Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟସଭା ପାଇଁ ସୁଧା ମୂର୍ତ୍ତି ମନୋନିତ, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଇନଫୋସିସର ପ୍ରତିଷ୍ଠାତ ନାରାୟଣ ମୂର୍ତ୍ତିଙ୍କ ଧର୍ମପତ୍ନୀ ସୁଧା ମୂର୍ତ୍ତ ଯିବେ ରାଜ୍ୟସଭାଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ମନୋନିତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ମୁଁ ବହୁ ଖୁସି ଯେ, ରାଷ୍ଟ୍ରପତି ଶ୍ରୀମତୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ସଦସ୍ୟା ଭାବେ ମନୋନିତ କରିଛନ୍ତି। ସୁଧାମୂର୍ତ୍ତି ହେଉଛନ୍ତି ଜଣେ ପ୍ରଖ୍ୟାତ ସମାଜସେବୀ। ଶିକ୍ଷାର ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ଅତୂଳନୀୟ। ରାଜ୍ୟସଭାରେ ତାଙ୍କର ଉପସ୍ଥିତି ନାରୀଶକ୍ତିର ବିକାଶ ଉପସ୍ଥାପିତ କରିବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟସଭାରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କୁ ଭେଟିଲେ ଦେବାଶିଷ ଏବଂ ଶୁଭାଶିଷ

ଭୁବନେଶ୍ବର: ଆଜି ରାଜ୍ୟସଭା ଆସନରେ ନିର୍ଦ୍ବନ୍ଦରେ ଜିତିବା ପରେ ଦୁଇ ବିଜେଡି ପ୍ରାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଉଭୟ ନବୀନ ନିବାସ ଯାଇ ସେଠାରେ ନବୀନଙ୍କ ଆର୍ଶିବାଦ ନେଇଛନ୍ତି।

ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହର ଶେଷ ଦିନ ଥିଲା। ତିନୋଟି ଆସନ ପାଇଁ ତିନିଜଣ ପ୍ରାର୍ଥୀଥିବାରୁ ଏବଂ କେହି ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ସମସ୍ତଙ୍କୁ ବିଜୟ ଘୋଷଣା କରାଯାଇଛି। ଏହାପରେ ସମସ୍ତେ ନୂଆଦିଲ୍ଲୀ ଗସ୍ତ କରି ଶପଥ ନେବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ନେତାଙ୍କୁ ଗୁପ୍ତ ନିର୍ଦ୍ଦେଶ, କିଏ କେଉଁଠି କେବେ ବି ନବୀନ କିମ୍ବା ବିଜେଡିକୁ ଧନ୍ୟବାଦ ଦେବ ନାହିଁ

ଭୁବନେଶ୍ବର: ଗତ ତିନିଦିନ ଧରି ରାଜ୍ୟ ବିଜେପି ନେତାଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ତାହା ହେଲା କୌଣସି ନେତା କେଉଁଠାରେ ମଧ୍ୟ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ ନାହିଁ। ବିଶେଷ କରି ଗଣମାଧ୍ୟମକୁ ସମ୍ମୁଖୀନ ହେଉଥିବା ନେତାଙ୍କୁ ଏହି ତାଗିଦ ଜୋର କରାଯାଇଛି।

ଏଥିରେ କୁହାଯାଇଛି ଯେ, ଅଶ୍ବିନୀ ବୈଷ୍ଣବ, ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବେ। ହେଲେ ଏହି ସମର୍ଥନ ନେଇ କେହି ନବୀନ କିମ୍ବ ବିଜେଡିକୁ ଧନ୍ୟବାଦ ଦେବେ ନାହିଁ। ତେବେ ଏହାର କୌଣସି କାରଣ ନ ଥିଲେ ମଧ୍ୟ ବିଜେପି ବର୍ତ୍ତମାନ ଯେପରି କ୍ଷତିର ସମ୍ମୁଖୀନ ହୋଇଛି ଆଉ ଅଧିକା ନ ହେଉ ସେଥିପାଇଁ ଏପରି ତାଗିଦ କରାଯାଇଛି।

ଅଶ୍ବିନୀ ମଙ୍ଗଳବାର ଦିନ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ବିମାନ ବନ୍ଦରରେ ଗଣମାଧ୍ୟମକୁ ସାକ୍ଷାତ କରିଥିଲେ। ସେ ବିଜେଡି ସମର୍ଥନ ବିଷୟରେ କିଛି କହି ନ ଥିଲେ। ହେଲେ ସେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ସେ ରାଜ୍ୟ କାର୍ଯ୍ୟାଳୟକୁ ଆସିବା ପରେ ସବୁ ବିଧାୟକ ଏବଂ ନେତାଙ୍କୁ ମଧ୍ୟ ତାଗିଦ କରିଥିଲେ। କେହି ନବୀନ କିମ୍ବ ବିଜେଡିକୁ ଧନ୍ୟବାଦ ଦେବେ ନାହିଁ।

ବିଜେପି ଭଲ ଭାବରେ ଜାଣିଛି ଯେ, ରାଜ୍ୟସଭାରେ ଜିତିବା ପାଇଁ ସେମାନଙ୍କର ସଂଖ୍ୟା ନାହିଁ। ତଥାପି ଜଣେ ପ୍ରାର୍ଥୀଙ୍କୁ ଛିଡା କରାଇଲେ। ସେପଟେ ବିଜେଡି ମଧ୍ୟ ରାଜ୍ୟର ସ୍ବାର୍ଥ ପାଇଁ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କଲା। ହେଲେ ସୌଜନ୍ୟତା ଦୃଷ୍ଟିରୁ ନା ଅଶ୍ବିନୀ ନା କୌଣସି ବିଜେପି ନେତା ଧନ୍ୟବାଦ ଦେବା ପାଇଁ ମଧ୍ୟ ସଙ୍କୋଚବୋଧ କଲେ।

ତେବେ ଏଥର ନୁହେଁ, ଗତଥର ମଧ୍ୟ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରିଥିଲା। ଯାହାଫଳରେ ସେ ରାଜ୍ୟସଭାକୁ ଯାଇ ଏକ ପାୱାରଫୁଲ ମନ୍ତ୍ରୀ ହୋଇପାରିଲେ। ଆଶ୍ଚର୍ଯ୍ୟର କଥା ସେତେବେଳେ ମଧ୍ୟ ଅଶ୍ବିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିକୁ ଧନ୍ୟବାଦଟିଏ ଦେଇ ନ ଥିଲେ। ସେତେବେଳେ ମଧ୍ୟ ଏହାକୁ ନେଇ ବେଶ ସମାଲୋଚନା କରାଯାଇଥିଲା।

ଧନ୍ୟବାଦ ଦୂରେ ଥାଉ ଅଶ୍ବିନୀ ବୈଷ୍ଣବ ଯେତେବେଳେ ଉପନିର୍ବାଚନ ପ୍ରଚାରରେ ଓଡିଶା ଆସିଲେ ସେତେବେଳେ ସେ ନବୀନଙ୍କ ଏହି ସମର୍ଥନ ବା ସହଯୋଗକୁ ସଂପୂର୍ଣ୍ଣ ଭୂଲିଗଲେ। ସେ ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ସେତେବେଳେ ମଧ୍ୟ ସେ ଭୁଲିଗଲେ ଯେ, ଆଜି କାହାର ସମର୍ଥନରେ ସେ ମନ୍ତ୍ରୀ ହୋଇଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଘୋଷଣା ହେଲା ଅଶ୍ବିନୀ ବୈଷ୍ଣବଙ୍କ ନାମ, ହେବେ ବିଜେପିର ଓଡିଶା ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି। କେନ୍ଦ୍ରୀୟ ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶା ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରୁ ପ୍ରକାଶିତ ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଓଡିଶାରୁ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି।

ପୂର୍ବରୁ ବିଜେଡି ଏହି ଆସନଟି ବୈଷ୍ଣବଙ୍କୁ ଦେବା ପାଇଁ ଖାଲି ରଖିଥିଲା। କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କର ନ ଥିଲା। ଫଳରେ ସମସ୍ତେ ଆଶା କରୁଥିଲେ ଯେ, ବୈଷ୍ଣବ ପୁଣି ଥରେ ଓଡିଶାରୁ ରାଜ୍ୟସଭା ଯିବେ। ସେ ଚର୍ଚ୍ଚା ବର୍ତ୍ତମାନ ସତ ହୋଇଛି। ଆଜି ବୈଷ୍ଣବ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ପ୍ରାର୍ଥୀ ହେବେ ଅଶ୍ବିନୀ ବୈଷ୍ଣବ! ସବୁ ବିଜେପି ବିଧାୟକଙ୍କୁ ରାଜଧାନୀ ଡାକରା

ଭୁବନେଶ୍ବର: ପୁଣି ଥରେ ବିଜେଡି ସମର୍ଥନରେ ରାଜ୍ୟସଭା ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ ହେବାପରି ଲାଗୁଛି। କାରଣ ଆଜି ଭୁବନେଶ୍ବରରେ ପହଞ୍ଚୁଛନ୍ତି ଅଶ୍ବିନୀ ବୈଷ୍ଣବ। ସେହିପରି ଆଜି ଭୁବନେଶ୍ବର ଆସିବାକୁ ସମସ୍ତ ବିଜେପି ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତିନୋଟି ଆସନରୁ ବିଜେଡି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗୋଟିଏ ଆସନରେ କାହାକୁ ପ୍ରାର୍ଥୀ ଦେଇ ନାହିଁ। ସେଥିପାଇଁ ଓଡିଶା ରାଜନୀତିରେ ବିଜେଡି କାହିଁକି ପ୍ରାର୍ଥୀ ଦେଲା ନାହିଁ ବୋଲି ଚର୍ଚ୍ଚା ଚାଲିଛି। ସେହି ଆସନକୁ ବୈଷ୍ଣବଙ୍କୁ ଦେବା ପାଇଁ ରଖାଗଲା ବୋଲି ଆଲୋଚନା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଏ ହେବ ରାଜ୍ୟସଭାର ତୃତୀୟ ପ୍ରାର୍ଥୀ, ଆସନ୍ତାକାଲି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବର୍ତ୍ତମାନ ବିଜେଡି ଦୁଇଜଣଙ୍କ ନାମ ଘୋଷଣା କରିସାରିଛି। ସେମାନେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି। ହେଲେ ତୃତୀୟ ପ୍ରାର୍ଥୀ କିଏ ହେବ ଏ ପର୍ଯ୍ୟନ୍ତ ବିଜେଡି ଘୋଷଣା କରି ନାହିଁ।

ତିନୋଟି ଆସନ ବିଜେଡି ଜିତିବାର କ୍ଷମତା ଥିଲେ ମଧ୍ୟ କଣ ପାଇଁ ଗୋଟିଏ ଆସନ ସସପେନସ ରଖାଗଲା ତାହା ଜଣାପଡି ନାହିଁ।

ଅନ୍ୟପଟେ ଓଡିଶା ଗସ୍ତରେ ବୁଧବାର ଦିନ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କେତେକ ରେଳ ପ୍ରକଳ୍ପର ସମୀକ୍ଷା ସହିତ ଟେଲି ଯୋଗାଯୋଗର ବୈଠକ ଅଛି। ଏଥିସହିତ ସେ ବିଜେପି ପାର୍ଟି ଅଫିସ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ତାଙ୍କର ଏହି ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଦୁଇଦିନ ଓଡିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସଭା ନାମାଙ୍କନ ସମୟ ଦୁଇ ଦିନରେ ଅର୍ଥାତ 15 ତାରିଖରେ ଶେଷ ହେବ।

