ସୋମବାରରେ ତିରିଶ ହଜାର ସ୍ବାସ୍ଥ୍ୟ କର୍ମୀ ନେଲେ ଟୀକା, ସମସ୍ତଙ୍କୁ ଟୀକା ନେବା ପାଇଁ କରାଗଲା ଅନୁରୋଧ

Published: Jan 19, 2021, 7:06 am IST

ଭୁବନେଶ୍ୱର, ରବିବାର ଦିନର ବିରତି ପରେ ସୋମବାର ଦ୍ୱିତୀୟ ଦିନରେ କୋଭିଡ୍‌ ଟୀକାକରଣ ଆରମ୍ଭ ହୋଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାକୁ ସେମାନଙ୍କର ମାଇକ୍ରୋ- ପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା, ଯାହାଫଳରେ ପୂର୍ବରୁ ତାଲିକାଭୁକ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କ ଟୀକାକରଣକୁ ଅନ୍ତର୍ଭୁକ୍ତ କରାଯିବ । ସେହି ଅନୁଯାୟୀ ସେମାନେ ସେମାନଙ୍କର ମାଇକ୍ରୋ ପ୍ଲାନ୍‌ ଦାଖଲ କରିଛନ୍ତି ।

ଟୀକାକରଣ  ପାଇଁ ମେଡିକାଲ୍‌ କଲେଜ ଏବଂ ବଡ଼ ବେସରକାରୀ ଡାକ୍ତରଖାନାରେ ୫ଟି କେନ୍ଦ୍ର , ଜିଲ୍ଲା ସଦର ମହକୁମା ହସ୍‌ପିଟାଲ୍‌ରେ ଗୋଟିଏରୁ ଦୁଇଟି କେନ୍ଦ୍ର, ଉପଖଣ୍ଡ ହସ୍‌ପିଟାଲ୍‌ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଓ୍ୱାର୍ଡରେ ଆଜିଠାରୁ ଜାନୁଆରୀ ସୁଦ୍ଧା ଶେଷ କରିବାକୁ ଯୋଜନା କରାଯାଇଛି । ସମସ୍ତ ବର୍ଗର କର୍ମଚାରୀ ଏହି ସବୁ କେନ୍ଦ୍ରରେ ଅନ୍ତର୍ଭୁକ୍ତ ହେବାକୁ ଯୋଜନା କରାଯାଇଛି ।  ପ୍ରଥମ ଦିବସରେ ୧୬୧ଟି କେନ୍ଦ୍ର କରାଯାଇଥିଲା, ଯେଉଁଥିରେ ୧୩,୯୮୦ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟୀକା ଦିଆଯାଇଥିଲା।

ସୋମବାର ଦିନ ସମୁଦାୟ ୩୮୦ଟି କେନ୍ଦ୍ର ଯୋଜନା କରାଯାଇଥିଲା ଏବଂ ଟୀକାକରଣ ସୁରୁଖୁରୁରେ ଚାଲିଛି । ସନ୍ଧ୍ୟା ୬ଟା  ପର୍ଯ୍ୟନ୍ତ ୩୦,୧୬୧ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀ ହିତାଧିକାରୀଙ୍କୁ ଟୀକାକରଣ କରାଯାଇଛି, ଯାହା ତାଲିକାଭୁକ୍ତ ମୋଟ ହିତାଧିକାରୀଙ୍କର ୯୫ ପ୍ରତିଶତ ଅଟେ । ୨୫ ଜାନୁଆରୀ ୨୦୨୧ ସୁଦ୍ଧା ପଂଜୀକରଣ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସାମାନ୍ୟ ଧରଣର ପାଶ୍ୱ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଛି । ହିତାଧିକାରୀ ବର୍ତ୍ତମାନ ଭଲ ଅଛନ୍ତି ।

ଆଜି ୫୦ ହଜାର  ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ ବୋଲି ଲକ୍ଷ ରଖାଯାଇଛି । ଯେହେତୁ ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପୂର୍ଣ୍ଣ ଟୀକାକରଣ ପାଇଁ ରାଜ୍ୟରେ ଖୁବ୍‌ ଶୀଘ୍ର  ପର୍ଯ୍ୟାପ୍ତ ଟୀକା ଉପଲବ୍ଧ ହେବ, ସେଥି ପାଇଁ ହିତାଧିକାରୀମାନଙ୍କୁ ଟୀକାକରଣ  ପାଇଁ ଆସିବାକୁ ପୁନର୍ବାର ଅନୁରୋଧ କରାଯାଇଛି । ଯେହେତୁ ଏହା ଏକ ସ୍ବେଚ୍ଛାକୃତ ଟୀକାକରଣ କାର୍ଯ୍ୟକ୍ରମ, ସେହି ହିତାଧିକାରୀମାନେ ଯେଉଁମାନେ ଇଚ୍ଛାକୃତ ଭାବରେ ଟୀକାକରଣକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ମାଗଣା କୋଭିଡ୍‌ ଟୀକାକରଣ ପାଇଁ ସୁଯୋଗ ପାଇବେ ନାହିଁ ବୋଲି ସୂଚନା ଦିଆଯାଇଛି।

Related posts