିଡ଼ର ଭ୍ୟାରିଏଣ୍ଟ ବିରୋଧରେ ନୋଭାଭାକ୍ସ ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ। ନୋଭାଭାକ୍ସକୁ ଦେଶରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ଏହି କମ୍ପାନୀ ଅକ୍ସୋଫୋର୍ଡ-ଆଷ୍ଟ୍ରୋଜୋନିକାର କୋଭିଷିଲ୍ଡ ଟୀକା ପ୍ରସ୍ତୁତ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଏଣିକି ଟୀକା ନେଇନଥିବା ଲୋକଙ୍କୁ ମିଳିବନି ମଦ: ସ୍ଥାନୀୟ ପ୍ରଶାସନ ଲାଗୁ କଲା ନୂଆ ନିୟମ

ଲକ୍ଷ୍ନୌ: ଦେଶରେ ଟୀକାର ଅଭାବ ଯୋଗୁଁ ଟୀକାକରଣରେ ସମସ୍ୟା ଉପୁଜୁଛି। କେନ୍ଦ୍ର ସରକାର ଉପରେ ଏନେଇ ଅନେକ ରାଜ୍ୟ ସରକାର ଚାପ ପକାଉଛନ୍ତି। ଅନେକ ରାଜ୍ୟ ସରକାର ଟୀକାର ଅଭାବ ଯୋଗୁଁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏପରିସ୍ଥଳେ କିଛି ରାଜ୍ୟରେ ଟୀକା ଦେବା ପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାରଣ ସୃଷ୍ଟି ହୋଇଛି। ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନକୁ ବଡ ପରିଶ୍ରମ କରିବାକୁ ପଡୁଛି। ଲୋକଙ୍କୁ ସଚେତନ କରିବା ପରେ ମଧ୍ୟ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନେକ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଲୋକେ ଦୌଡି ପଳାଇଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି।

ସେଥିପାଇଁ ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନ ପକ୍ଷରୁ କେଉଁଠି ୫ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯାଉଛି ତ କେଉଁଠି କଟକଣା ମଧ୍ୟ ଲଗାଯାଉଛି। ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏହି ରାଜ୍ୟର ଗ୍ରାମାଞ୍ଚଳର ଲୋକେ ଟୀକା ଦେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ତେବେ ଏହାକୁ ଦେଖି ପ୍ରଶାସନ ଏବେ ଏକ ନୂଆ ନିୟମ ଜାରି କରିଛି। ଟୀକା ନେଇନଥିବା ଲୋକଙ୍କୁ ଏବେ ମଦ ଦୋକାନରେ ମଦ ମିଳିବ ନାହିଁ। ମଦ ଦୋକାନରେ ଏନେଇ ଏକ ନୋଟିସ ମଧ୍ୟ ଲଗାଯାଇଛି। ଉତ୍ତରପ୍ରଦେଶ ଇଟାୱା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ଆଜି ଓଡ଼ିଶାକୁ ଆସୁଛି ୧ ଲକ୍ଷ ଡୋଜ ଟୀକା

ଭୁବନେଶ୍ବର: ଆଜି ଓଡିଶାକୁ ଆଉ ୧ ଲକ୍ଷ ଟୀକା ଡୋଜ ଆସିବ। ଆଜି ୫୦ ହଜାର କୋଭାକ୍ସିନ ଏବଂ ୫୦ ହଜାର କୋଭିଶିଲ୍ଡ ଟୀକା ଓଡିଶାରେ ପହଞ୍ଚିବ। ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଏହି ଟୀକା ଦିଆଯିବ। ଏସବୁ ଟୀକା ଡୋଜ ଓଡିଶାକୁ କେନ୍ଦ୍ର ସରକାର ଦେଉଛି।

ତେବେ ଜୁନ୍ ୭ ତାରିଖ ସୁଦ୍ଧା ୨୬,୦୦୦ ଡୋଜ୍ କୋଭାକ୍ସିନ ରାଜ୍ୟ ସରକାର କିଣିବାକୁ ଥିବା ବେଳେ ଜୁନ୍ ୯ ସୁଦ୍ଧା ୨,୨୭,୭୫୦ ଡୋଜ କୋଭିଶିଲ୍ଡ ଟିକା କିଣିବାକୁ ଯାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି: ଗ୍ଲୋବାଲ ଟେଣ୍ଡର କରି ରାଜ୍ୟକୁ ଟୀକା ଦେବାକୁ ଅନୁରୋଧ କଲେ

