Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଣ୍ଟି-ଭାଇରାଲ ଔଷଧ ସହିତ ଦେଶକୁ ମିଳିଲା ଆଉ ଦୁଇଟି କରୋନା ଟୀକା

ନୂଆଦିଲ୍ଲୀ: କରୋନା ସହିତ ଯୁଦ୍ଧ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଉ ଦୁଇଟି ଟିକା ଅନୁମୋଦନ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଗୁଡ଼ିକ ହେଉଛି ଦୁଇଟି ଟିକା – CORBEVAX ଏବଂ COVOVAX। CORBEVAX ଏବଂ COVOVAX ବ୍ୟତୀତ ଏକ ଆଣ୍ଟି-ଭାଇରାଲ୍ ଔଷଧ Molnupiraviକୁ ମଧ୍ୟ ଅନୁମୋଦନ କରାଯାଇଛି। Molnupiravi ଏକ ଆଣ୍ଟି-ଭାଇରାଲ ଔଷଧ, ଯାହା ବର୍ତ୍ତମାନ ଦେଶର 13 ଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେବ। ଜରୁରୀକାଳୀନ ପରିସ୍ଥିତିରେ ଏହା ବୟସ୍କ କୋଭିଡ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

୫ ରୁ ୧୧ ବର୍ଷ ବର୍ଗର ପିଲାମାନଙ୍କ ପାଇଁ ଆସିବ କରୋନା ଟିକା!: ଅନୁମୋଦନ ମାଗିଲା ଏହି କମ୍ପାନୀ

ନୂଆଦିଲ୍ଲୀ: ୫ ରୁ ୧୧ ବର୍ଷ ବର୍ଗର ପିଲାମାନଙ୍କ ପାଇଁ  କରୋନା ଟୀକା ଜରୁରୀକାଳିନ ବ୍ୟବହାର ଲାଗି ଅନୁମୋଦନ ମଗାଯାଇଛି। ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ ପିଫାଇଜର ଏବଂ ବାୟୋଟେକ୍ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ଔଷଧ ନିୟନ୍ତ୍ରକ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଠାରୁ ଅନୁମତି ମାଗିଛି। ଯଦି ଅନୁମତି ମିଳେ, ତେବେ ଆମେରିକାର ପ୍ରାୟ ୨ କୋଟି ୮୦ ଲକ୍ଷ ପିଲା ଏହି ଟିକାରୁ ସୁରକ୍ଷା ପାଇପାରିବେ।

ଫାଇଜର କହିଛି ଯେ, ଅନୁମୋଦନ ପାଇଁ ଉପଯୁକ୍ତ ତଥ୍ୟ ଏଫଡିଏ ରେ ଦାଖଲ କରାଯାଇଛି। ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଅନୁରୋଧ କ୍ରମେ ଅକ୍ଟୋବର ୨୬ ତାରିଖରେ ଏଫଡିଏ ଏକ ବୈଠକ ଧାର୍ଯ୍ୟ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟୀକାକରଣ କରାଯିବା ଲକ୍ଷ୍ୟ: ଆଇସିଏମଆର ଡିଜି

ନୂଆଦିଲ୍ଲୀ: କରୋନା ଟୀକା ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟୀକା ମିଳିବା ନେଇ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିଶ୍ଵରେ ଟୀକା ଉତ୍ପାଦନ କରୁଥିବା ୫ ଟି ଦେଶ ମଧ୍ୟରେ ଭାରତ ଗୋଟିଏ ଦେଶ। ଭାରତରେ ଟୀକା ଉତ୍ପାଦନ ହେଉଥିବାରୁ ଟୀକା ଉପଲବ୍ଧ ହେବାରେ ଅସୁବିଧା ରହିବ ନାହିଁ। ଜୁଲାଇ ଏବଂ ଅଗଷ୍ଟ ମାସ ବେଳକୁ ଦେଶରେ ପ୍ରଚୁର ପରିମାଣର ଟୀକା ଉତ୍ପାଦନ ହେଉଥିବ। ଭାରତ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ। ତେଣୁ ସମସ୍ତଙ୍କୁ ଟୀକା ଦେବାକୁ ସମୟ ଲାଗିବ। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମସ୍ତଙ୍କୁ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଟୀକାକରଣକୁ ନେଇ ଆଇସିଏମଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟୀକା ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ଆସିଲେ ବିଭିନ୍ନ ବର୍ଗର କର୍ମଚାରୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଟୀକା ପାଇଁ ସମ୍ମୁଖ ଯୋଦ୍ଧା ଭାବେ ରାଜ୍ୟରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ କରାଯାଇଛି। ବନ ଅଧିକାରୀ, ଫରେଷ୍ଟ ଗାର୍ଡ, ବ୍ୟାଙ୍କ କର୍ମଚାରୀ, ବୀମା କମ୍ପାନୀ କର୍ମଚାରୀ, ଏଟିଏମ ଦାୟିତ୍ଵରେ ଥିବା କର୍ମଚାରୀ, ଫିଲିଂ ଷ୍ଟେସନ, କଷ୍ଟମର କେୟାର କର୍ମଚାରୀ, ରେଲୱେ କର୍ମଚାରୀ, ଅମ୍ଳଜାନ ପ୍ଳାଣ୍ଟ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ, ୧୦୮ ହେଲ୍ପ ଲାଇନ ନମ୍ବର କର୍ମଚାରୀ ଏବଂ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଟୀକା ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଏବଂ ପୌରାଞ୍ଚଳ କମିଶନରଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତରେ ୧୧ ଏପ୍ରିଲ ସୁଦ୍ଧା ଖରାପ ହୋଇଛି ୨୩ ପ୍ରତିଶତ ଟୀକା: ଜାଣନ୍ତୁ ଓଡିଶାରେ କେତେ ରହିଛି ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଟୀକାର ଅଭାବ ହୋଇଥିବା ବହୁ ରାଜ୍ୟ ଅଭିଯୋଗ କରିଛି। ହେଲେ ଦେଶରେ ଏପ୍ରିଲ ୧୧ ତାରିଖ ଯାଏଁ ବ୍ୟବହାର ହୋଇଥିବା ମୋଟ ଟୀକା ମଧ୍ୟରୁ ୨୩ ପ୍ରତିଶତ ଟୀକା ଡୋଜ ନଷ୍ଟ ହୋଇଛି। ଆରଟିଆଇ ମାଧ୍ୟମରୁ ଏଭଳି ଏକ ସୂଚନା ସାମ୍ନାକୁ ଆସିଛି। ଆରଟିଆଇ ଦ୍ଵାରା ସୂଚନା ମିଳିଛି କି, ଏପ୍ରିଲ ୧୧ ତାରିଖ ପର୍ୟ୍ଯନ୍ତ ଦେଶରେ ବ୍ୟବହାର ହୋଇଥିବା ମୋଟ ୧୦ କୋଟି ୩୪ ଲକ୍ଷ ଟୀକା ମଧ୍ୟରୁ ୪୪ ଲକ୍ଷ ୭୮ ହଜାରରୁ ଉର୍ଦ୍ଧ୍ଵ ଟୀକା ଡୋଜ ଖରାପ ହୋଇଛି।

