କୋଭିଡ ଟୀକାକୁ ନେଇ ଏବେ ବି ରହିଛି ଭ୍ରମ: ସ୍ଵାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁଲେ ଭୟଭୀତ ଲୋକ

Published: May 25, 2021, 5:00 pm IST

ଲକ୍ଷ୍ନୌ: ଦେଶରେ ଅନେକ ରାଜ୍ୟରେ କୋରୋନ ଟୀକାକାରଣକୁ ନେଇ ବଡ ସମସ୍ୟା ଦେଖାଯାଇଛି। କେଉଁଠି ଟୀକାର ଅଭାବ ଯୋଗୁଁ ଟୀକାକରଣରେ ସମସ୍ୟା ଉପୁଜୁଥିବା ବେଳେ କେଉଁଠି ଟୀକା ନେବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବର୍ତ୍ତମାନ ଯେଉଁ ସ୍ଥାନରେ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ସେଠାରେ ଟୀକାର ଅଭାବ ଦେଖାଦେଉଛି। କରୋନା ସଂକ୍ରମଣକୁ ଦେଖି ଲୋକେ ଟୀକା ନେବା ପାଇଁ ବ୍ୟସ୍ତ ହେଉଥିବା ବେଳେ କେତେକ ସ୍ଥାନରେ ଏହାର ବିପରୀତ ପରିସ୍ଥିତି ଦେଖିବାକୁ ମିଳିଛି। ପ୍ରଶାସନ ଟୀକା ନେବା ପାଇଁ ଲୋକଙ୍କ ପଛରେ ପଡୁଥିବା ଦେଖାଯାଉଛି।

ସେଇଭଳି କେତେକ ସ୍ଥାନରେ ଲୋକଙ୍କୁ ଟୀକା ଦେବା ପ୍ରଶାସନ ପାଇଁ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି। ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ଏବେ ଏମିତି କିଛି ସମସ୍ୟା ଠିଆ ହୋଇଛି, ଯାହା ପ୍ରଶାସନର ମୁଣ୍ଡା ବିନ୍ଧାର କାରଣ ହୋଇଛି। ଏହି ରାଜ୍ୟର ଗ୍ରାମାଞ୍ଚଳଗୁଡିକରେ ଟୀକା ଉପରେ ଲୋକଙ୍କର ଏବେ ବି ଭ୍ରମ ସୃଷ୍ଟି ହୋଇଛି। ଲୋକେ ଟିକା ନେବା ପାଇଁ ବିଲକୁଲ ଆଗ୍ରହ ପ୍ରକାଶ କରୁନାହାନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ରାଜଧାନୀ ଲକ୍ଷ୍ନୌ ନିକଟସ୍ଥ ମାତ୍ର ୫୦ କିଲୋମିଟର ଦୂରରେ ଥିବା ବାରବାଙ୍କୀ ଜିଲ୍ଲାରେ ୧.୫ ଲକ୍ଷ ଟୀକା ଡୋଜ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଠାରେ ଲକ୍ଷ୍ୟ ଠାରୁ ମାତ୍ର ତିନି ଭାଗରୁ ଏକ ଭାଗ ଲୋକଙ୍କୁ ଟୀକା ଦିଆଯାଇଛି।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ସେହି ଜିଲ୍ଲାର ଏକ ଗାଁରେ ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ ଟୀକା ଦେବା ପାଇଁ ପହଞ୍ଚିଛନ୍ତି। ଲୋକେ ସେମାନଙ୍କୁ ଦେଖି ଦୌଡିବାକୁ ଲାଗିଥିଲେ ଏବଂ ଏପରିକି କିଛି ଲୋକ ନଦୀ ମଧ୍ୟକୁ ଡେଇଁପଡିଥିବା ଭଳି ଘଟଣା ଦେଖିବାକୁ ମିଳିଥିଲା।

ସ୍ୱାସ୍ଥ୍ୟକର୍ମୀ ଯେତେବେଳେ ଏବାବଦରେ ଜାଣିବାକୁ ଚାହିଁଲେ, ସେତେବେଳ ଟୀକା ଭୟରେ ଲୋକ ଦୌଡୁଥିବା ଜାଣିବାକୁ ପାଇଥିଲେ। ଟୀକା ନେଲେ ଲୋକେ ମରିଯାଉଛନ୍ତି ଏବଂ ଏହା ବିଷ ଛୁଞ୍ଚି ବୋଲି କିଛି ଲୋକ ସ୍ଵାସ୍ଥ୍ୟକର୍ମୀଙ୍କୁ କହିଛନ୍ତି। ତେବେ କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ଟୀକା ନେବା ଜରୁରୀ ହୋଇପଡିଥିବା ବେଳେ ଟୀକାକୁ ନେଇ ଲୋକଙ୍କ ମଧ୍ୟରେ ଏଭଳି ଭ୍ରମ ପ୍ରଶାସନକୁ ବିଚଳିତ କରିଛି।

Related posts