ତେବେ ପୁଣି ଥରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଅଶ୍ବନୀ ବୈଷ୍ଣବ ଯିବେ ବୋଲି ସମ୍ଭାବନା ଦେଖାଦେଲାଣି।  ତେବେ ସେ ଓଡିଶା ପହଞ୍ଚିବା ପରେ ତାଙ୍କର ପ୍ରତିକ୍ରିୟା କଣ ରଖୁଛନ୍ତି ତାହାକୁ ଅପେକ୍ଷା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କଲେ ଦୁଇ ବିଜେଡି ନେତା, ତଥାପି ସସପେନସରେ ତୃତୀୟ ଆସନ

ଭୁବନେଶ୍ବର: ଆଜି ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଆଜି ଦଳିୟ ନେତାଙ୍କ ଗହଣରେ ବିଧାନସଭା ଯାଇ ଉଭୟ ନାମାଙ୍କନ ଦାଖଲ କରିଛନ୍ତି।

ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ, ପ୍ରତାପ ଜେନା ଏବଂ ଉମା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ବିଜେଡି ତୃତୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କ ନାମ ଘୋଷଣା ହୋଇ ନାହିଁ। ଦୁଇ ଜଣଙ୍କ ନାମ ଘୋଷଣା ହେବା ପରେ କଣ ପାଇଁ ଦଳ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ ସେ ନେଇ ସସପେନସ ଜାରୀ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଜେଲରୁ ବାହାରିଲେ ସଞ୍ଜୟ ସିଂ: ନାମାଙ୍କନ ଦାଖଲ କରିବାକୁ ପୋଲିସ ଭ୍ୟାନରେ ପହଞ୍ଚିଲେ ରାଜ୍ୟସଭା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବାକୁ ଜେଲରୁ ବାହାରିଛନ୍ତି। ସେ ପୋଲିସ୍ ଭ୍ୟାନ୍ ରେ ସିଭିଲ୍ ଲାଇନ୍ ରେ ପହଞ୍ଚି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସଞ୍ଜୟ ସିଂଙ୍କ ବ୍ୟତୀତ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତୀ ମାଲିୱାଲ ମଧ୍ୟ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ AAP ଦିଲ୍ଲୀରୁ ତିନି ଜଣଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁଥିରେ ସଞ୍ଜୟ ସିଂ ଏବଂ ଏନଡି ଗୁପ୍ତାଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି।

ନାମାଙ୍କନପତ୍ର ଦାଖଲ ପାଇଁ ଅନୁମତି ଦିଲ୍ଲୀ କୋର୍ଟରୁ ମିଳିଥିଲା:

ଏହାପୂର୍ବରୁ ଶନିବାର ଦିନ ସଞ୍ଜୟ ସିଂଙ୍କୁ ବ୍ୟକ୍ତିଗତ ଭାବେ ରାଜ୍ୟସଭା ନାମାଙ୍କନ ଦାଖଲ କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମିଳିଥିଲା। ଶୁକ୍ରବାର ଦିନ, ଜେଲ ଅଧୀକ୍ଷକଙ୍କୁ ନିର୍ବାଚନ ସହ ଜଡିତ ଦସ୍ତଖତ, ନାମାଙ୍କନ ଫର୍ମ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜରେ ଦସ୍ତଖତ ଦେବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଞ୍ଜୟ ସିଂ ତିନି ମାସ ଜେଲରେ ଅଛନ୍ତି:

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଏଏପି ନେତା ସଞ୍ଜୟ ସିଂ ଗତ ତିନି ମାସ ଧରି ତିହାର ଜେଲରେ ରହିଛନ୍ତି। ଅକ୍ଟୋବର ୪ ତାରିଖରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ଇଡି ଅଭିଯୋଗ କରିଛି ଯେ, ସଞ୍ଜୟ ସିଂ ଅବକାରୀ ନୀତି ପ୍ରଣୟନ ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି କାରଣରୁ, ମଦ ଉତ୍ପାଦନକାରୀ, ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀମାନେ ଆର୍ଥିକ ଭାବରେ ଉପକୃତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉପରାଷ୍ଟ୍ରପତିଙ୍କୁ କଂଗ୍ରେସ ନେତାଙ୍କ ସମର୍ଥନ: ଟିଏମସି ସାଂସଦଙ୍କ ଭିଡିଓ ଦେଖି କହିଲେ ‘ଦେଶ କ୍ଷମା କରିବ ନାହିଁ’

ନୂଆଦିଲ୍ଲୀ: ଆଜି ସଂସଦରେ ୪୯ ଲୋକସଭା ସାଂସଦଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଧିବେଶନ ପାଇଁ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏହି ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଅଛନ୍ତି। ସାଂସଦଙ୍କ ନିଲମ୍ବନ ପରେ ରାଜନୈତିକ ବାକ୍ୟ ଏବେ ବୃଦ୍ଧି ପାଉଛି। କିନ୍ତୁ ସେପଟେ କିଛି କଂଗ୍ରେସ ନେତା ଖୋଲାଖୋଲି ଭାବେ ବିଜେପି ସପକ୍ଷରେ ବାହାରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଉପରେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣ ପ୍ରତିକ୍ରିୟା ରଖିଛନ୍ତି।

ପ୍ରମୋଦ କୃଷ୍ଣ କହିଛନ୍ତି ଯେ, ‘ଉପରାଷ୍ଟ୍ରପତିଙ୍କୁ ଉପହାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ “ଗଣତନ୍ତ୍ର” ର ପରିହାସ। ସେମାନଙ୍କୁ ଦେଶ କ୍ଷମା କରିବ ନାହିଁ। ବାସ୍ତବରେ କଂଗ୍ରେସ ନେତାଙ୍କ ଏହି ପ୍ରତିକ୍ରିୟା ଏକ ଭାଇରାଲ ଭିଡିଓ ପରେ ଆସିଛି। ଭିଡିଓରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ମିମିକ୍ରୀ କରୁଥିବା ନଜର ଆସିଛନ୍ତି। ତେବେ ଏହାର ଜବାବରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ କହିଛନ୍ତି ଯେ, ସଦବୁଦ୍ଧି ଆସୁ, କିଛି ତ ସୀମା ରହିବା ଆବଶ୍ୟକ।

ବାସ୍ତବରେ ସଂସଦରେ ସାଂସଦଙ୍କୁ ନିଲମ୍ବନ କରାଯିବା ପରେ ବିରୋଧୀ ଦଳର ସାଂସଦମାନେ ସଂସଦ ଗୃହ ପରିସରରେ ବିରୋଧ କରୁଛନ୍ତି। ଏହି ସମୟ ମଧ୍ୟରେ ଅନ୍ୟ ବିରୋଧୀ ଦଳର ସାଂସଦମାନେ କଲ୍ୟାଣ ବାନାର୍ଜୀଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ବାଚସ୍ପତି ଜଗଦୀପ ଧନଖଡଙ୍କ ମିମିକ୍ରୀ କରୁଥିବା ଦେଖୁଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଠିଆ ହୋଇ ମିମିକ୍ରୀକୁ ଦେଖୁଛନ୍ତି। ତାଙ୍କ ସହ ବିରୋଧ କରୁଥିବା ସମସ୍ତ ବିରୋଧୀ ସାଂସଦ ମଧ୍ୟରେ ଉପସ୍ଥିତ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହାଇକୋର୍ଟରେ ୭୬% ବିଚାରପତି ସାଧାରଣ ବର୍ଗର ୨୦୧୮ରୁ ହୋଇଥିବା ନିଯୁକ୍ତିର ତଥ୍ୟ ରାଜ୍ୟସଭାରେ ଉପସ୍ଥାପିତ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥାକୁ ନେଇ ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଜୋରଦାର ବିବାଦ ଦେଖାଦେଇଥିଲା। ଶେଷରେ ସରକାର କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଇନ ଆସିବା ପରେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଥିଲେ। କୁହାଯାଉଛି ଯେ କଲେଜିୟମ ବ୍ୟବସ୍ଥା ଯୋଗୁଁ ବିଚାରପତି ନିଯୁକ୍ତିରେ ପରିବାରବାଦ ଓ ବିଚ୍ଛିନ୍ନତାର ବ୍ୟାପକ ଅନୁପ୍ରବେଶ ହେଉଛି। ୨୦୧୮ ମସିହାରୁ ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସରକାର ତଥ୍ୟ ପ୍ରକାଶ କରିଛନ୍ତି। ଏଥିରେ କୁହାଯାଇଛି ଯେ ୭୬% ବିଚାରପତି ନିଯୁକ୍ତି ସାଧାରଣ ବର୍ଗର କରାଯାଇଛି।

କ’ଣ କହୁଛି ପରିସଂଖ୍ୟାନ

ତଥ୍ୟ ଅନୁଯାୟୀ, ୨୦୧୮ରୁ ବିଭିନ୍ନ ହାଇକୋର୍ଟରେ ନିଯୁକ୍ତି ପାଇଥିବା ୬୫୦ ଜଣ ବିଚାରପତିଙ୍କ ମଧ୍ୟରୁ ୪୯୨ ଜଣ ସାଧାରଣ ବର୍ଗର। ଅର୍ଥାତ୍ ସମୁଦାୟ ନିଯୁକ୍ତିର ୭୬% ଅଣସଂରକ୍ଷିତ ବର୍ଗରୁ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ରାଜ୍ୟସଭାରେ କହିଛନ୍ତି ଯେ ବିଭିନ୍ନ ହାଇକୋର୍ଟର କଲେଜିୟମଦ୍ୱାରା ବିଚାରପତି ନିଯୁକ୍ତି ପାଇଁ ଓକିଲ ଏବଂ ନ୍ୟାୟିକ ଅଧିକାରୀମାନେ ଦେଇଥିବା ସୁପାରିସ ସମୟରେ ଏହି ତଥ୍ୟ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ସଂସଦରେ ସୂଚନା ଦେଇଛନ୍ତି ଯେ ୨୦୧୮ ରୁ ଏପର୍ଯ୍ୟନ୍ତ ହାଇକୋର୍ଟରେ ମୋଟ ୫୬୯ ଜଣ ବିଚାରପତି ନିଯୁକ୍ତ ହୋଇଛନ୍ତି। ୫୬୯ ଜଣ ବିଚାରପତିଙ୍କ ମଧ୍ୟରୁ ୧୭ ଜଣ ଅନୁସୂଚିତ ଜାତି (ଏସସି), ୯ ଜଣ ଅନୁସୂଚିତ ଜନଜାତି (ଏସଟି), ୬୪ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ୧୫ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର। ୨୦ ଜଣ ବିଚାରପତିଙ୍କ ସାମାଜିକ ପୃଷ୍ଠଭୂମି ସମ୍ପର୍କରେ ସୂଚନା ସରକାରଙ୍କ ପାଖରେ ଉପଲବ୍ଧ ନାହିଁ।

ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମେଘୱାଲ କହିଛନ୍ତି ଯେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତି ନିଯୁକ୍ତିରେ ସଂରକ୍ଷଣର କୌଣସି ବ୍ୟବସ୍ଥା ନାହିଁ। ହାଇକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଓବିସି, ଏସସି, ଏସଟି ଏବଂ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ୱ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପାଖରେ କୌଣସି କେନ୍ଦ୍ରୀୟ ତଥ୍ୟ ନ ଥିଲେ ମଧ୍ୟ ନିଯୁକ୍ତି ପାଇଁ ବିଚାର କରାଯାଉଥିବାବେଳେ ସୁପାରିସକାରୀମାନେ ନିଜେ ସାମାଜିକ ପୃଷ୍ଠଭୂମି ସୂଚନା ଦେଇଥାନ୍ତି। ୨୦୧୮ରୁ ୬୫୦ ଜଣ ବିଚାରପତିଙ୍କ ମଧ୍ୟରୁ ୪୯୨ ଜଣ ସାଧାରଣ ବର୍ଗ, ୨୦ ଜଣ ଅନୁସୂଚିତ ଜାତି, ୧୨ ଜଣ ଅନୁସୂଚିତ ଜନଜାତି, ୭୭ ଜଣ ଓବିସି ଓ ୩୬ ଜଣ ସଂଖ୍ୟାଲଘୁ ବର୍ଗର ଅଛନ୍ତି। ଅବଶିଷ୍ଟ ୧୩ ଜଣ ବିଚାରପତିଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

ହାଇକୋର୍ଟରେ ବିଚାରପତି ନିଯୁକ୍ତି କିପରି ହୁଏ

ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପର୍କରେ ସରକାର କହିଛନ୍ତି ଯେ ସେମାନଙ୍କ ଜାତି ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଡିସେମ୍ବର ୮ ତାରିଖ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ୩୪ ଜଣ ବିଚାରପତି ଥିବାବେଳେ ହାଇକୋର୍ଟରେ ୧୧୧୪ ମଞ୍ଜୁରୀପ୍ରାପ୍ତ ପଦବୀ ତୁଳନାରେ ୭୯୦ ଜଣ ବିଚାରପତି ଥିଲେ। ସାମ୍ବିଧାନିକ ଅଦାଲତରେ ବିଚାରପତି ନିଯୁକ୍ତି ପାଇଁ ମାର୍ଗଦର୍ଶନ କରୁଥିବା ମେମୋରେଣ୍ଡମ୍ ଅଫ୍ ପ୍ରୋସିଜର ଅନୁଯାୟୀ, ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସ୍ତାବ ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଉପରେ ନିର୍ଭର କରେ।

ସରକାରଙ୍କ ଆବେଦନ

ହାଇକୋର୍ଟର ମୁଖ୍ୟ ବିଚାରପତିମାନେ କୌଣସି ପଦବୀ ଖାଲି ହେବାର ମାତ୍ର ୬ ମାସ ପୂର୍ବରୁ ସେହି ପଦବୀ ପୂରଣ ପାଇଁ ପ୍ରସ୍ତାବ ଆରମ୍ଭ କରିବା ଆବଶ୍ୟକ। ବିଚାରପତି ନିଯୁକ୍ତି ପାଇଁ ପ୍ରସ୍ତାବ ପଠାଇବା ସମୟରେ ଏସସି/ଏସଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କ ଉପଯୁକ୍ତ ପ୍ରାର୍ଥୀଙ୍କୁ ବିଚାରକୁ ନିଆଯାଉ ବୋଲି ସରକାର ମୁଖ୍ୟ ବିଚାରପତିମାନଙ୍କୁ ଅନୁରୋଧ କରିଛନ୍ତି।

ସାଧାରଣ ବର୍ଗର ଅର୍ଥ କେବଳ ଉଚ୍ଚ ଜାତି ନୁହେଁ

ମନେ ରଖନ୍ତୁ ଯେ ସାଧାରଣ ବର୍ଗରେ କେବଳ ଉଚ୍ଚ ଜାତି ନୁହଁନ୍ତି, ସବୁ ଜାତିର ଭାଗ ରହିଛି। ସାଧାରଣ ବର୍ଗ ବାସ୍ତବରେ ଏକ ଅଣସଂରକ୍ଷିତ ବର୍ଗ ଯେଉଁଥିରେ ପ୍ରତ୍ୟେକ ଜାତି, ଧର୍ମ, ସମ୍ପ୍ରଦାୟର ଅଂଶଗ୍ରହଣକାରୀଙ୍କ ଭାଗ ସମାନ। ଏହି ବର୍ଗରେ କୌଣସି ଶ୍ରେଣୀକୁ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ। ଯଦି ସଂରକ୍ଷଣ ଅଧୀନରେ ଅନ୍ତର୍ଭୁକ୍ତ ଜାତିର ଅଂଶଗ୍ରହଣକାରୀମାନେ ସଂରକ୍ଷିତ ବର୍ଗ ପାଇଁ ଧାର୍ଯ୍ୟ କଟ୍ ଅଫ୍‍ଠାରୁ ଅଧିକ ମାର୍କ ପାଆନ୍ତି, ତେବେ ସେମାନଙ୍କୁ ସାଧାରଣ ବର୍ଗରେ ଅନ୍ତର୍ଭୁକ୍ତ କରାଯାଏ। ତେଣୁ ସଂରକ୍ଷିତ କୋଟାରେ ସଂରକ୍ଷିତ ଜାତିର ଅଂଶଗ୍ରହଣକାରୀଙ୍କ ଏକଚାଟିଆ ଅଧିକାର ଥିବାବେଳେ ଅଣସଂରକ୍ଷିତ ଅର୍ଥାତ୍ ସାଧାରଣ ବର୍ଗର ଖାଲି ପଡ଼ିଥିବା ପଦବୀ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି।

Categories
ବିଶେଷ ଖବର

ଗୃହରୁ ବାରମ୍ବାର କାହିଁକି ନିଲମ୍ବିତ ହେଉଛନ୍ତି ଡେରେକ୍ ଓ’ବ୍ରାଏନ୍‍

ନୂଆଦିଲ୍ଲୀ: ନିକଟ ଅତୀତରେ ଟିଏମସି ସାଂସଦ ଡେରେକ୍ ଓ’ବ୍ରାଏନ୍ ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ଗୃହରେ ଅନେକ ଯୁକ୍ତିତର୍କ ହୋଇଛି। ସଦ୍ୟତମ ଘଟଣା ହେଉଛି ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ। ବିରୋଧୀ ସାଂସଦମାନେ ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରୁଥିଲେ। ଏହି ସମୟରେ ଟିଏମସି ସାଂସଦ ବ୍ରାଏନ ଗୃହର ମଧ୍ୟଭାଗକୁ ଆସିଥିଲେ।

ବ୍ରାଏନ୍‍ଙ୍କ ଏଭଳି କାର୍ଯ୍ୟରେ କ୍ଷୁବ୍ଧ ହେଲେ ଧନଖଡ଼

ବାସ୍ତବରେ ବ୍ରାଏନ୍‍ ଗୃହର ମଧ୍ୟଭାଗକୁ ଆସି ଜୋରଦାର ହଙ୍ଗାମା କରିବା ଆରମ୍ଭ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ପରେ ଧନଖଡ଼ ରାଗି ଯାଇଥିଲେ। ସେ ସେମାନଙ୍କୁ ନିଜ ଆସନକୁ ଯାଇ ବସିବାକୁ କହିଥିଲେ। କିନ୍ତୁ ବ୍ରାଏନ୍ ମଧ୍ୟ ଆଖି ବୁଜି ସେଠାରେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ନିକଟ ଅତୀତରେ ବ୍ରାଏନ୍‍ ନିଜ କଥା କହିବାବେଳେ ଅନେକ ସମୟରେ ରାଗି ଯାଇଥାନ୍ତି। ସେ ନିଜ ଆସନକୁ ନ ଯିବାରୁ ଅଧ୍ୟକ୍ଷ ତାଙ୍କ ନାମ ନେଇ ତାଙ୍କୁ ତୁରନ୍ତ ଗୃହ ଛାଡ଼ିବାକୁ କହିଥିଲେ। ବ୍ରାଏନ୍‍ ଯେତେବେଳେ ବାହାରକୁ ଯାଇନଥିଲେ, ଚେୟାରଙ୍କ ସହ ତାଙ୍କର ଅପମାନଜନକ ଆଚରଣ ପାଇଁ ତାଙ୍କୁ ପୂରା ଶୀତକାଳୀନ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା।

ପ୍ରଥମ ଥର ପାଇଁ ଯେ ବ୍ରାଏନ୍‍ଙ୍କୁ ଗୃହରୁ ନିଲମ୍ବିତ କରାଯାଇନାହିଁ

ପୂର୍ବରୁ ତାଙ୍କୁ ଦୁଇଥର ନିଲମ୍ବିତ କରାଯାଇଛି। ୨୦୨୧ରେ କେନ୍ଦ୍ର ସରକାର ନିର୍ବାଚନ ଆଇନ ବିଲ୍ ୨୦୨୧ ବିରୋଧରେ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଡିସେମ୍ବରରେ ଏହି ପ୍ରଦର୍ଶନ ସମୟରେ ବ୍ରାଏନ୍‍ ମଧ୍ୟ ବହୁତ ରାଗିଯାଇଥିଲେ। ଫଳରେ ଅଧ୍ୟକ୍ଷ ତାଙ୍କୁ ଗୃହରୁ ନିଲମ୍ବିତ କରିଥିଲେ।

୨୦୨୦ରେ ବ୍ରାଏନ୍‍ଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା

ସେପ୍ଟେମ୍ବର ୨୦୨୧ରେ ତତ୍କାଳୀନ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ୮ ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରିଥିଲେ। ଏଥିରେ ବ୍ରାଏନ୍‍ ମଧ୍ୟ ସାମିଲ ଥିଲେ। ସେହି ସମୟରେ ମଧ୍ୟ ନାଇଡୁ ସାଂସଦମାନଙ୍କୁ ଗୃହ ଛାଡ଼ିବାକୁ କହିଥିଲେ କିନ୍ତୁ ସେମାନେ ବାହାରକୁ ଯିବାକୁ ମନା କରିଦେଇଥିଲେ। ଏହାପରେ ଏହି ସମସ୍ତ ସାଂସଦ ଧାରଣାରେ ବସିଥିଲେ।

ଅଗଷ୍ଟ ୨୦୨୩ରେ ମଧ୍ୟ ତାଙ୍କୁ ନିଲମ୍ବିତ କରାଯାଇଥିଲା

୨୦୨୩ ଅଗଷ୍ଟ ୯ ତାରିଖରେ ବ୍ରାଏନ୍‍ ଓ ଅଧ୍ୟକ୍ଷ ଧନଖରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବ୍ରାଏନ୍‍ ମଧ୍ୟ ଚେୟାର ଆଡ଼କୁ ଚିତ୍କାର କରୁଥିଲେ। ଏହାପରେ ଧନଖଡ଼ ଟିଏମସି ସାଂସଦଙ୍କ ନାମ ନେଇଥିଲେ ଏବଂ ତାଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପରେ ଅଧ୍ୟକ୍ଷ ଏହି ମାମଲାର ସମାଧାନ କରି ବ୍ରାଏନ୍‍ଙ୍କୁ ଗୃହର ମର୍ଯ୍ୟାଦା ଅନୁଯାୟୀ ଆଚରଣ କରିବାକୁ ପରାମର୍ଶ ଦେଇଥିଲେ।

Categories
ବିଶେଷ ଖବର

ଲୋକସଭାରୁ ୩ଟି ଅପରାଧିକ ବିଲ୍ ପ୍ରତ୍ୟାହାର: ରାଜ୍ୟସଭାରେ ନୂଆ ବିଲ୍ ଆଗତ କଲେ ଶାହ

ନୂଆଦିଲ୍ଲୀ: ସଂସଦର ଶୀତ କାଳୀନ ଅଧିବେଶନର ସପ୍ତମ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ତିନିଟି ଅପରାଧିକ ବିଲ୍ ପ୍ରତ୍ୟାହାର କରିନେଇଛନ୍ତି। ସେହି ବିଲ୍‍ ସ୍ଥାନରେ ଲୋକସଭାରେ ୩ଟି ନୂଆ ଅପରାଧିକ ବିଲ୍ ଆଗତ ହୋଇଛି।

