
ଭୁବନେଶ୍ୱର: ୭୪ବର୍ଷର ସ୍ୱାଧୀନତା ପରେ ପ୍ରଥମ ବ୍ୟକ୍ତି ଭାବରେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ୨୦୧୮ ମସିହାରେ ଓଡ଼ିଶାରୁ ଭାରତବର୍ଷର ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥିଲେ। କିନ୍ତୁ ଦୁଃଖର କଥା କାଳର କରାଳ ସ୍ରୋତରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ରଘୁନାଥ ମହାପାତ୍ର ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ୩ବର୍ଷ ବାକି ଥାଉ ଥାଉ ଗତମାସରେ ଇହଧାମରୁ ବିଦାୟ ନେଲେ। ତାଙ୍କ ମୃତ୍ୟୁର ଦୁଃଖ ଓଡ଼ିଶାବାସୀଙ୍କ ମନରୁ ନ ଭୁଲୁଣୁ ଭାରତବର୍ଷର ରାଷ୍ଟ୍ରପତି ମହୋଦୟ ତାଙ୍କର ବାକି କାର୍ଯ୍ୟକାଳ ପାଇଁ ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନୀଙ୍କୁ ମନୋନୀତ କରିଛନ୍ତି।
ଶ୍ରୀଯୁକ୍ତ ଜେଠମାଲାନୀ ଜଣେ ଖ୍ୟାତନାମା ଓକିଲ ଏବଂ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିବାରେ ଆମ୍ଭର କୌଣସି ବିଦ୍ୱେଷ ନାହିଁ। କିନ୍ତୁ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶ୍ରୀଯୁକ୍ତ ଜେଠମାଲାନୀଙ୍କୁ ମନୋନୟନ କରିବା ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି। ଏ ରାଜ୍ୟରେ ଶିଳ୍ପ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଶିଳ୍ପୀକଳା ଓ ରାଜନୀତି କ୍ଷେତ୍ରରେ ପ୍ରତିଭାର ଅଭାବ ନାହିଁ। ବହୁ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନଙ୍କୁ ଅବଶିଷ୍ଟ ସମୟ ପାଇଁ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାରୁ ମନୋନୀତ କରିପାରିଥାନ୍ତେ।
କିନ୍ତୁ ଦୁଃଖ ଓ ପରିତାପର କଥା ନିର୍ବାଚନ କମିଶନଙ୍କୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବା ଭାରତୀୟ ଜନତା ପାର୍ଟି ଆଜି ମାନ୍ୟବର ରାଷ୍ଟ୍ରପତିଙ୍କ ଗାରିମାକୁ ମଧ୍ୟ ତାର ସ୍ୱାର୍ଥ ପାଇଁ ବାଜିରେ ଲଗାଇ ମହେଶ ଜେଠମାଲାନୀଙ୍କୁ ରାଜ୍ୟସଭାକୁ ମନୋନୀତି କରିଛି। ଏହା ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ଏକ ଆହ୍ୱାନ। ଦଳମତ ନିର୍ବିଶେଷରେ ସମସ୍ତେ ରାଜ୍ୟର ସ୍ୱାଭିମାନ ପାଇଁ ଏହାକୁ ବିରୋଧ କରିବା ଆବଶ୍ୟକ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
ଭାରତର ରାଷ୍ଟ୍ରପତିଙ୍କ ପାଖକୁ ଆଜି ଏ ସଂକ୍ରାନ୍ତରେ ଏକ ପତ୍ର ଲେଖି ସେ ନିଜର ନାପସନ୍ଦକୁ ଜାହିର କରିବା ସହିତ ଆଗାମୀ ଦିନରେ ଯେଉଁ ଶୂନ୍ୟସ୍ଥାନ ଆସିବ, ସେଥିରେ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାର ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ରାଜ୍ୟର ମାନ୍ୟବର ବିଧାୟକ, ସାଂସଦ ଓ ଅନ୍ୟାନ୍ୟ ବିରୋଧୀ ଦଳ ସମେତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ମନୋନୟନର ପ୍ରତିବାଦ କରିବାକୁ ସେ ନିବେଦନ କରିଛନ୍ତି।