ସର୍ବାଧିକ ରାଜସ୍ଥାନରେ ୬ ଲକ୍ଷ ୧୦ ହଜାର ୫୫୧ ଟୀକା ଡୋଜ ନଷ୍ଟ ହୋଇଥିବା ବେଳେ ତାମିଲନାଡୁରେ ୫ ଲକ୍ଷ ୪ ହଜାର ୭୨୪, ଉତ୍ତରପ୍ରଦେଶରେ ୪ ଲକ୍ଷ ୯୯ ହଜାର ୧୧୫, ମହାରାଷ୍ଟ୍ରରେ ୩ ଲକ୍ଷ ୫୬ ହଜାର ୭୨୫ ଡ଼ୋଜ ଖରାପ ହୋଇଛି। ସେହିଭଳି ଓଡିଶାରେ ୧ ଲକ୍ଷ ୪୧ ହଜାର ୮୧୧ ଟୀକା ଡ଼ୋଜ ଖରାପ ହୋଇଥିବା ଆରଟିଆଇରୁ ସୂଚନା ମିଳିଛି।

 ଜାଣନ୍ତୁ କେଉଁ ରାଜ୍ୟରେ କେତେ ଡୋଜ ହୋଇଛି ଖରାପ:

୧- ରାଜସ୍ଥାନ– ୬ ଲକ୍ଷ ୧୦ ହଜାର ୫୫୧

୨- ତାମିଲନାଡୁ– ୫ ଲକ୍ଷ ୪ ହଜାର ୭୨୪

୩- ଉତ୍ତରପ୍ରଦେଶ– ୪ ଲକ୍ଷ ୯୯ ହଜାର ୧୧୫

୪- ମହାରାଷ୍ଟ୍ର– ୩ ଲକ୍ଷ ୫୬ ହଜାର ୭୨୫

୫- ଗୁଜୁରାଟ– ୩ ଲକ୍ଷ ୫୬ ହଜାର

୬- ବିହାର– ୩ ଲକ୍ଷ ୩୭ ହଜାର ୭୬୯

୭- ହରିୟଣା– ୨ ଲକ୍ଷ ୪୬ ହଜାର ୪୬୨

୮- କର୍ଣ୍ଣାଟକ– ୨ ଲକ୍ଷ ୧୪ ହଜାର ୮୪୨

୯- ତେଲେଙ୍ଗନା- ୧ ଲକ୍ଷ ୬୮ ହଜାର ୩୦୨

୧୦- ପଞ୍ଜାବ- ୧ ଲକ୍ଷ ୫୬ ହଜାର ୪୨୩

୧୧- ଛତିଶଗଡ- ୧ ଲକ୍ଷ ୪୫ ହଜାର

୧୨- ଓଡିଶା– ୧ ଲକ୍ଷ ୪୧ ହଜାର ୮୧୧

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ମିଳିବ କରୋନା ଟୀକା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ମେ’ ୧ ତାରିଖରୁ ୧୮ ବର୍ଷର ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କରୋନା ଟୀକା ମିଳିବ। ଏଥର ରାଜ୍ୟ ସରକାର ସିଧା ସଳଖ ଟୀକା ପାଇପାରିବେ। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟୀକା ଦେବା ସହିତ ବାକି ୫୦ ପ୍ରତିଶତ ଟୀକା ରାଜ୍ୟକୁ ଦେଇପାରିବେ।

ରାଜ୍ୟକୁ ଟୀକା ଯୋଗାଣ ନେଇ ଟୀକାର ମୂଲ୍ୟ ଉତ୍ପାଦକମାନେ ପ୍ରକାଶ କରିବେ। ରାଜ୍ୟ ସରକାର, ଶିଳ୍ପସଂସ୍ଥା, ଘରୋଇ ହସ୍ପିଟାଲଗୁଡିକ ସିଧାସଳଖ ଉତ୍ପାଦକଙ୍କ ଠାରୁ ଟୀକା କିଣିପାରିବେ। ନିର୍ଦ୍ଧାରିତ ଦର ଦେଇ ରାଜ୍ୟ ସରକାର ଏବଂ ଶିଳ୍ପସଂସ୍ଥାଗୁଡିକ ଟୀକା କିଣିପାରିବେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଟୀକା ନେବା ପରେ ମଧ୍ୟ କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ନଗମା

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ନଗମା ଗତକାଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ପୃଥକବାସରେ ରହୁଛନ୍ତି। ହେଲେ ସେ କରୋନା ଟୀକା ନେବା ପରେ ଆକ୍ରାନ୍ତ ହୋଇଥିବା ଖବର ନିଜେ ସୂଚନା ଦେଇଛନ୍ତି। ନଗମା ଏପ୍ରିଲ ୨ ତାରିଖରେ କରୋନା ଟୀକାର ପ୍ରଥମ ଡୋଜ ନେଇଥିଲେ।

ତେଣୁ ଟୀକା ନେବା ପରେ ମଧ୍ୟ ସତର୍କ ରହିବାକୁ ତାଙ୍କ ପ୍ରଶଂସକମାନଙ୍କୁ ସେ ଅନୁରୋଧ କରିଛନ୍ତି। ନଗମା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟୀକା ନେବେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି: ଏପ୍ରିଲ ୧ ରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ବର: ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି କରୋନା ଟୀକା ନେବେ। ସେଥିପାଇଁ ନିଜ ନାମକୁ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ। ଆସନ୍ତା ୧ ତାରିଖ ଠାରୁ ଟୀକା ନେବା ପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ପଞ୍ଜୀକରଣ କରିପାରିବେ। ଜାନୁୟାରୀ ୧ ତାରିଖ ୧୯୭୭ ପୂର୍ବରୁ ଜନ୍ମ ହୋଇଥିବା ବ୍ୟକ୍ତି ପଞ୍ଜୀକରଣ କରିବା ପାଇଁ ସୂଚନା ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୧ ରୁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କ ବ୍ୟକ୍ତିମାନେ ନେବେ କରୋନା ଟୀକା: ପ୍ରକାଶ ଜାଭେଦକର

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କ ବ୍ୟକ୍ତିମାନେ କରୋନା ଟୀକା ନେଇପାରିବେ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି। ଏଥିପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କଙ୍କୁ ପଞ୍ଜୀକରଣ କରିବା ପାଇଁ ସେ ନିବେଦନ କରିଛନ୍ତି।

ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସେ କହିଛନ୍ତି ଯେ, ଯେଉଁ ରାଜ୍ୟରେ କରୋନା ମାମଲା ଅଧିକ ଆସୁଛି, ସେହି ରାଜ୍ୟ ଉପରେ କେନ୍ଦ୍ର ସମ୍ପର୍କରେ ଅଛି। ଖୁବଶୀଘ୍ର ଏହାର ସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ଜାଭେଦକର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଟୀକାର ଦ୍ଵିତୀୟ ଡୋଜ ପରେ ମଧ୍ୟ ଆକ୍ରାନ୍ତ ହେଲେ ନର୍ସ: ଜାଣନ୍ତୁ ଏହାକୁ ନେଇ ସେ କ’ଣ କହିଲେ