ଶାହ କହିଛନ୍ତି ଯେ ସଂସଦୀୟ କମିଟି ବିଲ୍‍ଗୁଡ଼ିକରେ ପରିବରତ୍ତନ ପାଇଁ ସୁପାରିସ କରିଛି। ସରକାର ପୂର୍ବ ବିଲ୍‍ଗୁଡ଼ିକରେ ସଂଶୋଧନ ଆଣିବା ପରିବର୍ତ୍ତେ ଏହି ପରିବର୍ତ୍ତନକୁ ଅନ୍ତର୍ଭୁକ୍ତ କରି ନୂଆ ବିଲ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

ଡିସେମ୍ବର ୧୪-୧୫ରେ ଲୋକସଭାରେ ୩ଟି ନୂଆ ଆଇନଗତ ବିଲ୍ ଉପରେ ଆଲୋଚନା ହେବ

ଡିସେମ୍ବର ୧୪ ତାରିଖ ଗୁରୁବାର ଏହି ବିଲ୍ ଉପରେ ବିତର୍କ ହେବ ଏବଂ ଡିସେମ୍ବର ୧୫ ତାରିଖ ଶୁକ୍ରବାର ମତଦାନ ହେବ ବୋଲି ଶାହ କହିଛନ୍ତି। ଶାହ କହିଛନ୍ତି ଯେ ମୁଖ୍ୟତଃ ୫ଟି ବିଭାଗରେ ପରିବର୍ତ୍ତନ କରାଯାଇଛି। ଅଧିକାଂଶ ପରିବର୍ତ୍ତନ ବ୍ୟାକରଣ ଏବଂ ଭାଷା ସହିତ ଜଡ଼ିତ । ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ତିନିଟି ବିଲ୍ ଉପରେ ଆଲୋଚନା ପାଇଁ ମୋଟ ୧୨ ଘଣ୍ଟା ସମୟ ଦିଆଯାଇଛି।

ରାହୁଲ ଗାନ୍ଧି କହିଲେ- ବିଜେପି ପ୍ରସଙ୍ଗରୁ ଦୂରେଇ ଯିବାକୁ ଚାହୁଁଛି

ମଙ୍ଗଳବାର ସଂସଦ ଯିବା ପୂର୍ବରୁ ରାହୁଲ ଗାନ୍ଧୀ ନେହେରୁଙ୍କୁ ନେଇ ଅମିତ ଶାହ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ଦେଇଥିଲେ। ରାହୁଲ କହିଥିଲେ ଯେ ନେହେରୁଜୀ ଏହି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନେ ବର୍ଷ ବର୍ଷ ଧରି ଜେଲରେ ଥିଲେ। ଅମିତ ଶାହା ଇତିହାସ ଜାଣନ୍ତି ନାହିଁ। ମୁଁ ଆଶା କରେ ନାହିଁ ଯେ ସେ ଇତିହାସ ଜାଣିବେ କାରଣ ସେ ଇତିହାସକୁ ପୁନଃଲିଖିତ କରନ୍ତି।

ଏସବୁ ଏକ ବିଭ୍ରାନ୍ତି, ମୂଳ ପ୍ରସଙ୍ଗ ହେଉଛି ଜାତିଗତ ଜନଗଣନା ଓ ଅଂଶଗ୍ରହଣ। ଦେଶର ଟଙ୍କା କାହା ହାତରେ ଯାଉଛି? ସେମାନେ (ବିଜେପି) ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାନ୍ତି। ସେ ଭୟଭୀତ ଅଛନ୍ତି ଏବଂ ଏଥିରୁ ଦୂରେଇ ଯାଉଛନ୍ତି।

ରାଜ୍ୟସଭାରେ ସିଇସି ଓ ଇସିଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ବିଲ୍ ଧ୍ୱନୀ ମତରେ ପାରିତ ହୋଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅଣଦେଖା କରିବା ପାଇଁ ଏହି ବିଲ୍ ଅଣାଯାଇଛି ବୋଲି ବିରୋଧୀମାନେ କହିଥିଲେ। ଏହାପରେ ସମସ୍ତ ବିରୋଧୀ ସାଂସଦ ଓ୍ଵାକ୍ ଆଉଟ୍ କରିଥିଲେ।

ସିଇସି ନିଯୁକ୍ତି ସଂକ୍ରାନ୍ତ ବିଲ୍‍କୁ ନେଇ ରାଜ୍ୟସଭାରେ ହଙ୍ଗାମା

ଅନ୍ୟପକ୍ଷରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଆଗତ କରିଥିଲେ। ଏହା ନିର୍ବାଚନ ଆୟୋଗ (ନିର୍ବାଚନ କମିଶନରଙ୍କ ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟ ପରିଚାଳନା) ଆଇନ, ୧୯୯୧ର ସ୍ଥାନ ନେଇଛି। ବିଲ୍ ପାରିତ କରିବା ସମୟରେ ମେଘୱାଲ କହିଛନ୍ତି ଯେ ପୂର୍ବ ଆଇନରେ କିଛି ଦୁର୍ବଳତା ଥିବାରୁ ନୂଆ ଆଇନ ଜରୁରୀ ହୋଇପଡ଼ିଛି। ସୁପ୍ରିମକୋର୍ଟଙ୍କ ରାୟକୁ ଏଡ଼ାଇବା ପାଇଁ ଏହି ବିଲ୍ ଅଣାଯାଇଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଥିଲେ।

ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ରାଜ୍ୟସଭାରେ ଏହି ବିଲ୍ ଆଗତ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ପ୍ୟାନେଲ ଇସି ନିଯୁକ୍ତ କରିବେ ବୋଲି ଜଣାପଡ଼ିଥିଲା।

ପ୍ରଧାନ ବିଚାରପତିଙ୍କ ସ୍ଥାନରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କମିଟିରେ ସାମିଲ କରିବା ନେଇ ଜୋରଦାର ବିବାଦ ସୃଷ୍ଟି ହୋଇଥିଲା। ତେବେ ବିବାଦ ଓ ବିତର୍କ ପରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ରାୟରେ କ’ଣ ଥିଲା?

ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ସମୟରେ ସେମାନଙ୍କୁ ନିଯୁକ୍ତ କରୁଥିବା ପ୍ୟାନେଲରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ମୁଖ୍ୟ ବିଚାରପତି ରହିବା ଉଚିତ ବୋଲି ସୁପ୍ରିମକୋର୍ଟ ମାର୍ଚ୍ଚ ୨୦୨୩ରେ ନିର୍ଦ୍ଦେଶ ଦେଇଥିଲେ। ଯଦି ଲୋକସଭାରେ ବିରୋଧୀ ଦଳ ନେତା ନାହାନ୍ତି, ତେବେ ସେ ସବୁଠାରୁ ବଡ଼ ବିରୋଧୀ ଦଳର ନେତା ହେବା ଦରକାର। ସୁପ୍ରିମକୋର୍ଟ କହିଥିଲେ ଯେ ନିର୍ବାଚନ କମିଶନର ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ହେବା ଦରକାର, ଯାହାଦ୍ୱାରା ସ୍ୱଚ୍ଛତା ଆସିପାରିବ।

ଷଷ୍ଠ ଦିନରେ ରାଜ୍ୟସଭାରେ ହଙ୍ଗାମା

ଏହା ପୂର୍ବରୁ ଷଷ୍ଠ ଦିନ ପାଇଁ ରାଜ୍ୟସଭା କାର୍ଯ୍ୟରେ ହଙ୍ଗାମା ହୋଇଥିଲା। ଗୃହମନ୍ତ୍ରୀ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ପୁନର୍ଗଠନ (ସଂଶୋଧନ) ବିଲ୍-୨୦୨୩ ଉପସ୍ଥାପନ କରିଛନ୍ତି। ସେମାନଙ୍କ ବିରୋଧରେ ଡିଏମକେ ସାଂସଦ ଏମ ଅବଦୁଲ୍ଲା ଦେଶକୁ ବିଭାଜନ କରିବା ନେଇ ପେରିଆରଙ୍କ ମତାମତ ସାମିଲ କରିଥିଲେ। ଏହା ଉପରେ ଅଧ୍ୟକ୍ଷ ଜଗଦୀପ ଧନଖର କଠୋରତା ଦେଖାଇ କହିଛନ୍ତି- ସଂସଦରେ ଦେଶ ବିରୋଧୀ ବକ୍ତବ୍ୟର କୌଣସି ସ୍ଥାନ ନାହିଁ।

ଏହି ଦୁଇଟି ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ଅର୍ଥାତ୍ ଏବେ ଜମ୍ମୁରେ ୪୩, କାଶ୍ମୀରରେ ୪୭ ବିଧାନସଭା ଆସନ ରହିବ। ସିଟ୍ ସଂଖ୍ୟା ୯୦କୁ ବୃଦ୍ଧି ପାଇବ। ସେହିପରି ପିଓକେ ପାଇଁ ୨୪ଟି ଆସନ ସଂରକ୍ଷିତ ରଖାଯାଇଛି। ସଂସଦରେ କାଶ୍ମୀର ପଣ୍ଡିତଙ୍କ ପାଇଁ ୨ଟି ଏବଂ ପିଓକେ ପ୍ରବାସୀଙ୍କ ପାଇଁ ୧ଟି ଆସନ ସଂରକ୍ଷିତ ରହିବ।

ବିରୋଧୀଙ୍କୁ ଅମିତ ଶାହଙ୍କ ଚେତାବନୀ

ରାଜ୍ୟସଭାରେ ବିତର୍କବେଳେ ଅମିତ ଶାହା ଧାରା-୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିରୋଧୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଭୁଲ୍‍ କାହାର ବି ହୋଇପାରେ। ଫେରି ଆସ, ନଚେତ୍ ଯେତିକି ଅଛ ସେତିକି ମଧ୍ୟ ରହିବ ନାହିଁ। କଂଗ୍ରେସ ଏବେବି ୩୭୦ ହଟାଇବା ନିଷ୍ପତ୍ତିକୁ ଭୁଲ୍ ବୋଲି କହୁଛି। ସେମାନେ କେବେ ଭଲ କାମକୁ ସମର୍ଥନ କରନ୍ତି ନାହିଁ। ବାସ୍ତବରେ ଦିନସାରା ଏହି ବିଲ୍ ଉପରେ ବିତର୍କ ଚାଲିଥିବାବେଳେ ବିରୋଧୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ୍ ବୋଲି କହୁଥିଲେ। ଅମିତ ଶାହାଙ୍କ ଉତ୍ତର ସମୟରେ ବିରୋଧୀ ମଧ୍ୟ ରାଜ୍ୟସଭାକୁ ବର୍ଜନ କରିଥିଲେ।