ଭୁବନେଶ୍ବର: କୋଭିଡ ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନିକଟକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର କରି ରାଜ୍ୟଗୁଡିକୁ ଟୀକା ଦେବା ପାଇଁ ଅନୁରୋଧ କରିଛନ୍ତି। ନଚେତ ଟୀକା କିଣିବା ପାଇଁ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଉ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ କହିଛନ୍ତି। ରାଜ୍ୟରେ ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡିକ ଆଗ୍ରହ ଦେଖାଉନଥିବାରୁ ନବ ଦାସ ଏଭଳି ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଓଡିଶାରେ ଗ୍ଲୋବାଲ ଟେଣ୍ଡର ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ସ୍ଵଦେଶୀ ଟୀକା କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ଭାଗ ନେଇନଥିଲେ। ସେଥିପାଇଁ ନିୟମକୁ କୋହଳ କରି ସମୟ ଘୁଞ୍ଚାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟାଙ୍ଗୀ: ଆଜି ୧୭୪ ଜଣ ଅନ୍ତେବାସୀ ଜରାଶ୍ରମରେ ନେଲେ କୋଭିଡ଼ ଟୀକା, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟୀକା କରଣ ପ୍ରକ୍ରିୟା ଜାରି ରହିଛି। ବରିଷ୍ଠ ନାଗରିକ ମାନଙ୍କୁ ସରକାରୀ ଚିକିତ୍ସାଳୟରେ କୋଭିଡ୍ ଟୀକା ଦିଆ ଯାଉଛି। ବରିଷ୍ଠ ଲୋକମାନଙ୍କୁ ଟୀକା ଦେବା ପାଇଁ ତାଙ୍କର ସଂପର୍କୀୟ ମାନେ ଟୀକା କେନ୍ଦ୍ରକୁ ନେଉଥିବା ବେଳେ ଜରାଶ୍ରମରେ ରହୁଥିଵା ବୃଦ୍ଧ ବୃଦ୍ଧାଙ୍କ ପକ୍ଷରେ ଏହା ସମ୍ଭବ ହୋଇପାରୁନାହିଁ। ସମ୍ପର୍କୀୟଙ୍କ ଅଲୋଡା ହୋଇ ଜରଶ୍ରମରେ ରହୁଥିବା ଏହି ବରିଷ୍ଠ ନାଗରିକଙ୍କ ପାଇଁ କରୋନା ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି। ସେଥିପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଜରାଶ୍ରମକୁ ଯାଇ ଅନ୍ତେବାସୀଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଙ୍ଗଳା ଯୋଡି, ନିରାକାରପୁର ଓ ଟାଙ୍ଗୀରେ ଥିବା ଜରାଶ୍ରମରେ ଅନ୍ତେବାସୀଙ୍କୁ ଟୀକା ଦିଆଯାଇଛି। ଆଜି ମୋଟ ୧୭୪ ଜଣ ଅନ୍ତେବାସୀ ଟୀକାକରଣରେ ସାମିଲ ହୋଇ ଉପକୃତ ହୋଇଛନ୍ତି। ଟୀକା ନେବା ପରେ ସମସ୍ତ ଅନ୍ତେବାସୀ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ଟୀକା ନେବା ପାଇଁ ଲୋକଙ୍କ ମନରେ ଭୟ: ଦିଆଗଲା ୫ ଲକ୍ଷ ଟଙ୍କାର ବୀମା ଅଫର

ମୁମ୍ବାଇ: କରୋନାର ଦ୍ଵିତୀୟ ଲହରରେ ମହାରାଷ୍ଟ୍ରର ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଆହୁରି ଅନେକ ଲୋକ ଏହି ମାହାମାରୀରୁ ରକ୍ଷା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏହାପରେ ମଧ୍ୟ କେତେ ଲୋକ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଯଦିବା ଟୀକାକରଣ ପ୍ରକ୍ରିୟାରେ ମହାରାଷ୍ଟ୍ର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ଅଛି, ତଥାପି ରାଜ୍ୟର ମୋଟ ଜନସଂଖ୍ୟାର ମାତ୍ର ୩.୬୯ ପ୍ରତିଶତ ଲୋକଙ୍କୁ ଏପର୍ଯ୍ୟନ୍ତ ଟୀକା ଦିଆଯାଇଛି। ହିଙ୍ଗୋଲି, ପାଲଘର, ନନ୍ଦୁରବାର, ପରଭନୀ, ଜଲଗାଁଓ, ଗଢଚିରେଲିରେ ୩ ପ୍ରତିଶତରୁ କମ ଲୋକଙ୍କୁ ଏପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦିଆଯାଇଛି। ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳରେ କୋଭିଡ ଟୀକାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ ରହିଛି।