ନୂଆଦିଲ୍ଲୀ: ଦୁଇଟି ଡ଼ୋଜ କରୋନା ଟୀକା ନେବା ପରେ ମଧ୍ୟ ଜଣେ ନର୍ସ ସଂକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସରକାରୀ ହସ୍ପିଟାଲର ନର୍ସ ଜଣଙ୍କ ପ୍ରଥମ ଡ଼ୋଜ ୧୮ ଜାନୁୟାରୀକୁ ନେଇଥିଲେ ଏବଂ ଦ୍ଵିତୀୟ ଡ଼ୋଜ ୧୭ ଫେବୃୟାରୀକୁ ନେଇଥିଲେ।

ତେବେ ଆଜି ଯେତେବେଳେ ସେ ହସ୍ପିଟାଲରେ କାମ କରୁଥିଲେ, ସେତେବେଳ ତାଙ୍କ ଶରୀରରେ ପୀଡା ଅନୁଭବ ହୋଇଥିଲା। ତେଣୁ ସେ କରୋନାର ଆଣ୍ଟିଜେନ ଟେଷ୍ଟ କରିଥିଲେ, ଯାହା ତାଙ୍କର ପଜିଟିଭ ଆସିଥିଲା।

କେନ୍ଦ୍ର ସରକାର ଗାଇଡ ଲାଇନ ଅନୁସାରେ, ଦ୍ଵିତୀୟ ଡୋଜ ନେବାର ୧୪ ଦିନ ପରେ ଟୀକା ନେଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ମିଳିଥାଏ। କିନ୍ତୁ ସେ ଦ୍ଵିତୀୟ ଡୋଜ ନେବାର ଏକ ମାସ ବିତିଯାଇଥିଲେ ମଧ୍ୟ କରୋନାରେ ସଂକ୍ରମଣ ହୋଇଛନ୍ତି। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଅଛନ୍ତି।

ହେଲେ ଆକ୍ରାନ୍ତ ହେବା ପରେ ନର୍ସଜଣଙ୍କ କହିଛନ୍ତି ଯେ, ଏଥିରେ କିଛି ଅସୁବିଧା ନାହିଁ। ଟୀକା ଲୋକଙ୍କୁ ୭୦ ପ୍ରତିଶତ ସୁରକ୍ଷା ଦେଇଥାଏ ଏବଂ ୩୦ ପ୍ରତିଶତ ସଂକ୍ରମଣ ହେବାର ସମ୍ଭାବନା ଥାଏ। ତେଣୁ ଟୀକା ନେବା ପରେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ଉପରେ ଲୋକଙ୍କୁ ଧ୍ୟାନ ରଖିବା ଆବଶ୍ୟକ ବୋଲି ନର୍ସ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୋମବାରରେ ତିରିଶ ହଜାର ସ୍ବାସ୍ଥ୍ୟ କର୍ମୀ ନେଲେ ଟୀକା, ସମସ୍ତଙ୍କୁ ଟୀକା ନେବା ପାଇଁ କରାଗଲା ଅନୁରୋଧ

ଭୁବନେଶ୍ୱର, ରବିବାର ଦିନର ବିରତି ପରେ ସୋମବାର ଦ୍ୱିତୀୟ ଦିନରେ କୋଭିଡ୍‌ ଟୀକାକରଣ ଆରମ୍ଭ ହୋଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାକୁ ସେମାନଙ୍କର ମାଇକ୍ରୋ- ପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା, ଯାହାଫଳରେ ପୂର୍ବରୁ ତାଲିକାଭୁକ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କ ଟୀକାକରଣକୁ ଅନ୍ତର୍ଭୁକ୍ତ କରାଯିବ । ସେହି ଅନୁଯାୟୀ ସେମାନେ ସେମାନଙ୍କର ମାଇକ୍ରୋ ପ୍ଲାନ୍‌ ଦାଖଲ କରିଛନ୍ତି ।

ଟୀକାକରଣ  ପାଇଁ ମେଡିକାଲ୍‌ କଲେଜ ଏବଂ ବଡ଼ ବେସରକାରୀ ଡାକ୍ତରଖାନାରେ ୫ଟି କେନ୍ଦ୍ର , ଜିଲ୍ଲା ସଦର ମହକୁମା ହସ୍‌ପିଟାଲ୍‌ରେ ଗୋଟିଏରୁ ଦୁଇଟି କେନ୍ଦ୍ର, ଉପଖଣ୍ଡ ହସ୍‌ପିଟାଲ୍‌ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଓ୍ୱାର୍ଡରେ ଆଜିଠାରୁ ଜାନୁଆରୀ ସୁଦ୍ଧା ଶେଷ କରିବାକୁ ଯୋଜନା କରାଯାଇଛି । ସମସ୍ତ ବର୍ଗର କର୍ମଚାରୀ ଏହି ସବୁ କେନ୍ଦ୍ରରେ ଅନ୍ତର୍ଭୁକ୍ତ ହେବାକୁ ଯୋଜନା କରାଯାଇଛି ।  ପ୍ରଥମ ଦିବସରେ ୧୬୧ଟି କେନ୍ଦ୍ର କରାଯାଇଥିଲା, ଯେଉଁଥିରେ ୧୩,୯୮୦ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟୀକା ଦିଆଯାଇଥିଲା।

ସୋମବାର ଦିନ ସମୁଦାୟ ୩୮୦ଟି କେନ୍ଦ୍ର ଯୋଜନା କରାଯାଇଥିଲା ଏବଂ ଟୀକାକରଣ ସୁରୁଖୁରୁରେ ଚାଲିଛି । ସନ୍ଧ୍ୟା ୬ଟା  ପର୍ଯ୍ୟନ୍ତ ୩୦,୧୬୧ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀ ହିତାଧିକାରୀଙ୍କୁ ଟୀକାକରଣ କରାଯାଇଛି, ଯାହା ତାଲିକାଭୁକ୍ତ ମୋଟ ହିତାଧିକାରୀଙ୍କର ୯୫ ପ୍ରତିଶତ ଅଟେ । ୨୫ ଜାନୁଆରୀ ୨୦୨୧ ସୁଦ୍ଧା ପଂଜୀକରଣ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସାମାନ୍ୟ ଧରଣର ପାଶ୍ୱ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଛି । ହିତାଧିକାରୀ ବର୍ତ୍ତମାନ ଭଲ ଅଛନ୍ତି ।

