ଓଡିଶାରେ କରୋନା ଟୀକା ପ୍ରଦାନ ପାଇଁ ପ୍ରସ୍ତୁତି, ପ୍ରଥମେ କାହାକୁ ଦିଆଯିବ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

Published: Nov 18, 2020, 11:34 pm IST

ଭୁବନେଶ୍ବର, କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା  ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏ କ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍‌ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟୀକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ଆଜି କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟୀକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ ।ତେଣୁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତ ଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଆମେରିକା ଓ ପଶ୍ଚିମ ଇଉରୋପୀୟ ଦେଶ ଏବଂ ଆମର ନୂଆଦିଲ୍ଲୀରେ ଯେଭଳି କୋଭିଡ ର ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଛି, ତାକୁ ଦୃଷ୍ଟିରେ ରଖି ଆମେ ସତର୍କତାକୁ ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗୋଟିଏ ମାସ ଭିତରେ ଆମେରିକାରେ ସଂକ୍ରମଣ ତିନି ଗୁଣ ବଢିବା ରୋଗର ଗୁରୁତର ଦିଗ ପ୍ରତି ସୂଚୀତ କରୁଛି । ତେଣୁ ଆମକୁ ଶୀତ ଋତୁ ପାଇଁ ସତର୍କ ରହିବା ସହିତ କୋଭିଡ ହସ୍‌ପିଟାଲର ICU ଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ ରଖାଯାଇଛି ବୋଲି କହିଥିଲେ ।

ଆମର  ଆଗୁଆ ଯୋଜନା, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ଏବଂ ବିଭିନ୍ନ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଫଳପ୍ରଦ ତଦାରଖ  ଜରିଆରେ ଆମେ ଯେପରି ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଲେ, ଟୀକାକରଣ ପାଇଁ ମଧ୍ୟ ଏବେଠାରୁ ସେହି ଅନୁଭବକୁ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି ଲୋକଙ୍କ ଜୀବନ ଜୀବିକା ଯେପରି ବ୍ୟାହତ ନ ହୁଏ, ସେ ଦିଗ ପ୍ରତି ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ ଏବଂ ଏହାର ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

Related posts