ତେଣୁ ପ୍ରଶାସନ ପକ୍ଷରୁ ଟୀକା ବାବଦରେ ଲୋକଙ୍କୁ ସଚେତନ କରାଯାଉଛି। ଏପରି ଲୋକଙ୍କୁ ଟୀକା ଦେବା ପାଇଁ ବୀମା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅଫର ମଧ୍ୟ ଘୋଷଣା କରାଯାଉଛି। ତେବେ ବର୍ତ୍ତମାନ ମହାରାଷ୍ଟ୍ରର ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳର ଲୋକଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ୫ ଲକ୍ଷ ଟଙ୍କାର ବୀମା ଅଫର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ଟୀକାକୁ ନେଇ ଏବେ ବି ରହିଛି ଭ୍ରମ: ସ୍ଵାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁଲେ ଭୟଭୀତ ଲୋକ

ଲକ୍ଷ୍ନୌ: ଦେଶରେ ଅନେକ ରାଜ୍ୟରେ କୋରୋନ ଟୀକାକାରଣକୁ ନେଇ ବଡ ସମସ୍ୟା ଦେଖାଯାଇଛି। କେଉଁଠି ଟୀକାର ଅଭାବ ଯୋଗୁଁ ଟୀକାକରଣରେ ସମସ୍ୟା ଉପୁଜୁଥିବା ବେଳେ କେଉଁଠି ଟୀକା ନେବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବର୍ତ୍ତମାନ ଯେଉଁ ସ୍ଥାନରେ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ସେଠାରେ ଟୀକାର ଅଭାବ ଦେଖାଦେଉଛି। କରୋନା ସଂକ୍ରମଣକୁ ଦେଖି ଲୋକେ ଟୀକା ନେବା ପାଇଁ ବ୍ୟସ୍ତ ହେଉଥିବା ବେଳେ କେତେକ ସ୍ଥାନରେ ଏହାର ବିପରୀତ ପରିସ୍ଥିତି ଦେଖିବାକୁ ମିଳିଛି। ପ୍ରଶାସନ ଟୀକା ନେବା ପାଇଁ ଲୋକଙ୍କ ପଛରେ ପଡୁଥିବା ଦେଖାଯାଉଛି।

ସେଇଭଳି କେତେକ ସ୍ଥାନରେ ଲୋକଙ୍କୁ ଟୀକା ଦେବା ପ୍ରଶାସନ ପାଇଁ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି। ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ଏବେ ଏମିତି କିଛି ସମସ୍ୟା ଠିଆ ହୋଇଛି, ଯାହା ପ୍ରଶାସନର ମୁଣ୍ଡା ବିନ୍ଧାର କାରଣ ହୋଇଛି। ଏହି ରାଜ୍ୟର ଗ୍ରାମାଞ୍ଚଳଗୁଡିକରେ ଟୀକା ଉପରେ ଲୋକଙ୍କର ଏବେ ବି ଭ୍ରମ ସୃଷ୍ଟି ହୋଇଛି। ଲୋକେ ଟିକା ନେବା ପାଇଁ ବିଲକୁଲ ଆଗ୍ରହ ପ୍ରକାଶ କରୁନାହାନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ରାଜଧାନୀ ଲକ୍ଷ୍ନୌ ନିକଟସ୍ଥ ମାତ୍ର ୫୦ କିଲୋମିଟର ଦୂରରେ ଥିବା ବାରବାଙ୍କୀ ଜିଲ୍ଲାରେ ୧.୫ ଲକ୍ଷ ଟୀକା ଡୋଜ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଠାରେ ଲକ୍ଷ୍ୟ ଠାରୁ ମାତ୍ର ତିନି ଭାଗରୁ ଏକ ଭାଗ ଲୋକଙ୍କୁ ଟୀକା ଦିଆଯାଇଛି।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ସେହି ଜିଲ୍ଲାର ଏକ ଗାଁରେ ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ ଟୀକା ଦେବା ପାଇଁ ପହଞ୍ଚିଛନ୍ତି। ଲୋକେ ସେମାନଙ୍କୁ ଦେଖି ଦୌଡିବାକୁ ଲାଗିଥିଲେ ଏବଂ ଏପରିକି କିଛି ଲୋକ ନଦୀ ମଧ୍ୟକୁ ଡେଇଁପଡିଥିବା ଭଳି ଘଟଣା ଦେଖିବାକୁ ମିଳିଥିଲା।