ଆଜି ୫୦ ହଜାର  ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ ବୋଲି ଲକ୍ଷ ରଖାଯାଇଛି । ଯେହେତୁ ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପୂର୍ଣ୍ଣ ଟୀକାକରଣ ପାଇଁ ରାଜ୍ୟରେ ଖୁବ୍‌ ଶୀଘ୍ର  ପର୍ଯ୍ୟାପ୍ତ ଟୀକା ଉପଲବ୍ଧ ହେବ, ସେଥି ପାଇଁ ହିତାଧିକାରୀମାନଙ୍କୁ ଟୀକାକରଣ  ପାଇଁ ଆସିବାକୁ ପୁନର୍ବାର ଅନୁରୋଧ କରାଯାଇଛି । ଯେହେତୁ ଏହା ଏକ ସ୍ବେଚ୍ଛାକୃତ ଟୀକାକରଣ କାର୍ଯ୍ୟକ୍ରମ, ସେହି ହିତାଧିକାରୀମାନେ ଯେଉଁମାନେ ଇଚ୍ଛାକୃତ ଭାବରେ ଟୀକାକରଣକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ମାଗଣା କୋଭିଡ୍‌ ଟୀକାକରଣ ପାଇଁ ସୁଯୋଗ ପାଇବେ ନାହିଁ ବୋଲି ସୂଚନା ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଆରମ୍ଭ ହେଲା କରୋନା ଟୀକାକରଣ, ଟୀକା ନେବା ପରେ କଣ କହିଲେ ଶୁଣନ୍ତୁ

ଭୁବନେଶ୍ବର, ଓଡିଶାରେ କରୋନା ଟୀକାକରଣ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ସଚିବଙ୍କ ଉପସ୍ଥିତିରେ କ୍ୟାପିଟାଲ ହସପିଟାଲରେ ଏହାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଟୀକା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ ଡ.ଲକ୍ଷ୍ମୀଧର ସାହୁ ଟୀକା ନେଇଥିଲେ। ଟୀକା ପରେ ଉଭୟଙ୍କୁ କିଛି ସମୟ ପାଇଁ ଅବଜରଭେସନରେ ରଖାଯାଇଥିଲା।

ଏହାପରେ ନିର୍ଦ୍ଦେଶକ ବାହାରକୁ ଆସି ନିଜର ଅନୁଭବ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ସାଧାରଣ ଇଂଜେକସନ ନେଲେ ଯେପରି ଅନୁଭବ ହୁଏ ସେହିପରି ଲାଗିଲା। ଏଥିରେ କୌଣସି ନୂତନତ୍ବ ନାହିଁ। ଏହାପରେ କିଛି କଣ ହେବ ବୋଲି ଅବଜରଭେସନରେ ରଖାଯାଇଥିଲା। ହେଲେ ସେମିତି କିଛି ସାଇଡ ଇଫେକ୍ଟ ହେଲା ନାହିଁ। ବର୍ତ୍ତମାନ ସାଧାରଣ  ପରି ଲାଗୁଛି।

ସେ କହିଥିଲେ ଯେ, ଆମେ ଯେହେତୁ ଡାକ୍ତରୀ ସେବାରେ ଅଛୁ, ଆମେ ଜାଣିଛୁ ଯେ, ଏହି ଟୀକା କିପରି ପ୍ରସ୍ତୁତ ହୋଇଛି। ସେ ସଂପର୍କରେ ଆମେ ଅବଗତ ଅଛୁ। ତେଣୁ ଆମେ ନିଶ୍ଚିତ ହେଲୁ ଯେ, ଏହି ଟୀକା ନେବାରେ କିଛି ଅସୁବିଧା ନାହିଁ। ଏଥିସହିତ ସମସ୍ତଙ୍କୁ ଆମେ ଆହ୍ବାନ କରୁଛୁ ଯେ, ସମସ୍ତେ ଟୀକା ନିଅନ୍ତୁ। କରୋନା ମହାମାରୀକୁ ବିଶ୍ବରୁ ହଟାଇ ଦିଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ଏମସର ନିର୍ଦ୍ଦେଶକ ନେଲେ କରୋନା ଟୀକା, ସମସ୍ତଙ୍କୁ ଟୀକା ନେବାକୁ ଦେଲେ ଉପଦେଶ

ନୂଆଦିଲ୍ଲୀ, ଆଜି ସାରା ଭାରତରେ ଆରମ୍ଭ ହୋଇଛି କୋଭିଡ ଟୀକାକରଣ। ପ୍ରଥମେ ନୂଆଦିଲ୍ଲୀରେ ଏହି ଟୀକକରଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଏହି ବଡ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ପ୍ରଥମେ ନୂଆଦିଲ୍ଲୀର ଏମସରେ ଏହି ଟୀକା କରଣ କରାଯାଇଛି। ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏହି ଟୀକା ପ୍ରଦାନ କରାଯାଇଥିଲା। ସ୍ବାସ୍ଥ୍ୟ କର୍ମିମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୀ ତଥ୍ୟ ସଂଗ୍ରହ କରିବା ପରେ ଟୀକା ପ୍ରଦାନ କରିଥିଲେ। ପାଖରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହଷବର୍ଦ୍ଧନ।

ଏହାପରେ ଦ୍ବିତୀୟ ଟୀକା ଗ୍ରହଣ କରିଥିଲେ ଏମସରେ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ। ତାଙ୍କୁ ଏମସର ସ୍ବାସ୍ଥ୍ୟ କର୍ମି ତାଙ୍କ ଦେହରେ ଏହି ଟୀକାକରଣ କରିଥିଲେ। ଟୀକାକରଣ ପରେ ସେମାନଙ୍କୁ କିଛି ସମୟ ପାଇଁ ଅବଜରଭେସନରେ ରଖାଯାଇଥିଲା। ବାହାରକୁ ଆସିବା ପରେ ଲୋକମାନେ ସମସ୍ତେ ଟୀକା ନେବାକୁ ଆହ୍ବାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୁସି ଖବର, ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା, ୧୬ ତାରିଖରେ ଟୀକାକରଣ

ଭୁବନେଶ୍ବର: ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଶେଷରେ ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା। ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି। ସିଧା ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍‌ରୁ ନୂଆଦିଲ୍ଲୀ ବିମାନ ବନ୍ଦର ଦେଇ କୋଭିସିଲ୍ଡ ଟିକା ଭୁବନେଶ୍ବରରେ ପହଞ୍ଚିଛି। ମେଡିକାଲ ସୁରକ୍ଷା ବଳୟ ମଧ୍ୟରେ ଏହି ଟିକା ରାଜ୍ୟ ଔଷଧ ନିଗମକୁ ନିଆଯାଇଛି। ଆସନ୍ତ ୧୬ ତାରିଖରେ ଟିକାକରଣ କରାଯିବ। ପୁଣି ଦ୍ବୀତିୟ ପର୍ଯ୍ୟାୟ ଟୀକା ଖୁବ ଶିଘ୍ର ଆସିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତା ୧୬ ତାରିଖରୁ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମୀଙ୍କୁ ଦିଆଯିବ କରୋନା ଟୀକା, ଜାଣନ୍ତୁ କିପରି

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ର ସ୍ଥିତି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟୀକାକରଣର ପ୍ରସ୍ତୁତି ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍‍ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ବିସ୍ତୃତ ସମୀକ୍ଷା ପରେ ସ୍ଥିର ହୋଇଥିଲା ଯେ ଆଗକୁ ପଡୁଥିବା ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପର୍ବାଣୀକୁ ଦୃଷ୍ଟିରେ ରଖି ଜାନୁଆରୀ ୧୬ରୁ କୋଭିଡ-୧୯ ଟୀକାଦାନ ଆରମ୍ଭ ହେବ ।