Categories
ବିଶେଷ ଖବର

ରାଜ୍ୟସଭାରେ ନମାଜକୁ ନେଇ ବଡ଼ ନିଷ୍ପତ୍ତି, ହଟିଲା ୩୦ ମିନିଟର ଅତିରିକ୍ତ ବିରତି

ନୂଆଦିଲ୍ଲୀ: ନମାଜକୁ ନେଇ ରାଜ୍ୟସଭାରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସଂସଦ ଅଧିବେଶନ ସମୟରେ ପ୍ରତି ଶୁକ୍ରବାର ଏଥିପାଇଁ ଅଧା ଘଣ୍ଟାର ବିରତିକୁ ଉଚ୍ଛେଦ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପାଧ୍ୟକ୍ଷ ଜଗଦୀପ ଧନଖର ଏହି ରାୟ ଦେଇଛନ୍ତି। ଏହା ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟସଭାରେ ମଧ୍ୟାହ୍ନ ଭୋଜନ ବିରତି ପ୍ରତି ଶୁକ୍ରବାର ଅପରାହ୍ନ ୧ଟାରୁ ୨ଟା ୩୦ ପର୍ଯ୍ୟନ୍ତ ଥିଲା। ସେହିପରି ଲୋକସଭାରେ ମଧ୍ୟାହ୍ନ ଭୋଜନ ବିରତି ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ରହିଛି। ରାଜ୍ୟସଭାରେ ନମାଜ ପାଇଁ ଏହି ଅତିରିକ୍ତ ଅଧ ଘଣ୍ଟା ସମୟ ଦିଆଯାଉଥିଲା। ଏବେ ନିୟମରେ ପରିବର୍ତ୍ତନ କରି ଅଧ୍ୟକ୍ଷ ଏହାକୁ ଶେଷ କରିଛନ୍ତି।

ପୂରା ମାମଲା ୮ ଡିସେମ୍ବର ୨୦୨୩ ତାରିଖର। ସେତେବେଳେ ରାଜ୍ୟସଭାରେ ଶୂନ୍ୟକାଳ ଥିଲା। ସାଂସଦମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ପଚାରୁଥିଲେ। ଏହାପରେ ଡିଏମକେ ସାଂସଦ ତିରୁଚି ଶିବା ହସ୍ତକ୍ଷେପ କରିଥିଲେ। ଏହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଜୟଦୀପ ଧନଖର ଅଧ୍ୟକ୍ଷତା କରୁଥିଲେ। ତିରୁଚି ଶିବଙ୍କୁ ଅଧ୍ୟକ୍ଷ କହିବାକୁ ଅନୁମତି ଦେଇଥିଲେ। ଶୁକ୍ରବାର ସେ ରାଜ୍ୟସଭା କାର୍ଯ୍ୟର ସମୟସୀମା ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲେ।

ଡିଏମକେ ସାଂସଦ କହିଛନ୍ତି ଯେ ସାଧାରଣତଃ ଶୁକ୍ରବାର ମଧ୍ୟାହ୍ନ ଭୋଜନ ବିରତି ପରେ ଗୃହ ଅପରାହ୍ନ ୨.୩୦ରେ ଆରମ୍ଭ ହୋଇଥାଏ। ଏହା ଭିନ୍ନ କଥା ଯେ ସଂଶୋଧିତ କାର୍ଯ୍ୟକ୍ରମ ଅନୁଯାୟୀ ଏହା କେବଳ ୨ଟାରୁ ପୁଣି ଆରମ୍ଭ ହେବ। କେବେ ନିଆଗଲା ଏହି ନିଷ୍ପତ୍ତି? ଗୃହର ସଦସ୍ୟମାନେ ଏ ବିଷୟରେ ଜାଣନ୍ତି ନାହିଁ, କାହିଁକି ଏଭଳି ପରିବର୍ତ୍ତନ ଘଟିଲା?

ଏହାର ଜବାବରେ ଅଧ୍ୟକ୍ଷ କହିଛନ୍ତି ଯେ ଏହି ପରିବର୍ତ୍ତନ ଆଜିଠାରୁ ନୁହେଁ। ପୂର୍ବରୁ ସେ ଏହି ପରିବର୍ତ୍ତନ କରିସାରିଛନ୍ତି। ସେ ଏହାର କାରଣ ମଧ୍ୟ ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଯେ ଲୋକସଭାର କାର୍ଯ୍ୟ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ଉଭୟ ଲୋକସଭା ଓ ରାଜ୍ୟସଭା ସଂସଦର ଅଂଶ ବିଶେଷ। ଉଭୟଙ୍କ କାର୍ଯ୍ୟ କାଳରେ ସମାନତା ରହିବା ଦରକାର। ସେଥିପାଇଁ ସେମାନେ ପୂର୍ବରୁ ଏ ନେଇ ନିୟମ ତିଆରି କରିସାରିଥିଲେ।

ଅଧ୍ୟକ୍ଷଙ୍କ ମନ୍ତବ୍ୟକୁ ନେଇ ଡିଏମକେ ମୁସଲମାନ ସାଂସଦ ଏମ ମହମ୍ମଦ ଅବଦୁଲ୍ଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ପ୍ରତି ଶୁକ୍ରବାର ମୁସଲମାନ ସଦସ୍ୟମାନେ ନମାଜ ପଢ଼ିବାକୁ ଯାଆନ୍ତି। ତେଣୁ ଏହିଦିନ ଗୃହ ଆରମ୍ଭ ହେବାର ସମୟ ଅପରାହ୍ନ ସାଢ଼େ ୨ଟା ଧାର୍ଯ୍ୟ କରାଯାଇଛି। ଅଧ୍ୟକ୍ଷ ଅବଦୁଲ୍ଲାଙ୍କ କଥା ଶୁଣି ତାଙ୍କୁ ବସିବାକୁ କହିଥିଲେ। ଲୋକସଭା ସହିତ ସମାନତା ଆଣିବା ପାଇଁ ଏକ ବର୍ଷ ତଳେ ଗୃହର ସମୟ ପରିବର୍ତ୍ତନ କରାଯାଇଥିଲା ବୋଲି ସେ ଦୋହରାଇଥିଲେ। ଏଥିରେ କିଛି ନୂଆ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଡାକଘର ହେବ ବ୍ୟାଙ୍କ!

ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ପୋଷ୍ଟ ଅଫିସ ବିଲ-୨୦୨୩କୁ ସ୍ୱର ଭୋଟରେ ଅନୁମୋଦନ ମିଳିଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଡାକଘର ଆଇନ, ୧୮୯୮କୁ ଉଚ୍ଛେଦ କରିବା ଏବଂ ଦେଶରେ ଡାକଘର ଆଇନକୁ ସୁଦୃଢ଼ ଏବଂ ସଂଶୋଧନ କରିବା। ଏହି ଆଇନ ଜରିଆରେ ଅନେକ ପ୍ରକ୍ରିୟାକୁ ସରଳ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଡାକଘରଗୁଡ଼ିକର ବିକଶିତ ଭୂମିକାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ପରିବର୍ତ୍ତନ କରାଯାଇଛି। ଏଗୁଡ଼ିକୁ ନାଗରିକ କେନ୍ଦ୍ରୀତ ସେବାର କେନ୍ଦ୍ରଭାବେ ବିକଶିତ କରିବାକୁ ଯୋଜନା କରାଯାଇଛି। ଏହାକୁ ନେଇ ଅନେକ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା। କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ସମ୍ବୋଧିତ କରିଥିଲେ। ସବୁଠାରୁ ବଡ଼ ଆଶଙ୍କା ଥିଲା ଘରୋଇକରଣକୁ ନେଇ। ଡାକଘରଗୁଡ଼ିକୁ ସେବା ପ୍ରଦାନକାରୀ କରି ବ୍ୟାଙ୍କରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଡାକଘର ବିଲ କ’ଣ?

୧୨୫ ବର୍ଷ ପୁରୁଣା ଡାକଘର ଆଇନରେ ସଂଶୋଧନ ଆଣିବାକୁ ଏହି ବିଲରେ ବ୍ୟବସ୍ଥା କରାଯାଇଛି। ସାରା ଦେଶରେ ଡାକ, ଡାକଘର ଓ ପୋଷ୍ଟମ୍ୟାନଙ୍କ ଉପରେ ବହୁତ ଭରସା ରହିଛି। ୨୦୨୩ ଅଗଷ୍ଟ ୧୦ ତାରିଖରେ ରାଜ୍ୟସଭାରେ ଡାକଘର ବିଲ (୨୦୨୩) ଆଗତ ହୋଇଥିଲା। ଏହା ଭାରତୀୟ ଡାକଘର ଆଇନ (୧୮୯୮)ର ସ୍ଥାନ ନେବ। ଏହାର ନେଟୱାର୍କ ମାଧ୍ୟମରେ ବିଭିନ୍ନ ନାଗରିକ କେନ୍ଦ୍ରିକ ସେବା ପ୍ରଦାନକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହାକୁ ଅଣାଯାଇଛି।

ଏହି ବିଲ ଆଣିବା ପଛରେ ସରକାରଙ୍କ ଉଦ୍ଦେଶ୍ୟ କ’ଣ?

ଦୀର୍ଘଦିନ ଧରି ପ୍ରାସଙ୍ଗିକତା ହରାଇଥିବା ଡାକଘରଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ସେଗୁଡ଼ିକୁ ସେବା ପ୍ରଦାନକାରୀ କରିବାକୁ ସରକାର ଚାହୁଁଛି। ଗତ ୯ ବର୍ଷ ମଧ୍ୟରେ ସରକାର ଏହାକୁ ବ୍ୟାଙ୍କରେ ପରିଣତ କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି। ଡାକଘରଗୁଡ଼ିକୁ ବାସ୍ତବରେ ବ୍ୟାଙ୍କରେ ପରିଣତ କରାଯାଇଛି। ୨୦୦୪ରୁ ୨୦୧୪ ମଧ୍ୟରେ ୬୬୦ଟି ଡାକଘର ବନ୍ଦ ରହିଥିଲା। ସେହିପରି ୨୦୧୪ରୁ ୨୦୨୩ ମଧ୍ୟରେ ପାଖାପାଖି ୫ ହଜାର ନୂଆ ଡାକଘର ଖୋଲାଯାଇଥିବାବେଳେ ପ୍ରାୟ ୫୭୪୬ଟି ଡାକଘର ଖୋଲିବା ପ୍ରକ୍ରିୟାରେ ରହିଛି। ଡାକଘରେ ୩ କୋଟିରୁ ଅଧିକ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଛି। ଏଥିରେ ୧ ଲକ୍ଷ ୪୧ ହଜାର କୋଟି ଟଙ୍କା ଜମା ହୋଇଛି। ଅଶ୍ୱିନୀ ବୈଷ୍ଣବଙ୍କ କହିବା ଅନୁଯାୟୀ, ଡାକଘର ରପ୍ତାନି ସୁବିଧା ହେଉଛି ଏପରି ଏକ ସୁବିଧା ଯେଉଁଥିରେ ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଯେ କୌଣସି ବ୍ୟକ୍ତି ବିଶ୍ୱର ଯେକୌଣସି ସ୍ଥାନରେ ନିଜର ସାମଗ୍ରୀ ରପ୍ତାନି କରିପାରିବେ। ବର୍ତ୍ତମାନ ୮୬୭ଟି ଡାକ ରପ୍ତାନି କେନ୍ଦ୍ର ଖୋଲାଯାଇଛି। ସେଥିମଧ୍ୟରୁ ୬୦ କୋଟିରୁ ଅଧିକ ଟଙ୍କା ରପ୍ତାନି ହୋଇଛି। ଏହି ବିଲ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାକଘରଗୁଡ଼ିକୁ ଚିଠି ସେବାରୁ ସେବା ପ୍ରଦାନକାରୀରେ ପରିଣତ କରିବା ଏବଂ ଡାକଘରଗୁଡ଼ିକୁ ବ୍ୟାଙ୍କରେ ପରିଣତ କରିବା।

ଏହି ବିଲର ମୁଖ୍ୟ ବୈଶିଷ୍ଟ୍ୟ କ’ଣ?