ସ୍ୱାସ୍ଥ୍ୟକର୍ମୀ ଯେତେବେଳେ ଏବାବଦରେ ଜାଣିବାକୁ ଚାହିଁଲେ, ସେତେବେଳ ଟୀକା ଭୟରେ ଲୋକ ଦୌଡୁଥିବା ଜାଣିବାକୁ ପାଇଥିଲେ। ଟୀକା ନେଲେ ଲୋକେ ମରିଯାଉଛନ୍ତି ଏବଂ ଏହା ବିଷ ଛୁଞ୍ଚି ବୋଲି କିଛି ଲୋକ ସ୍ଵାସ୍ଥ୍ୟକର୍ମୀଙ୍କୁ କହିଛନ୍ତି। ତେବେ କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ଟୀକା ନେବା ଜରୁରୀ ହୋଇପଡିଥିବା ବେଳେ ଟୀକାକୁ ନେଇ ଲୋକଙ୍କ ମଧ୍ୟରେ ଏଭଳି ଭ୍ରମ ପ୍ରଶାସନକୁ ବିଚଳିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ମିଳିବ ଟୀକା

ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫଙ୍କ ପରିବାର ଲୋକଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଏନେଇ ସ୍ୱାସ୍ଥ୍ୟ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ସିଡିଏମଓଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବାକୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ପରିବାର ଲୋକ ଆସୁଥିବାରୁ ସେମାନଙ୍କୁ ସଂକ୍ରମଣ ଭୟ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୨୫ ଲକ୍ଷ ଟୀକା ଏବଂ ସିଲିଣ୍ଡର ତୁରନ୍ତ ଯୋଗାଇଦେବାକୁ କେନ୍ଦ୍ରଠାରେ ଦାବି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡକୁ ନେଇ ଏକ ବୈଠକ ହୋଇଯାଇଛି। ଏହି ବୈଠକରେ ଟୀକା ଏବଂ ଅମ୍ଳଜାନ ସିଲିଣ୍ଡର ଅଭାବ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନବ ଦାସ ଆଲୋଚନା କରିଛନ୍ତି। ଓଡ଼ିଶାକୁ ତୁରନ୍ତ ଟୀକା ଏବଂ ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବାକୁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିଛନ୍ତି। ତୁରନ୍ତ ୨୫ ଲକ୍ଷ ଟୀକା ଯୋଗାଇଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ଆଉ ୨୨ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ଅପେକ୍ଷାରତ ଅଛନ୍ତି। ସେଥିପାଇଁ ୨୫ ଲକ୍ଷ ଟୀକା ତୁରନ୍ତ ଯୋଗାଇଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରେ ନବ ଦାସ ଦାବି କରିଛନ୍ତି। ଏହା ସହ ରାଜ୍ୟରେ ଅମ୍ଳଜାନ ପର୍ଯ୍ୟାପ୍ତ ଥିଲେ ମଧ୍ୟ ସିଲିଣ୍ଡରର ଅଭାବ ପରିଲିକ୍ଷିତ ହେଉଛି।

ତେଣୁ ୩୦ ହଜାର ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବା ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ ଅନୁରୋଧ କରିଛନ୍ତି। ସେହିଭଳି ରାପିଡ୍ ଆଣ୍ଟିଜେନ୍ କିଟ୍, ପିପିଇ କିଟ୍, ମାସ୍କ ଆଦି ଦେବା ପାଇଁ ଓଡିଶା ଦାବି କରିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ ଟୀକା ଆମଦାନୀ ପାଇଁ ହେବ ଗ୍ଲୋବାଲ ଟେଣ୍ଡର, କ୍ୟାବିନେଟ ବୈଠକରେ ନିଆଗଲା ନିଷ୍ପତି