କୋଭିଡ ପରିଚାଳନା ଓ ଏ ସଂକ୍ରାନ୍ତ ଅନ୍ୟାନ୍ୟ ପ୍ରସଙ୍ଗର ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ସୁରକ୍ଷା ଓ ପ୍ରତିରୋଧକଶକ୍ତି ପ୍ରମାଣିତ କରିଥିବା ଦୁଇଟି ଟୀକା କୋଭିସିଲ୍ଡ ଏବଂ କୋଭାକ୍ସିନ ର ଜରୁରୀକାଳୀନ ବ୍ୟବହାର କିମ୍ବା ତ୍ୱରିତ ଅନୁମୋଦନ ଲାଗି ଜାତୀୟ ନିୟନ୍ତ୍ରକ ମଞ୍ଜୁର କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ମିଳିତ ସହଯୋଗରେ ନିକଟ ଭବିଷ୍ୟତରେ ଟୀକାକରଣ ସଂକ୍ରାନ୍ତରେ କେନ୍ଦ୍ରର ପ୍ରସ୍ତୁତି ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଟୀକାକରଣ ନେଇ ଚାଲିଥିବା ଏହି ପ୍ରସ୍ତୁତି କାର‌୍ୟ୍ୟକ୍ରମକୁ ଜନ ଭାଗିଦାରୀ ନୀତି; ନିର୍ବାଚନ ଅଭିଜ୍ଞତାର ବ୍ୟବହାର (ବୁଥ୍‍ସ୍ତରୀୟ ରଣନୀତି) ଏବଂ ସାର୍ବଜନୀନ ଟୀକାକରଣ କାର‌୍ୟ୍ୟକ୍ରମ (ୟୁଆଇପି) ଅଭିଜ୍ଞତାକୁ ଉପଯୋଗ କରାଯାଇ କାର‌୍ୟ୍ୟକାରୀ କରାଯିବ। ବର୍ତ୍ତମାନ ଜାରି ରହିଥିବା ସ୍ୱାସ୍ଥ୍ୟସେବା ବିଶେଷକରି ଜାତୀୟ କାର‌୍ୟ୍ୟକ୍ରମ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ କୌଣସି ବୁଝାମଣା ହେବନାହିଁ। ବୈଜ୍ଞାନିକ ଏବଂ ନିୟାମକ ମାନଦଣ୍ଡ, ଅନ୍ୟ ଏସ୍‍ଓପି ଉପରେ କୌଣସି ବୁଝାମଣା ହେବନାହିଁ। ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଏକ ବ୍ୟବସ୍ଥିତ ସହଜ ସିଦ୍ଧାନ୍ତ ଉପରେ ଏହାକୁ କାର‌୍ୟ୍ୟକାରୀ କରାଯିବ।

କୋଭିଡ଼ ୧୯ ଟୀକାକରଣ ଅଭିଯାନରେ ପାଖାପାଖି ୩ କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା, ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ଏବଂ ଅନ୍ୟ ରୋଗରେ ପୀଡ଼ିତ ୫୦ ବର୍ଷରୁ କମ ବୟସ୍କର ଜନସଂଖ୍ୟାଙ୍କୁ ମିଶାଇ ମୋଟ ୨୭ କୋଟି ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସାମିଲ କରାଯିବ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କୋ-ୱିନ ଟୀକା ବିତରଣ ପରିଚାଳନା ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଯାଇଥିଲା । ଏହି ଅଭିନବ ଡିଜିଟାଲ ପ୍ଲାଟଫର୍ମ ଟୀକା ମହଜୁଦର ବାସ୍ତବ ସମୟ ସୂଚନା, ଗଚ୍ଛିତ ଟୀକାର ତାପମାତ୍ରା ଏବଂ କୋଭିଡ-୧୯ ଟୀକା ନେଉଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ଟ୍ରାକିଂ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିବ ।

ପୂର୍ବରୁ ପଞ୍ଜିକୃତ ହୋଇଥିବା ହିତାଧିକାରୀ, ସେମାନଙ୍କର ଯାଞ୍ଚ ଏବଂ ଟୀକାକରଣ ସଫଳ ହେବାପରେ ଡିଜିଟାଲ ପ୍ରମାଣପତ୍ର ବାହାର କରିବା ଲାଗି ଅଟୋମେଟିକ ଅଧିବେଶନ ଆବଣ୍ଟନ ଜରିଆରେ ସମସ୍ତ ସ୍ତରରେ ଯୋଜନା ପରିଚାଳକମାନଙ୍କୁ ସହାୟତା କରିବ। ଏହି ପ୍ଲାଟଫର୍ମରେ ୭୯ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକୃତ ହୋଇ ସାରିଛନ୍ତି ।

ଟୀକାଦାନ ପ୍ରସ୍ତୁତି କାର‌୍ୟ୍ୟକ୍ରମରେ ଟୀକାକରଣକାରୀ ଏବଂ ଟୀକା ପରିଚାଳକମାନେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦିଆଯାଇଥିଲା । ଜାତୀୟ ସ୍ତରର ପ୍ରଶିକ୍ଷକ ପ୍ରଶିକ୍ଷଣ ସମୟରେ ୨୩୬୦ ଅଂଶଗ୍ରହଣକାରୀଙ୍କୁ ତାଲିମ ଦିଆଯାଇଥିଲା। ଯେଉଁଥିରେ ରାଜ୍ୟ ଟୀକାକରଣ ଅଧିକାରୀ, କୋଲ୍ଡ ଚେନ୍‍ ଅଧିକାରୀ, ଆଇଇସି ଅଧିକାରୀ, ଉନ୍ନୟନ ସହଯୋଗୀ ଆଦି ରହିଥିଲେ । ୬୧ହଜାରରୁ ଅଧିକ ଯୋଜନା ପରିଚାଳକ, ୨ଲକ୍ଷ ଟୀକାକରଣକାରୀ ଏବଂ ୩.୭ଲକ୍ଷ ଅନ୍ୟ ଟୀକାକରଣ ଦଳର ସଦସ୍ୟଙ୍କୁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ସମଗ୍ର ଦେଶରେ ଜାରି ରହିଥିବା ତିନି ପର‌୍ୟ୍ୟାୟ ଡ୍ରାଏ ରନ୍‍ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଗତକାଲି ଅନୁଷ୍ଠିତ ତୃତୀୟ ପର‌୍ୟ୍ୟାୟ ଡ୍ରାଏ ରନ୍‍ ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ୬୧୫ଟି ଜିଲ୍ଲାରେ ୪୮୯୫ ଅଧିବେଶନ ସ୍ଥଳୀ ପରିଚାଳିତ ହୋଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କରୋନା ଟିକା ବାହାରିଲା, ହେଲେ ଏହା ପୂର୍ବରୁ କଣ କରାଯାଇଥିଲା ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ, କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍‍ସିଓ)ର ବିଷୟ ବିଶେଷଜ୍ଞ କମିଟିର ବୈଠକ ୨୦୨୧ ଜାନୁୟାରୀ ୧ ଓ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେରମ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‍ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରୋନା ୧୯ ଭୂତାଣୁ ନିରୋଧୀ ଟିକାର ନିୟନ୍ତ୍ରିତ ଜରୁରୀ ବ୍ୟବହାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହାଛଡା ଏହି ବୈଠକରେ କାଡିଲା ହେଲ୍‍ଥ କେୟାର ସଂସ୍ଥା ଦ୍ୱାରା ନିର୍ମିତ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ମଧ୍ୟ ଅନୁମତି ମିଳିଛି । ଏହି ବିଶେଷଜ୍ଞ କମିଟିରେ ଛାତିରୋଗ, ରୋଗ ପ୍ରତିରୋଧ ବିଜ୍ଞାନ,  ଅଣୁଜୀବ ବିଜ୍ଞାନ,  ଔଷଧ ବିଜ୍ଞାନ,  ଶିଶୁରୋଗ ବିଜ୍ଞାନ ଏବଂ ଆନ୍ତରିକ ଭେଷଜ ଚିକିତ୍ସା ବିଜ୍ଞାନ  ବିଭାଗର ବିଶେଷଜ୍ଞମାନେ ସଦସ୍ୟ ଅଛନ୍ତି।