– ଡାକଘର ବିଲ୍ (୨୦୨୩) ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଘରୋଇ କୋରିଅର କ୍ଷେତ୍ରରେ ଏହାର ସେବାର ମୂଲ୍ୟ ନିର୍ଦ୍ଧାରଣ କରିବାରେ ଡାକ ବିଭାଗକୁ ନମନୀୟତା ପ୍ରଦାନ କରିବ।

– ଏଥିରେ ଡାକ ଅଧିକାରୀଙ୍କ କ୍ଷମତା ବୃଦ୍ଧି ବିଷୟରେ କୁହାଯାଇଛି। ଯଦି ସେମାନେ ସନ୍ଦେହ କରନ୍ତି ଯେ କୌଣସି ପାର୍ସଲ କିମ୍ବା କୌଣସି ପଦବୀରେ ଶୁଳ୍କ ପୈଠ କରାଯାଇନାହିଁ କିମ୍ବା ଏହା ଆଇନ ଦ୍ୱାରା ନିଷିଦ୍ଧ ଅଟେ, ତେବେ ଅଧିକାରୀ ସେହି ପାର୍ସଲକୁ ସୀମା ଶୁଳ୍କ ଅଧିକାରୀଙ୍କ ନିକଟକୁ ପଠାଇବେ। ସୀମା ଶୁଳ୍କ ଅଧିକାରୀମାନେ ଆଇନ ଅନୁଯାୟୀ ପାର୍ସଲର ମୁକାବିଲା କରିବେ।

– ସୁରକ୍ଷାକୁ ନେଇ ବିଲରେ ଏକ ବଡ଼ ବ୍ୟବସ୍ଥା କରାଯାଇଛି। ଏହା ଅଧୀନରେ କେନ୍ଦ୍ର ସରକାର ଅଧିକାରୀଙ୍କୁ ନିଯୁକ୍ତ କରିବେ। ଯଦି ଅଧିକାରୀ ଅନୁଭବ କରନ୍ତି ଯେ ପାର୍ସଲ ଦେଶର ସୁରକ୍ଷା ବିରୁଦ୍ଧରେ ଅଟେ କିମ୍ବା ଅନ୍ୟ ଦେଶ ସହିତ ସମ୍ପର୍କକୁ କ୍ଷତି ପହଞ୍ଚାଇପାରେ କିମ୍ବା ଶାନ୍ତି ଭଙ୍ଗ କରିପାରେ, ତେବେ ସେହି ଅଧିକାରୀ ସେହି ପାର୍ସଲକୁ ଅଟକାଇ ପାରିବେ। ଏହାକୁ ଖୋଲି ଯାଞ୍ଚ ମଧ୍ୟ କରିପାରିବେ। ତାଙ୍କୁ ଜବତ କରିବାର ଅଧିକାର ମଧ୍ୟ ରହିବ। ପରବର୍ତ୍ତୀ ସମୟରେ ଏଭଳି ଜିନିଷ ମଧ୍ୟ ନଷ୍ଟ ହୋଇପାରେ।

– ଏହି ବିଲରେ ଡାକ ବିଭାଗର କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷା ଦିଆଯାଇଛି। ସାଧାରଣତଃ ପାର୍ସଲ ହଜିବା କିମ୍ବା ବିଳମ୍ବରେ ଆସିବା କିମ୍ବା କ୍ଷତିଗ୍ରସ୍ତ ହେଲେ ଲୋକଙ୍କୁ ଡାକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପଡ଼ିଥାଏ। କିନ୍ତୁ ଏହି ବିଲ ଆଇନରେ ପରିଣତ ହେବା ପରେ ତାହା ହୋଇପାରିବ ନାହିଁ। କାରଣ ନୂଆ ଆଇନରେ ଏଭଳି ବ୍ୟବସ୍ଥା କରାଯାଇଛି ଯେ ଏଭଳି ପରିସ୍ଥିତିରେ ଡାକ ଅଧିକାରୀଙ୍କ ବିରୋଧରେ ମାମଲା ସମ୍ଭବ ହେବ ନାହିଁ।

– ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡାକଘରକୁ ଡାକ ଟିକଟ ଜାରି କରିବାର ଅଧିକାର ମିଳିବ।

ଘରୋଇକରଣ ପାଇଁ ଏକ ପ୍ରୟାସ ନୁହେଁ କି?

ଅଶ୍ୱିନୀ ବୈଷ୍ଣବ ଡାକଘରର ଘରୋଇକରଣକୁ ନେଇ ବିରୋଧୀ ସଦସ୍ୟଙ୍କ ଆଶଙ୍କାକୁ ଖଣ୍ଡନ କରିଛନ୍ତି। ଘରୋଇକରଣର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଏହି ବିଲରେ ଡାକ ସେବାର ଘରୋଇକରଣ ପାଇଁ ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ କି ସେଭଳି କୌଣସି ଉଦ୍ଦେଶ୍ୟ ନାହିଁ। ଏହି ଆଇନ ଜରିଆରେ ଅନେକ ପ୍ରକ୍ରିୟାକୁ ସରଳ କରାଯାଇଛି ବୋଲି ସେ କହିଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ବୈଷ୍ଣବଙ୍କ କହିବା ଅନୁଯାୟୀ, ଏହା ପ୍ରକ୍ରିୟାକୁ ସ୍ୱଚ୍ଛ କରିବ। ଏହି ବିଲର ଉଦ୍ଦେଶ୍ୟ ହେଉଛି ଡାକ ସେବାର ସମ୍ପ୍ରସାରଣ।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ଵ: ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଆଉ ଏକ ଦଳୀୟ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନେବେ। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ଯଥାଶିଘ୍ର କାର୍ଯ୍ୟକାରୀ ହେଲା ବୋଲି କୁହାଯାଇଛି। ମାନସ ବର୍ତ୍ତମାନ ରାଜ୍ୟସଭା ସାଂସଦ ସହିତ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପ୍ରଭାରୀ ରହିଛନ୍ତି।

Categories
ବିଶେଷ ଖବର

ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଅନୁମୋଦନ କଲେ ରାଷ୍ଟ୍ରପତି, ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ବିଲ୍ ୨୦ ସେପ୍ଟେମ୍ବରରେ ଲୋକସଭାରେ ଏବଂ ୨୧ ସେପ୍ଟେମ୍ବରରେ ରାଜ୍ୟସଭାରେ ପାରିତ ହୋଇଥିଲା। ସଂସଦର ଉଭୟ ଗୃହ ଦ୍ଵାରା କୌଣସି ବିଲ୍ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଏ, ଯାହା ଦ୍ଵାରା ଏହା ଆଇନରେ ପରିଣତ ହୋଇପାରିବ।

ଏହି ଆଇନ କାର୍ଯ୍ୟକାରୀ ହେବା ପରେ ମହିଳାମାନେ ଲୋକସଭା ତଥା ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ। ସଂସଦରେ ଏହି ବିଲ୍ ପାରିତ ହେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଲିଙ୍ଗଗତ ନ୍ୟାୟ ପାଇଁ ଏହା ଆମ ସମୟର ସବୁଠାରୁ ପରିବର୍ତ୍ତନକାରୀ ବିପ୍ଳବ ହେବ।

Categories
ବିଶେଷ ଖବର

ରାଜ୍ୟସଭାରୁ ଅନୁମୋଦନ ଲାଭ କଲା ମହିଳା ସଂରକ୍ଷଣ ବିଲ୍, ସପକ୍ଷରେ ୨୧୫ ଭୋଟ୍, ବିରୋଧରେ ଶୂନ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ସମସ୍ତ ଦଳ ଏହି ବିଲ୍ କୁ ସମର୍ଥନ କରିଥିଲେ। ଏହି ବିଲ୍ କୁ ସମର୍ଥନ କରି ୨୧୫ ଭୋଟ୍ ଦିଆଯାଇଥିଲା ଏବଂ ଏହା ବିରୋଧରେ କୌଣସି ଭୋଟ୍ ଦିଆଯାଇ ନଥିଲା। ଦୀର୍ଘ ଦିନ ଧରି ଆଲୋଚନା ପରେ ବୁଧବାର ଲୋକସଭାରେ ଏହି ବିଲ୍ ପାରିତ ହୋଇଛି।

ଏହି ବିଲ୍ ଉପରେ ପ୍ରସ୍ତାବିତ ସମସ୍ତ ସଂଶୋଧନ ମଧ୍ୟ ରାଜ୍ୟସଭାରେ ପଡିଛି। ଲୋକସଭାରେ ୪୫୪ ଭୋଟ୍ ଏହି ବିଲ୍ ସପକ୍ଷରେ ପଡିଥିବା ବେଳେ ୨ ଟି ଭୋଟ୍ ବିରୋଧରେ ଦିଆଯାଇଥିଲା। ଏହି ବିଲରେ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି।

Categories
ବିଶେଷ ଖବର

ଅନ୍ତ ଘଟିବ ୨୭ ବର୍ଷର ଅପେକ୍ଷା!, ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ର ଆଉ ଏକ ପରୀକ୍ଷା, ପଢନ୍ତୁ ନମ୍ବର ଖେଳ

ନୂଆଦିଲ୍ଲୀ: ବୁଧବାର ଦିନ ନୂତନ ସଂସଦ ଗୃହରେ ଚାଲିଥିବା ସ୍ୱତନ୍ତ୍ର ଅଧିବେଶନରେ ୭ ଘଣ୍ଟାର ବିତର୍କ ପରେ ନାରୀ ଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ଶେଷରେ ବହୁମତ ସହ ପାରିତ ହୋଇଛି। ୪୫୪ ସଂସଦର ସଦସ୍ୟମାନେ ଏହି ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି, ଯାହା ସଂସଦ ନିର୍ବାଚନ ବ୍ୟବସ୍ଥାରେ ମହିଳାଙ୍କ ଏକ ତୃତୀୟାଂଶ ଅଂଶଗ୍ରହଣକୁ ସୁନିଶ୍ଚିତ କରେ। କେବଳ ୨ ଟି ଭୋଟ୍ ବିରୋଧରେ ପଡିଛି। ଏହା ପରେ ଆଜି ରାଜ୍ୟସଭାରେ ଏହା ଉପସ୍ଥାପିତ ହେବ, ଯେଉଁଠାରେ ଏହି ବିଲ୍ ଏକ ବଡ଼ ପରୀକ୍ଷଣର ସମ୍ମୁଖୀନ ହେବ।

ତେବେ ୨୭ ବର୍ଷର ଅପେକ୍ଷା ଆଜି ଶେଷ ହେବ ଏବଂ ବିଲ୍ ମଧ୍ୟ ରାଜ୍ୟସଭାରେ ପାରିତ ହେବ କି? ନା ଏହା ପୁଣି ଥରେ ସଂସଦର ଚାରି କାନ୍ଥ ଭିତରେ ହିଁ ରହିଯିବ? ଯଦିଓ ଏହି ବିଲ୍ ପ୍ରାୟ ସମସ୍ତ ଦଳ ସମର୍ଥନ କରିଛନ୍ତି, ତେଣୁ ଆଶା ବଢିଛି ଯେ ଏଥର ଏହା ମଧ୍ୟ ରାଜ୍ୟସଭାରେ ପାରିତ ହୋଇପାରେ।

ରାଜ୍ୟସଭାରେ ସମୀକରଣ କ’ଣ?:

ଆସନ୍ତୁ ରାଜ୍ୟସଭାରେ ବିଦ୍ୟମାନ ସମୀକରଣ ବିଷୟରେ ଆଲୋଚନା କରିବା ଯାହା, ଏହି ବିଲ୍ କୁ ରାଜ୍ୟସଭା ଅନୁମୋଦନ କରିବାରେ ସହାୟକ ହେବ। ରାଜ୍ୟସଭାରେ ସମୁଦାୟ ସାଂସଦଙ୍କ ସଂଖ୍ୟା ୨୪୦, ଯେଉଁଥିରୁ ବର୍ତ୍ତମାନ ୫ ଟି ଆସନ ପାଇଁ କୌଣସି ପ୍ରାର୍ଥୀ ନାହାଁନ୍ତି। ଅର୍ଥାତ୍ ପାଞ୍ଚଟି ସିଟ୍ ଖାଲି ଅଛି। ରାଜ୍ୟସଭାରେ ଏହି ବିଲ୍ ପାସ୍ କରିବାକୁ ୧୬୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ। ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ୧୧୪ ଟି ରାଜ୍ୟସଭା ସଦସ୍ୟ ଅଛନ୍ତି। ଯେଉଁଠାରେ ବିରୋଧୀ ମେଣ୍ଟ “ଇଣ୍ଡିଆ”ର ୯୮ ସଦସ୍ୟ ଅଛନ୍ତି। ଅନ୍ୟ ଦଳର ୨୮ ଜଣ ରାଜ୍ୟସଭା ସାଂସଦ ଅଛନ୍ତି।

ଯଦି ଉତ୍ସଗୁଡିକ ବିଶ୍ଵାସ କରାଯାଏ, କଂଗ୍ରେସ ନେତା ସୋନିଆ ଗାନ୍ଧୀ ଯେପରି ଲୋକସଭାରେ ମହିଳା ବିଲ୍ ପାଇଁ ସମର୍ଥନ ଘୋଷଣା କରିଥିଲେ ଏବଂ ଏହା ପରେ ୪୫୪ ସାଂସଦଙ୍କ ରେକର୍ଡ ଭୋଟ୍ ଦିଆଯାଇଥିଲା। ସେହିଭଳି ରାଜ୍ୟସଭାରେ ଏହାକୁ ସମର୍ଥନ କରାଯିବ ବୋଲି ଅନୁମାନ କରାଯାଉଛି।

ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ଏହା ଉପରେ ଆଲୋଚନା ପାଇଁ ୭:୩୦ ଘଣ୍ଟାର ସମୟ ସୀମା ସ୍ଥିର କରାଯାଇଛି। ଏହା ପରେ ଏଥିରେ ଭୋଟ୍ ଦିଆଯିବ। ଯଦି ଏହି ବିଲ୍ ରାଜ୍ୟସଭାରେ ପାରିତ ହୁଏ, ତେବେ ଏହାକୁ ଆଇନଗତ ମାନ୍ୟତା ଦେବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ସ୍ଵାକ୍ଷର ପାଇଁ ପଠାଯିବ।

୨୦୧୦ ରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିଲା:

ସଂସଦରେ ଏକ ତୃତୀୟାଂଶ ଅର୍ଥାତ୍ ମହିଳାଙ୍କ ୩୩% ଅଂଶଗ୍ରହଣ ନିଶ୍ଚିତ କରିବାକୁ ଏହି ବିଲ୍ ଗତ ୨୭ ବର୍ଷ ଧରି ବିଚାରାଧୀନ ଅଛି। ରାଜନୈତିକ ଦଳ ମଧ୍ୟରେ ସହମତି ଅଭାବରୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହି ବିଲ୍ କୁ ଆଇନଗତ ରୂପ ଦେବା ଦିଗରେ ସବୁଠାରୁ ବଡ କାର୍ଯ୍ୟ ୨୦୧୦ ମସିହାରେ କରାଯାଇଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ୟୁପିଏ କ୍ଷମତାରେ ଥିଲା। ସେତେବେଳେ ସରକାରଙ୍କୁ ସମର୍ଥନ କରୁଥିବା ସମାଜବାଦୀ ପାର୍ଟି (ଏସପି) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହି ବିଲକୁ ବିରୋଧ କରିଥିଲେ ଏବଂ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲେ। ଏହା ସତ୍ତ୍ୱେ ମନମୋହନ ସିଂଙ୍କ ସରକାର ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ବିଲକୁ ବିରୋଧ କରି ଏସପି, ବାହୁଜନ ସମାଜ ପାର୍ଟି (ବିଏସପି) ଏବଂ ଆରଜେଡିର ସାଂସଦମାନେ ଗୃହରେ ଅନୁପସ୍ଥିତ ରହିଥିଲେ। ସମୁଦାୟ ୧୮୬ ଟି ରାଜ୍ୟସଭା ସଦସ୍ୟ ଉପସ୍ଥିତ ଥିଲେ, ସେଥିମଧ୍ୟରୁ କେବଳ ଗୋଟିଏ ଭୋଟ୍ ବିଲ୍ ବିରୋଧରେ ହୋଇଥିଲା।

ଲୋକସଭାରେ ଏହି ବିଲ୍ କିପରି ପାରିତ ହେଲା:

ସଂସଦର ବର୍ତ୍ତମାନର ବିଶେଷ ଅଧିବେଶନର ତୃତୀୟ ଦିନ ବୁଧବାର ଦିନ ସରକାର ଏହାକୁ ଲୋକସଭାରେ ଉପସ୍ଥାପନ କରିଥିଲେ। ପ୍ରାୟ ୭ ଘଣ୍ଟାର ଦୀର୍ଘ ଆଲୋଚନା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଭୋଟ୍ ଗ୍ରହଣ କରିଥିଲେ। ସେଠାରେ ଉପସ୍ଥିତ ୪୫୬ ସଂସଦ ସଦସ୍ୟଙ୍କ ମଧ୍ୟରୁ କେବଳ ଦୁଇଟି ଭୋଟ୍ ବିଲ୍ ବିରୋଧରେ ହୋଇଥିଲା। ଏହି ବିଲ୍ ବିରୋଧରେ AIMIM ସାଂସଦ ଅସଦୁଦ୍ଦିନ ଓୱାଇସି ଏବଂ ଇମତିଆଜ ଜଲିଲ ଭୋଟ୍ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ମୁସଲମାନ ମହିଳାମାନଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଆମର ଦାବି ମଧ୍ୟ ପୂରଣ ହୋଇନାହିଁ, ତେଣୁ ଆମେ ଏହି ବିଲ୍ ବିରୋଧରେ ଭୋଟ୍ ଦେଇଥିଲୁ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତ୍ତି ଉପରେ ବଡ ହଙ୍ଗାମା, ନିର୍ମଳା ସୀତାରମଣଙ୍କ ଆପତ୍ତି

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ରେ ଏକାଠି ହେବାକୁ ସମସ୍ତ ଦଳକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ ସହ ଜଡିତ ବିଲ୍ ଉପରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେବା ପାଇଁ ରାଜ୍ୟସଭାର ଏକ ବଡ଼ ସୁଯୋଗ ରହିଛି। ନୂତନ ସଂସଦର ରାଜ୍ୟସଭାରେ ସ୍ୱାଗତ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟସଭାରେ ଭାଷଣ ଦେବାର ସୁଯୋଗ ଦିଆଯାଇଥିଲା। ଏହି ସମୟରେ ଶ୍ରୀ ଖଡଗେ କହିଛନ୍ତି ଯେ, ଓବିସି ମହିଳାମାନେ ନାରୀ ଶକ୍ତି ବନ୍ଦନ ଅଧିନିୟମରେ ସଂରକ୍ଷଣ ପାଇବା ଉଚିତ। ଏହି ବିବୃତ୍ତିରେ ରାଜ୍ୟସଭାରେ ଉତ୍ତେଜନା ଦେଖାଦେଇଥିଲା।

ଦଳଗୁଡ଼ିକ ଦୁର୍ବଳ ମହିଳାମାନଙ୍କୁ ଟିକେଟ୍ ଦିଅନ୍ତି:

ଶ୍ରୀ ଖଡଗେ କହିଛନ୍ତି ଯେ, “ସାଂସଦମାନେ ନିର୍ବାଚିତ ହୋଇ ଆସନ୍ତି। ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତିର ମହିଳାମାନେ ସେପରି ଶିକ୍ଷିତ ନୁହଁନ୍ତି। ସେମାନଙ୍କର ସାକ୍ଷରତା ମଧ୍ୟ ବହୁତ କମ୍ ଅଟେ। ସମସ୍ତ ଦଳର ଦୁର୍ବଳ ମହିଳାଙ୍କୁ ଟିକେଟ୍ ଦେବାର ଅଭ୍ୟାସ ରହିଛି। ଯେଉଁମାନେ ଲଢି ପାରନ୍ତି ସେମାନଙ୍କୁ ଟିକେଟ ଦିଅନ୍ତି ନାହିଁ। ଏହା ମୁଁ ଜାଣେ।”

ଖଡଗେଙ୍କ ବିବୃତ୍ତିରେ ବିଜେପିର ଆପତ୍ତି:

ବିଜେପି ନେତାମାନେ ଏହାକୁ ବିରୋଧ କରିଥିଲେ। ଏହା ପରେ ଶ୍ରୀ ଖଡଗେ କହିଛନ୍ତି ଯେ, ମୋର କହିବା କଥା ଯେ, ସେମାନେ ସର୍ବଦା ଦୁର୍ବଳ ବିଭାଗର ଲୋକଙ୍କୁ ପାଟି ନ ଖୋଲିବାକୁ କୁହନ୍ତି।

ବିଜେପି ସାଂସଦଙ୍କ ଦ୍ୱାରା ହଙ୍ଗାମା:

ତାଙ୍କ ବିବୃତ୍ତି ଉପରେ ବିଜେପି ସାଂସଦଙ୍କ ମଧ୍ୟରେ ହଙ୍ଗମା ଜାରି ରହିଥିଲା। ଏହା ଉପରେ ଶ୍ରୀ ଖଡଗେ କହିଛନ୍ତି ଯେ, “ମୁଁ ସମସ୍ତ ଦଳ ବିଷୟରେ କହୁଛି। ସବୁ ଦଳରେ ଏହା ହେଉଛି। ସେଥିପାଇଁ ମହିଳାମାନେ ତଳେ ଅଛନ୍ତି। ସେମାନଙ୍କୁ ଆଗକୁ ବଢିବାକୁ ଦିଅନ୍ତି ନାହିଁ।”

ନିର୍ମଳା ସୀତାରମଣ ଆପତ୍ତି ଜଣାଇଥିଲେ:

ଏହା ପରେ ଅଧ୍ୟକ୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ତାଙ୍କ ଆପତ୍ତି ପଞ୍ଜିକରଣ କରିବାକୁ କହିବାର ସୁଯୋଗ ଦେଇଥିଲେ। ସେ କହିଛନ୍ତି ଯେ, ଦଳ ମହିଳାଙ୍କୁ ଗୁରୁତ୍ୱ ଦେଉ ନାହିଁ ବୋଲି କହିବା ଅନ୍ୟାୟ। ଏହା ଭୁଲ ଅଟେ। ପାର୍ଟୀ ଆମ ସମସ୍ତଙ୍କୁ ସୁଯୋଗ ଦେଇଛି।

‘ମହିଳାମାନଙ୍କ ମଧ୍ୟରେ ପାର୍ଥକ୍ୟ କର ନାହିଁ’:

ଏହା ଉପରେ ନିର୍ମଳା ସୀତାରମଣ କହିଛନ୍ତି ଯେ, ରାଷ୍ଟ୍ରପତି ମୁର୍ମୁ କିଏ? ଆପଣ ସେପରି କହିପାରିବେ ନାହିଁ। ଆପଣ କିପରି ଦୁଇ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ କରିପାରିବେ? ଆମେ ସମସ୍ତ ମହିଳାଙ୍କ ପାଇଁ ସଂରକ୍ଷଣ ବିଷୟରେ କହୁଛୁ।