ଭୁବନେଶ୍ବର, ଓଡିଶାରେ ଯେପରି ଟିକାର ଅଭାବ ରହିବ ନାହିଁ ଏବଂ ସମସ୍ତେ ଟିକା ଗ୍ରହଣ କରିବେ ସେଥିପାଇଁ ନିଆଗଲା ବଡ ନିଷ୍ପତି। ଆଜି ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ବିଶ୍ବର ବିଭିନ୍ନ କଂପାନୀଠାରୁ କୋଭିଡ ଟିକା ଆମଦାନୀ ପାଇଁ ଏକ ବିଶ୍ବ ସ୍ତରୀୟ ଟେଣ୍ଡର କରାଯିବ।

ବିଭିନ୍ନ କଂପାନୀଠାରୁ ମୂଲ୍ୟ ସଂଗ୍ରହ କରାଯାଇ ଏହି ଟିକା କିଣାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତି  ନିଆଯାଇଛି। ଏହି ଟେଣ୍ଡର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ବିଶେଷଜ୍ଞ କମିଟ ଗଠନ କରାଯିବ। ସେହି କମିଟର ତତ୍ବାବଧାନରେ କେଉଁ କଂପାନୀରୁ କିପରି ଟିକା କିଣାଯିବ ତାହା ନିଷ୍ପତି କରିବେ। ନିକଟରେ ଏହିପରି ପଦକ୍ଷେପ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଟିକା ନିହାତି ଆବଶ୍ୟକତା ରହିଛି। ଯେଉଁମାନେ ଟିକା ନେଉଛନ୍ତି ସେମାନେ କମ ଆକ୍ରାନ୍ତ ହେଉଛନ୍ତି।  ସେମାନେ ଜଟିଳ ସମସ୍ୟାର ସମ୍ମୁଖୀନ ହେଉ ନାହିଁନ୍ତି। ଇସ୍ରାଇଲରେ ଟିକାକରଣ ପରେ ସେଠାରୁ କରୋନା ଦୂରେଇ ଯାଇଛି। ସେଥିପାଇଁ ରାଜ୍ୟ ସରକାର ଟିକାକରଣକୁ ପ୍ରାଥମିତା ଦାୟିତ୍ବ ଭାବେ ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ଟିକା ପ୍ରଦାନ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ କହିଛନ୍ତି।

ସେହିପରି ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ବୋଲି ନବୀନ କହିଛନ୍ତି। ସମସ୍ତଙ୍କୁ ଟିକାକରଣ ନେଇ କ୍ୟାବିନେଟରେ ଏକ ସଂକଳ୍ପ ନିଆଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ୍ୟ  ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳ କୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ ।

ଏହି ବୈଠକରେ ପ୍ରଥମେ କୋଭିଡ଼୧୯ ମହାମାରୀ ବିରୁଦ୍ଧରେ କୋଭିଡ଼ ଯୋଦ୍ଧା ମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି ରାଜ୍ୟ କ୍ୟାବିନେଟରେ ଉଚ୍ଚ ପ୍ରଶଂସା କରାଯାଇଛି। କୋଭିଡ଼ ବିରୁଦ୍ଧରେ ଚାଲିଥିବା ଲଢ଼େଇ ରେ ରାଜ୍ୟ ସରକାର ନେଇ ଥିବା ବିଭିନ୍ନ ପଦକ୍ଷେପ ଯଥା testing, tracing, vaccination, lockdown ଇତ୍ୟାଦି ରେ ଓଡ଼ିଶା ବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟ ବାସୀଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଭିଡକୁ ନେଇ ବାଣପୁର ମେଡିକାଲରେ ଉତ୍ତେଜନା: ଆଜିଠୁ ଚାରି ଗୋଟି କେନ୍ଦ୍ରରେ ମିଳିବ କୋଭିଡ ଟୀକା