ପୁଣେଠାରେ ଥିବା ସେରମ ପ୍ରତିଷ୍ଠାନ ପକ୍ଷରୁ ରିକମ୍ବିନାଣ୍ଟ ସିମ୍ପାଞ୍ଜି  ଆଡେନୋଭାଇରସ୍‍ ଭେକ୍ଟର ଭେକ୍ସିନ ବା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସାର୍ସ-କୋଭ-ଟୁ ସ୍ପାଇକ୍‍ର ଏନ୍‍କୋଡିଂ ଓ ଗ୍ଲାଇକୋ ପ୍ରୋଟିନ ଠାବ  କରାଯାଇଛି । ଷ୍ଟ୍ରାଜେନେକା/ଅକ୍ସଫୋର୍ଡ ୟୁନିଭର୍ସିଟିରୁ ବୈଷୟିକ ଜ୍ଞାନକୌଶଳ ଆଣି ଏହି ଟିକା ତିଆରି ହୋଇଛି । ଏହି ଫାର୍ମ ପକ୍ଷରୁ ଟିକାର ନିରାପଦ ଦିଗ, ରୋଗ ପ୍ରତିରୋଧକ କ୍ଷମତା ଏବଂ ଦକ୍ଷତାର ତଥ୍ୟାବଳୀ ମଧ୍ୟ ପ୍ରଦାନ କରାଯାଇଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ୪୩୭୪୫ ଲୋକଙ୍କ ଉପରେ ଟିକାର ପରୀକ୍ଷା ମୂଳକ ପ୍ରୟୋଗ ପରେ ସେସବୁ ତଥ୍ୟାବଳୀର ଅନୁଶୀଳନ ଓ ଅନୁଧ୍ୟାନ ଦରିଆପାରି ଦେଶଗୁଡିକରେ କରାଯାଇଛି ।

ଏହି ଟିକାର ସାମଗ୍ରିକ ଦକ୍ଷତା ଓ ପ୍ରଭାବ ପ୍ରାୟ ୭୦.୪୨ ଶତାଂଶ ଥିବା ପରୀକ୍ଷାରୁ ପ୍ରମାଣିତ ହୋଇଛି । ଆହୁରି ମଧ୍ୟ ସେରମ୍‍ ସଂସ୍ଥାକୁ ଭାରତରେ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ଏବଂ ସେଥିରେ ୧୬୦୦ ଲୋକଙ୍କ ଉପରେ ଏହାର ପରୀକ୍ଷା ମୂଳକ ପ୍ରୟୋଗ କରାଯାଇ ସେ ସବୁର ତଥ୍ୟାବଳୀ ଅନୁଧ୍ୟାନ କରାଯାଇଛି । ଫାର୍ମ ପକ୍ଷରୁ ମଧ୍ୟ ଟିକାର ଅନ୍ତରୀଣ ନିରାପଦ ଦିଗ ଏବଂ ରୋଗ ପ୍ରତିଷେଧକ ତଥ୍ୟାବଳୀ ଉପସ୍ଥାପିତ କରାଯାଇଛି । ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ସଂଗୃହୀତ ଏହି ତଥ୍ୟାବଳୀ ବିଦେଶରେ ହେଉଥିବା ତଥ୍ୟାବଳୀ ସହ ପ୍ରାୟ  ସମାନ ରହିଛି ।

ଏହିସବୁ ତଥ୍ୟ ଉପରେ ବିଷୟ ବିଶେଷଜ୍ଞ କମିଟି ସବିଶେଷ ଆଲୋଚନା ଓ  ପର୍ଯ୍ୟାଲୋଚନା କରିବା ପରେ ଜରୁରୀକାଳୀନ ଆବଶ୍ୟକତା ପାଇଁ ଏହି ଟିକାର ସୀମିତ ବ୍ୟବହାର ନିମନ୍ତେ ଅନୁମତି ଦେବାକୁ ସୁପାରିସ କରିଛି। ଏଥିରେ ସ୍ପଷ୍ଟ କରି ଦିଆଯାଇଛି  ଯେ ଏହି ଟିକା ପ୍ରଦାନ ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରେ କରାଯିବ। ଆହୁରି  ମଧ୍ୟ ଦେଶରେ ଏହି କଂପାନୀ ଦ୍ୱାରା ଯେଉଁ କ୍ଲିନିକାଲ ଟ୍ରାଏଲ ଚାଲିଛି ତାହା ମଧ୍ୟ  ଜାରି ରହିବ।

ସେହିଭଳି ଭାରତ ବାୟୋଟେକ୍‍ ସଂସ୍ଥା ଏକ ପୂର୍ଣ୍ଣାଙ୍ଗ ଭାଇରିୟନ ଇନ୍‍ଆକ୍ଟିଭେଟେଡ କରୋନା ଭାଇରସ୍‍ ଭେକ୍ସିନ ବା କୋଭାକ୍ସିନ ପ୍ରସ୍ତୁତ କରିଛି। ଆଇସିଏମ୍‍ଆର ଓ ଏନ୍‍ଆଇଭି,ପୁଣେ ର ସହଯୋଗରେ ଏହି ଟିକା ପ୍ରସ୍ତୁତ ହୋଇଛି । ଏନ୍‍ଆଇଭି ପୁଣେରୁ ଏହି ଟିକା ପାଇଁ ଭୂତାଣୁର ମଞ୍ଜି ବା ସିଡ୍‍ସ ଷ୍ଟ୍ରେନ ସଂଗୃହୀତ ହୋଇଛି । ଭେରୋସେଲ୍‍ ପ୍ଲାଟଫର୍ମରେ ଏହି ଟିକା ତିଆରି କରାଯାଇଛି। ଯାହାର ନିରାପଦ ଦିଗ,  ଦକ୍ଷତା ଓ ସଫଳତା ରେକର୍ଡ ବେଶ୍‍ ଭଲ । ଉଭୟ ଦେଶ ଓ ବିଦେଶରେ ଏହାର ସୁନାମ ରହିଛି ।