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ୮ ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିନ୍ତୁ ବରିଷ୍ଠ ନାଗରିକମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ନେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆଜି ମେଡ଼ିକାଲ ପରିସରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲୋକମାନେ ବହୁ ଦୂର ଦୁରାନ୍ତରରୁ ବଡ଼ି ଭୋରରୁ ଆସି ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା। ମେଡ଼ିକାଲ ପରିସରରେ ବସିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନଥିବାରୁ ଖରାରେ ବରିଷ୍ଠ ନାଗରିକମାନଙ୍କୁ ଦୀର୍ଘ ସମୟ ଧରି ଟୀକା ନେବା ପାଇଁ ଠିଆ ହୋଇ ରହିବାକୁ ପଡୁଛି। ତେବେ ଏ ବିଷୟ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ସମଗ୍ର ବାଣପୁର ବ୍ଲକର ବରିଷ୍ଠ ନାଗରିକ ମାନଙ୍କ ଟୀକାକାରଣ କେବଳ ବାଣପୁର ମେଡିକାଲରେ ହେଉଥିବାରୁ ଏପରି ଭିଡ଼ ହେଉଛି ବୋଲି କହିଛନ୍ତି।

ଅନ୍ୟପକ୍ଷେ ଗୋଟେ ଦିନରେ ୧୦୦ ଜଣଙ୍କୁ ଟୀକା ଦିଆଯିବାର ବ୍ୟବସ୍ଥା ହୋଇଥିବାବେଳେ ସେହି ଅନୁପାତରେ ଜନସଂଖ୍ୟା ବହୁତ ଅଧିକ ରହୁଛି। ଟୀକାକାରଣ ପ୍ରକ୍ରିୟା ସକାଳ ୯ ଘଟିକାରୁ ଆରମ୍ଭ ହେଉଥିବାବେଳେ ଅକାରଣରେ ଲୋକାମାନେ ସକାଳ ୫ ଟା ରୁ ଆସି ଭିଡ଼ ଜମାଉଛନ୍ତି ଯାହାଦ୍ୱାରା ଭିଡ଼ ବଢୁଛି। ଯେଉଁମାନେ ଅନଲାଇନ ପଞ୍ଜିକରଣ କରୁଛନ୍ତି ସେମାନଙ୍କୁ ନିର୍ଦ୍ଧିଷ୍ଟ ସମୟର ସ୍ଲଟ ଅନୁଯାୟୀ ମେଡ଼ିକାଲକୁ ଆସିବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ ଘଟୁଛି।

ଆଜିର ଭିଡକୁ ଦୃଷ୍ଟିରେ ରଖି ବାଣପୁର ପୋଲିସ ଏବଂ ମେଡ଼ିକାଲ କର୍ତ୍ତୃପକ୍ଷ ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ରହି ଟୀକାକାରଣ ପ୍ରକ୍ରିୟା ଚାଲୁ ରଖିଛନ୍ତି। ତେବେ ଟୀକାକରଣ ପ୍ରକ୍ରିୟାକୁ ଶୀଘ୍ର କରିବା ଏବଂ ଭିଡ଼ କମାଇବା ନିମନ୍ତେ ଆଜିଠାରୁ ବାଣପୁରରେ ଚାରି ଗୋଟି ସ୍ଥାନରେ ଏକକାଳୀନ ଭାବେ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଆଜିଠାରୁ ସୁନାଖଳା, ଗମ୍ଭାରୀମୁଣ୍ଡା, ନୀଳାଦ୍ରିପ୍ରସାଦ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଲୋକେ ଟୀକା ନେଇପାରିବେ। ବରିଷ୍ଠ ନାଗରିକମାନେ ନିଜର ନିକଟସ୍ଥ ଟୀକା କେନ୍ଦ୍ରକୁ ଯାଇ ଟୀକା ନେବାକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ଅନୁରୋଧ କରିଛନ୍ତି।

ସେହିପରି ଭାବେ ସମସ୍ତ ଚାରି ଗୋଟି କେନ୍ଦ୍ରରେ ଯେପରି ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ ସମୟରେ କୌଣସି ଅସୁବିଧା ନହୁଏ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୋମବାରରେ ତିରିଶ ହଜାର ସ୍ବାସ୍ଥ୍ୟ କର୍ମୀ ନେଲେ ଟୀକା, ସମସ୍ତଙ୍କୁ ଟୀକା ନେବା ପାଇଁ କରାଗଲା ଅନୁରୋଧ