ଭାରତ ବାୟୋଟେକ୍‍ ଏହି ଟିକାକୁ ମୂଷା, ବିଭିନ୍ନ ପ୍ରକାର ମୂଷିକ ଜାତୀୟ  ଜୀବ, ଠେକୁଆ, କେତେକ ବାନର ଜାତୀୟ ପ୍ରାଣୀଙ୍କ ଉପରେ ପରୀକ୍ଷା କରିଛି । ସେହି  ପରୀକ୍ଷାର ଫଳାଫଳ ଓ ତଥ୍ୟକୁ ସଂସ୍ଥା ଦ୍ୱାରା ଉପସ୍ଥାପନ କରାଯାଇଥିଲା। କଂପାନୀ ପକ୍ଷରୁ ଏହି ସବୁ ତଥ୍ୟାବଳୀକୁ ସିଡିଏସ୍‍ସିଓକୁ ଅବଗତ କରାଯାଇଛି।ଏହି ଟିକାର ପ୍ରଥମ  ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ବା କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ଏଥିରୁ ପ୍ରାୟ ୮୦୦ ପ୍ରକାର ତଥ୍ୟାବଳୀ ଓ ଫଳାଫଳରୁ ଜଣାପଡିଛି ଯେ ଏହି ଟିକା ଅତ୍ୟନ୍ତ ନିରାପଦ ଏବଂ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ବେଶ୍‍ ସମର୍ଥ ।

ସେହିଭଳି ଏହାର ତୃତୀୟ ପର୍ଯ୍ୟାୟ ସଫଳତା ଓ ଦକ୍ଷତା ପରୀକ୍ଷା ଭାରତରେ କରାଯାଇ ଥିଲା। ୨୫୮୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରାୟ ୨୨୫୦୦ଙ୍କୁ ଟିକା ପ୍ରଦାନ କରାଯାଇଛି । ସେମାନଙ୍କଠାରୁ ମିଳିଥିବା ତଥ୍ୟାବଳୀ ଅନୁସାରେ ଏହି ଟିକା ନିରାପଦ ବୋଲି ଜଣାପଡିଛି । ବିଷୟ ବିଶେଷଜ୍ଞ କମିଟି ବା ଏସ୍‍ଇସି ଏହି ଟିକାର ପରୀକ୍ଷାମୂଳକ ବ୍ୟବହାରରୁ ମିଳିଥିବା ତଥ୍ୟରୁ ନିରାପଦ ଦିଗ ଏବଂ ଏହାର ରୋଗ ପ୍ରତିଷେଧକ ଦକ୍ଷତାକୁ ସମୀକ୍ଷା କରିବା ପରେ ଜରୁରୀ କାଳୀନ ପରିସ୍ଥିତିରେ ଏହାକୁ ସୀମିତ ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିସ କରିଛି ।

ଜନସ୍ୱାର୍ଥ ଦୃଷ୍ଟିରୁ ଯଥେଷ୍ଟ ସାବଧାନତାର ସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ ପୂର୍ବକ ଏହି ଟିକା ପ୍ରଦାନ କରିବାକୁ କୁହାଯାଇଛି। ଟିକାର ପରୀକ୍ଷାମୂଳକ ବ୍ୟବହାର ସମୟରେ ଯେପରି ସାବଧାନତା ଅବଲମ୍ବନ କରାଯାଉଥିଲା  ସେହିଭଳି ସତର୍କତା ଅବଲମ୍ବନ କରିବାକୁ କମିଟି କହିଛି । ମ୍ୟୁଟାଣ୍ଟ ଷ୍ଟ୍ରେନ ଦ୍ୱାରା  ସଂକ୍ରମଣ ସ୍ଥିତିରେ ସଂପୃକ୍ତ ବ୍ୟକ୍ତି  ବିଶେଷଙ୍କୁ ଟିକା ନେବାର ଅଧିକ ବିକଳ୍ପ ପାଇଁ ମଧ୍ୟ ସୁପାରିସ କରାଯାଇଛି । ଏହି ଟିକାର ଯେଉଁ ଅଧିକ ପରୀକ୍ଷା ନିରୀକ୍ଷା ଦେଶରେ ଚାଲିଛି ତାହା ଅବ୍ୟାହତ ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ସେରମ୍‍ ଓ ଭାରତ ବାୟୋଟେକ୍‍ ଟିକାକୁ ଦୁଇ ଡୋଜରେ ନେବାକୁ ପଡିବ। ଏ ସମସ୍ତ ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସଂରକ୍ଷିତ କରିବାକୁ ହେବ। ଆବଶ୍ୟକ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ସିଡିଏସ୍‍ସିଓ ବିଷୟ ବିଶେଷଜ୍ଞ କମିଟିର  ସୁପାରିସକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ତଦନୁସାରେ ସେରମ୍‍ ଏବଂ ଭାରତ ବାୟୋଟେକ୍‍ ଟିକାକୁ ଜରୁରୀକାଳୀନ ସ୍ଥିତିରେ ସୀମିତ ବ୍ୟବହାର ପାଇଁ ଅନୁମୋଦନ କରିବା  ସହ କାଡିଲା ହେଲ୍‍ଥ କେୟାର ସଂସ୍ଥାକୁ ତାହାର ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପରିଚାଳନା ନିମନ୍ତେ ଅନୁମତି ପ୍ରଦାନ କରିଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟୀକା ପାଇଁ ଗବେଷଣା ସଂସ୍ଥାକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର, ଭାରତରେ ଦୁଇଟି ସଂସ୍ଥାର କରୋନା ଟୀକା ବ୍ୟବହାର କରିବା ପାଇଁ ଜରୁରୀକାଳିନ ଅନୁମତି ପ୍ରଦାନ କରାଯାଇଛି। ସେହି ସଂସ୍ଥା ଦୁଇଟି ହେଲେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବୟୋଟେକ୍‌। ସେରମ ସଂସ୍ଥାର କୋଭାକ୍ସିନ ଏବଂ ଭାରତ ବାୟୋଟେକର କୋଭାସିଲ୍ଡ ଟୀକା ବାହାର କରିଛନ୍ତି।

ସଂପୂର୍ଣ୍ଣ ଦେଶୀ ଢାଞ୍ଚାରେ ଏହି ଟୀକା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଏହା ହେଉଛି ଏକ ବଡ ସଫଳତା। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟ ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଘଡିସନ୍ଧି ମୂହୁର୍ତ୍ତରେ ଏହି ଦୁଇ ସଂସ୍ଥାର ପରିଶ୍ରମର ଫଳ ମିଳିଛି। ସେଥିପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଡ ଖବର: ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଦୁଇଟି କୋରନା ଟୀକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଶେଷରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି ସୋମାନୀ ଘୋଷଣା କରିଛନ୍ତି। ଏହି ଦୁଇଟି ଟୀକା ହେଲା କୋଭାକ୍ସିନ ଏବଂ କୋଭାସିଲ୍ଡ। ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍‌ର କୋଭାକ୍ସିନ ବାହାର କରିଛନ୍ତି। ଏହି ଦୁଇ ପ୍ରକାରର ଟୀକ ଲୋକଙ୍କୁ ଦୁଇଟି ଡୋଜ ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଖୁସି ଖବର, ଭାରତ ଲୋକଙ୍କୁ ଦିଆଯିବ କରୋନା ଟୀକା, ସରକାରଙ୍କୁ ଆବେଦନ କଲା ଔଷଧ କଂପାନୀ