ଭୁବନେଶ୍ୱର, ରବିବାର ଦିନର ବିରତି ପରେ ସୋମବାର ଦ୍ୱିତୀୟ ଦିନରେ କୋଭିଡ୍‌ ଟୀକାକରଣ ଆରମ୍ଭ ହୋଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାକୁ ସେମାନଙ୍କର ମାଇକ୍ରୋ- ପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା, ଯାହାଫଳରେ ପୂର୍ବରୁ ତାଲିକାଭୁକ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କ ଟୀକାକରଣକୁ ଅନ୍ତର୍ଭୁକ୍ତ କରାଯିବ । ସେହି ଅନୁଯାୟୀ ସେମାନେ ସେମାନଙ୍କର ମାଇକ୍ରୋ ପ୍ଲାନ୍‌ ଦାଖଲ କରିଛନ୍ତି ।

ଟୀକାକରଣ  ପାଇଁ ମେଡିକାଲ୍‌ କଲେଜ ଏବଂ ବଡ଼ ବେସରକାରୀ ଡାକ୍ତରଖାନାରେ ୫ଟି କେନ୍ଦ୍ର , ଜିଲ୍ଲା ସଦର ମହକୁମା ହସ୍‌ପିଟାଲ୍‌ରେ ଗୋଟିଏରୁ ଦୁଇଟି କେନ୍ଦ୍ର, ଉପଖଣ୍ଡ ହସ୍‌ପିଟାଲ୍‌ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଓ୍ୱାର୍ଡରେ ଆଜିଠାରୁ ଜାନୁଆରୀ ସୁଦ୍ଧା ଶେଷ କରିବାକୁ ଯୋଜନା କରାଯାଇଛି । ସମସ୍ତ ବର୍ଗର କର୍ମଚାରୀ ଏହି ସବୁ କେନ୍ଦ୍ରରେ ଅନ୍ତର୍ଭୁକ୍ତ ହେବାକୁ ଯୋଜନା କରାଯାଇଛି ।  ପ୍ରଥମ ଦିବସରେ ୧୬୧ଟି କେନ୍ଦ୍ର କରାଯାଇଥିଲା, ଯେଉଁଥିରେ ୧୩,୯୮୦ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟୀକା ଦିଆଯାଇଥିଲା।

ସୋମବାର ଦିନ ସମୁଦାୟ ୩୮୦ଟି କେନ୍ଦ୍ର ଯୋଜନା କରାଯାଇଥିଲା ଏବଂ ଟୀକାକରଣ ସୁରୁଖୁରୁରେ ଚାଲିଛି । ସନ୍ଧ୍ୟା ୬ଟା  ପର୍ଯ୍ୟନ୍ତ ୩୦,୧୬୧ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀ ହିତାଧିକାରୀଙ୍କୁ ଟୀକାକରଣ କରାଯାଇଛି, ଯାହା ତାଲିକାଭୁକ୍ତ ମୋଟ ହିତାଧିକାରୀଙ୍କର ୯୫ ପ୍ରତିଶତ ଅଟେ । ୨୫ ଜାନୁଆରୀ ୨୦୨୧ ସୁଦ୍ଧା ପଂଜୀକରଣ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସାମାନ୍ୟ ଧରଣର ପାଶ୍ୱ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଛି । ହିତାଧିକାରୀ ବର୍ତ୍ତମାନ ଭଲ ଅଛନ୍ତି ।

ଆଜି ୫୦ ହଜାର  ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ ବୋଲି ଲକ୍ଷ ରଖାଯାଇଛି । ଯେହେତୁ ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପୂର୍ଣ୍ଣ ଟୀକାକରଣ ପାଇଁ ରାଜ୍ୟରେ ଖୁବ୍‌ ଶୀଘ୍ର  ପର୍ଯ୍ୟାପ୍ତ ଟୀକା ଉପଲବ୍ଧ ହେବ, ସେଥି ପାଇଁ ହିତାଧିକାରୀମାନଙ୍କୁ ଟୀକାକରଣ  ପାଇଁ ଆସିବାକୁ ପୁନର୍ବାର ଅନୁରୋଧ କରାଯାଇଛି । ଯେହେତୁ ଏହା ଏକ ସ୍ବେଚ୍ଛାକୃତ ଟୀକାକରଣ କାର୍ଯ୍ୟକ୍ରମ, ସେହି ହିତାଧିକାରୀମାନେ ଯେଉଁମାନେ ଇଚ୍ଛାକୃତ ଭାବରେ ଟୀକାକରଣକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ମାଗଣା କୋଭିଡ୍‌ ଟୀକାକରଣ ପାଇଁ ସୁଯୋଗ ପାଇବେ ନାହିଁ ବୋଲି ସୂଚନା ଦିଆଯାଇଛି।