ନୂଆଦିଲ୍ଲୀ, ଧୀରେ ଧୀରେ କରୋନା ଭାଇରସ ଟୀକାର ପାଖାପାଖି ହେଲାଣି ଗବେଷକ ସଂସ୍ଥା। ବର୍ତ୍ତମାନ ଭାରତରେ ଏହି ଟୀକା ଦେବା ପାଇଁ ଆମେରିକୀୟ ଔଷଧ କଂପାନୀ ‘ଫାଇଜର’ ଆବେଦନ କରିଛି। ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ ନିକଟରେ କଂପାନୀ ଆବେଦନ କରିଛି। କଂପାନୀ କହିଛି ଯେ. ଭାରତରେ ଏହି ଟୀକା ଜରୁରୀକାଳିନ ଭିତ୍ତିରେ ପ୍ରଦାନ କରିବା ପାଇଁ ଅନୁମତି ଦିଆଯାଉ। ଗତ 4 ତାରିଖରେ କଂପାନୀ ଏହି ଆବେଦନ କରିଛି। ଡିସିଜିଆଇ କୁ ଏପରି ଆବେଦନ ପ୍ରଥମ ବୋଲି ଜଣାପଡିଛି।

କଂପାନୀ ଏକ ଚିଠିରେ ଦର୍ଶାଇଛି ଯେ, ଇଂଲଣ୍ଡ୍‌ ଏବଂ ବାହାରିନ୍‌ରେ ଏହି ଟିକା ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ତେଣୁ ଭାରତ ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଦରକାର। ଏଥିସହ ୨୦୧୯ ‘ନିଉ ଡ୍ରଗ୍‌ ଆଣ୍ଡ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ସ୍‌ ରୁଲ୍‌ସ୍‌’ରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଭାରତବାସୀଙ୍କ ଉପରେ ଏହି ଟିକାର କ୍ଲିନିକାଲ ପରୀକ୍ଷଣ ଛାଡ଼ କରିବାକୁ ମଧ୍ୟ ଫାଇଜର୍‌ ଅନୁମତି ଲୋଡ଼ିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଅଗଷ୍ଟ ସୁଦ୍ଧା 30 କୋଟି ଲୋକଙ୍କୁ ଦିଆଯିବ କରୋନା ଟୀକା : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ବବର୍ଦ୍ଧନ

ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ଦେଶରେ କରୋନା ଟିକା ଉପଲବ୍ଧ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । 2021 ମସିହା ଅଗଷ୍ଟ ସୁଦ୍ଧା ଦେଶରେ ଭ୍ୟାକସିନ୍‌ ଉପଲବନ୍ଧ ହେବ ବୋଲି କହିଛନ୍ତି ହର୍ଷବର୍ଦ୍ଧନ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ୟାକ୍‌ସିନ୍‌ ବିକଶିତ ତଥା ନିର୍ମାଣ କରୁଥିବା ତିନି ଟିମ୍‌ଙ୍କସହ ଅନଲାଇନ୍‌ ବୈଠକ କରିଛନ୍ତି । ଶନିବାର ଦିନ ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଯାତ୍ରା କରି କରୋନା ଟୀକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ବର୍ତ୍ତମାନ ଭାରତରେ 100ଟି କମ୍ପାନୀ ଟିକା ନିର୍ମାଣ ଦୌଡରେ ଅଛନ୍ତି । ଏହି 100ଟି କମ୍ପାନୀ ମଧ୍ୟରୁ 30ଟି ଭାରତୀୟ କମ୍ପାନୀ ରହିଛି । 30 ଭାରତୀୟ କମ୍ପାନୀ ମଧ୍ୟରୁ 5ଟି ବିଭିନ୍ନ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲରେ ରହିଛନ୍ତି । ଦୁଇଟି କମ୍ପାନୀର ଟିକା ପରୀକ୍ଷଣ ଆଡଭାନ୍ସଡ ଷ୍ଟେଜରେ ରହିତିୁବା ବେଳେ ପ୍ରି କ୍ଲିନିକାଲ ଷ୍ଟେଜରେ ରହିଛି ଦୁଇଟି କମ୍ପାନୀ । ଏହି ସମସ୍ତ ସ୍ଥିତି୍କୁ ଦେଖିଲେ ଆସନ୍ତା କିଛି ମାସ ମଧ୍ୟରେ ଭାରତୀୟ କମ୍ପାନୀର ଟିକା ବଜାରରେ ଉପଲବ୍ଧ ହେବ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ଏକାଥରକେ ୧୩୫ କୋଟି ଲୋକଙ୍କ ଟିକାକରଣ କଷ୍ଟସାଧ୍ୟ ବ୍ୟାପାର । ତେବେ ଜୁନ- ଜୁଲାଇ ସୁଦ୍ଧା 30 କୋଟି ଲୋକଙ୍କର ଟୀକାକରଣ କରାଯିବ ବୋଲି ହଷବର୍ଦ୍ଧନ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କରୋନା ଟୀକା ପ୍ରଦାନ ପାଇଁ ପ୍ରସ୍ତୁତି, ପ୍ରଥମେ କାହାକୁ ଦିଆଯିବ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ବର, କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା  ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏ କ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍‌ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟୀକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ଆଜି କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟୀକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ ।ତେଣୁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତ ଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଆମେରିକା ଓ ପଶ୍ଚିମ ଇଉରୋପୀୟ ଦେଶ ଏବଂ ଆମର ନୂଆଦିଲ୍ଲୀରେ ଯେଭଳି କୋଭିଡ ର ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଛି, ତାକୁ ଦୃଷ୍ଟିରେ ରଖି ଆମେ ସତର୍କତାକୁ ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗୋଟିଏ ମାସ ଭିତରେ ଆମେରିକାରେ ସଂକ୍ରମଣ ତିନି ଗୁଣ ବଢିବା ରୋଗର ଗୁରୁତର ଦିଗ ପ୍ରତି ସୂଚୀତ କରୁଛି । ତେଣୁ ଆମକୁ ଶୀତ ଋତୁ ପାଇଁ ସତର୍କ ରହିବା ସହିତ କୋଭିଡ ହସ୍‌ପିଟାଲର ICU ଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ ରଖାଯାଇଛି ବୋଲି କହିଥିଲେ ।

ଆମର  ଆଗୁଆ ଯୋଜନା, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ଏବଂ ବିଭିନ୍ନ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଫଳପ୍ରଦ ତଦାରଖ  ଜରିଆରେ ଆମେ ଯେପରି ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଲେ, ଟୀକାକରଣ ପାଇଁ ମଧ୍ୟ ଏବେଠାରୁ ସେହି ଅନୁଭବକୁ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି ଲୋକଙ୍କ ଜୀବନ ଜୀବିକା ଯେପରି ବ୍ୟାହତ ନ ହୁଏ, ସେ ଦିଗ ପ୍ରତି ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ ଏବଂ ଏହାର ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।