ଜଗଦୀପ ଧନଖଡ଼ ସମାଧାନ କରିବାକୁ ଚେଷ୍ଟା କରିଥିଲେ:

ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି ଯେ, ଆମେ ଏକ ଐତିହାସିକ ପ୍ରସଙ୍ଗ ଉପରେ ଆଲୋଚନା କରୁଛୁ।

ସର୍ବଦା ମହିଳା ସଂରକ୍ଷଣକୁ ସମର୍ଥନ କରନ୍ତି:

ଏହା ପରେ ଶ୍ରୀ ଖଡଗେ କହିଛନ୍ତି ଯେ, ମୁଁ କେବଳ କହୁଛି ଯେ ଆମେ ମହିଳା ସଂରକ୍ଷଣ ବିଲ୍କୁ ନିରନ୍ତର ସମର୍ଥନ କରିଛୁ। ୨୦୧୦ ରେ ଏହାକୁ ପାସ୍ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା। ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର।

ମଲ୍ଲିକାର୍ଜୁନ କହିଛନ୍ତି ଯେ, ସେମାନେ ଆମକୁ ଶ୍ରେୟ ଦିଅନ୍ତି ନାହିଁ, କିନ୍ତୁ ମୁଁ ସେମାନଙ୍କ ନଜରକୁ ଆଣିବାକୁ ଚାହୁଁଛି ଯେ ମହିଳା ସଂରକ୍ଷଣ ବିଲ୍ ୨୦୧୦ ରେ ପାରିତ ହୋଇସାରିଥିଲା, କିନ୍ତୁ ଏହାକୁ ବନ୍ଦ କରିଦିଆଯାଇଥିଲା।

Categories
ବିଶେଷ ଖବର

ନୂତନ ସଂସଦ ଭବନରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭବନରେ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି ।

ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ଅବସର ଐତିହାସିକ ଏବଂ ସ୍ମରଣୀୟ । ସେ ଲୋକସଭାରେ ତାଙ୍କ ଅଭିଭାଷଣକୁ ମନେ ପକାଇଥିଲେ ଏବଂ ଏହି ସ୍ୱତନ୍ତ୍ର ଅବସରରେ ରାଜ୍ୟସଭାକୁ ସମ୍ବୋଧିତ କରିବାର ସୁଯୋଗ ପାଇଥିବାରୁ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ ।

ରାଜ୍ୟସଭାକୁ ସଂସଦର ଉଚ୍ଚ ସଦନ ବୋଲି ବିବେଚନା କରାଯାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମ୍ବିଧାନ ନିର୍ମାତାଙ୍କ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ଯେ ଦେଶକୁ ଏକ ଦିଗ ଦେବା ସହିତ ରାଜନୈତିକ ଆଲୋଚନାର ପ୍ରବାହ ଓ ପ୍ରବାହରୁ ଉପରକୁ ଉଠି ଗୃହ ଗମ୍ଭୀର ବୌଦ୍ଧିକ ଆଲୋଚନାର କେନ୍ଦ୍ର ପାଲଟିବ । “ଏହା ଦେଶର ସ୍ୱାଭାବିକ ଆଶା”, ବୋଲି ଉଲ୍ଲେଖ କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ପାଇଁ ଏଭଳି ଅବଦାନ କାର୍ଯ୍ୟବାହୀର ମୂଲ୍ୟ ବୃଦ୍ଧି କରିଥାଏ ।

ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ମତକୁ ଉଦାହରଣ ଦେଇ କହିଥିଲେ ଯେ ସଂସଦ କେବଳ ଏକ ବିଧାନ ସଭା ନୁହେଁ ବରଂ ଏକ ବିଚାର ବିମର୍ଶକାରୀ ସଂସ୍ଥା । ଶ୍ରୀ ମୋଦୀ କହିଥିଲେ ଯେ ରାଜ୍ୟସଭାରେ ଗୁଣାତ୍ମକ ବିତର୍କ ଶୁଣିବା ସବୁବେଳେ ଆନନ୍ଦଦାୟକ ହୋଇଥାଏ । ନୂଆ ସଂସଦ କେବଳ ଏକ ନୂଆ କୋଠା ନୁହେଁ ବରଂ ଏହା ଏକ ନୂଆ ଆରମ୍ଭର ପ୍ରତୀକ ବୋଲି ସେ କହିଛନ୍ତି । ଅମୃତ କାଳର ସକାଳ ସମୟରେ ଏହି ନୂତନ କୋଠା ୧୪୦ କୋଟି ଭାରତୀୟଙ୍କ ଠାରେ ଏକ ନୂତନ ଶକ୍ତି ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ଦେଶ ଆଉ ଅପେକ୍ଷା କରିବାକୁ ପ୍ରସ୍ତୁତ ନଥିବାରୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଲକ୍ଷ୍ୟ ହାସଲ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ନୂତନ ଚିନ୍ତାଧାରା ଓ ଶୈଳୀ ସହିତ ଆଗକୁ ବଢ଼ିବାର ସମୟ ଆସିଛି ଏବଂ ଏଥିପାଇଁ କାର୍ଯ୍ୟ ଓ ବିଚାର ପ୍ରକ୍ରିୟାର ପରିସରକୁ ବିସ୍ତାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂସଦୀୟ ସଚ୍ଚୋଟତାକୁ ନେଇ ଗୃହ ସମଗ୍ର ଦେଶର ବିଧାନ ସଭାଗୁଡ଼ିକ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିବ ।

ବିଗତ ୯ ବର୍ଷ ମଧ୍ୟରେ ନିଆ ଯାଇଥିବା ନିଷ୍ପତ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେହି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥିଲେ ଯାହା ଅନେକ ଦଶନ୍ଧି ଧରି ପଡି ରହିଛି ଏବଂ ସ୍ମରଣୀୟ ଭାବରେ ବିବେଚନା କରାଯାଏ ।

“ରାଜନୈତିକ ଦୃଷ୍ଟିକୋଣରୁ ଏଭଳି ପ୍ରସଙ୍ଗକୁ ସ୍ପର୍ଶ କରିବା ଏକ ବଡ଼ ଭୁଲ୍ ବୋଲି ବିବେଚନା କରାଯାଏ”, କିନ୍ତୁ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟକ ସଂଖ୍ୟା ନଥିଲେ ମଧ୍ୟ ସରକାର ଏ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହା କହିଥିଲେ । ଦେଶର ଉନ୍ନତି ପାଇଁ ଏହି ପ୍ରସଙ୍ଗ ଗୁଡ଼ିକୁ ଗ୍ରହଣ କରାଯାଇ ସମାଧାନ କରାଯାଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ସଦସ୍ୟ ମାନଙ୍କର ପରିପକ୍ୱତା ଓ ବୁଦ୍ଧିକୁ ଏଥିପାଇଁ ଶ୍ରେୟ ଦେଇଥିଲେ । ରାଜ୍ୟସଭାର ମର୍ଯ୍ୟାଦା ଗୃହରେ ସଂଖ୍ୟା ଗରିଷ୍ଠତା ଯୋଗୁଁ ନୁହେଁ ବରଂ ଦକ୍ଷତା ଓ ବୁଝାମଣା ଯୋଗୁଁ ବଜାୟ ରଖାଯାଇଛି ବୋଲି ସେ କହିଛନ୍ତି । ଏହି ସଫଳତା ପାଇଁ ଗୃହର ସମସ୍ତ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ପରିବର୍ତ୍ତନ ସତ୍ତ୍ୱେ ଜାତୀୟ ସ୍ୱାର୍ଥକୁ ସର୍ବୋଚ୍ଚ ରଖିବା ପାଇଁ ପ୍ରୟାସ କରାଯାଇଛି ।

ରାଜ୍ୟସଭାର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମବାୟ ସଂଘବାଦ ଉପରେ ଗୁରୁତ୍ୱ ଦେବା ସମୟରେ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବହୁତ ସହଯୋଗ ସହ ଆଗେଇ ଚାଲିଛି । ସେ କେନ୍ଦ୍ର – ରାଜ୍ୟ ସହଯୋଗର ଏକ ଉଦାହରଣ ଆକାରରେ କରୋନା ମହାମାରୀର ମୁକାବିଲା କରିବା ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ବିପର୍ଯ୍ୟୟ ସମୟରେ ନୁହେଁ ବରଂ ଉତ୍ସବ ସମୟରେ ମଧ୍ୟ ଭାରତ ବିଶ୍ୱକୁ ପ୍ରଭାବିତ କରିଛି । ସେ କହିଥିଲେ ଯେ ୬୦ ରୁ ଅଧିକ ସହରରେ ଜି – ୨୦ କାର୍ଯ୍ୟକ୍ରମ ଏବଂ ଦିଲ୍ଲୀରେ ଶିଖର ସମ୍ମିଳନୀରେ ଏହି ମହାନ ରାଷ୍ଟ୍ରର ବିବିଧତା ପ୍ରଦର୍ଶିତ ହୋଇଥିଲା । ଏହା ସମବାୟ ସଂଘବାଦର ଶକ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ନୂତନ କୋଠାଟି ସଂଘୀୟ ଭାବନାକୁ ମଧ୍ୟ ପ୍ରତିନିଧିତ୍ୱ କରେ କାରଣ ନୂତନ କୋଠାର ଯୋଜନାରେ ରାଜ୍ୟମାନଙ୍କର କଳାକୃତି ଗୁଡିକ ପ୍ରାଧାନ୍ୟ ପାଇଛନ୍ତି ।

ଦୈନନ୍ଦିନ ଜୀବନରେ ପ୍ରଯୁକ୍ତି ବିଦ୍ୟାର ବୃଦ୍ଧି ପାଉଥିବା ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯେଉଁ ଅଗ୍ରଗତି ହାସଲ କରିବାକୁ ୫୦ ବର୍ଷରୁ ଅଧିକ ସମୟ ଲାଗିଥିଲା ତାହା ବର୍ତ୍ତମାନ କିଛି ସପ୍ତାହ ମଧ୍ୟରେ ଅନୁଭବ କରାଯାଇପାରିବ । ବୃଦ୍ଧି ପାଉଥିବା ବୈଷୟିକ ଉନ୍ନତି ସହିତ ଖାପ ଖୁଆଇବା ପାଇଁ ନିଜକୁ ଏକ ଗତିଶୀଳ ଉପାୟରେ ଗଢି ତୋଳିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ସଦନରେ ଆମେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିଛୁ, ଯେତେବେଳେ ୨୦୪୭ରେ ନୂତନ ଭବନରେ ସ୍ୱାଧୀନତାର ଶତାବ୍ଦୀ ପାଳନ କରାଯିବ, ଏହା ବିକଶିତ ଭାରତରେ ଏକ ଉତ୍ସବ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁରୁଣା କୋଠାରେ ଆମେ ବିଶ୍ୱର ଅର୍ଥନୀତି ଦୃଷ୍ଟିରୁ ପଞ୍ଚମ ସ୍ଥାନରେ ପହଞ୍ଚି ଯାଇଥିଲେ । ମୋର ବିଶ୍ୱାସ ଯେ ନୂଆ ସଂସଦରେ ଆମେ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ସାମିଲ ହେବୁ । ଗରିବଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଥିବା ବେଳେ ନୂଆ ସଂସଦରେ ଆମେ ସେହି ସବୁ ଯୋଜନାର କଭରେଜ୍ ହାସଲ କରିବୁ ବୋଲି ସେ ଉଲ୍ଲେଖ କରିଥିଲେ ।

ଗୃହ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ହୋଇ ଥିବାରୁ ନୂତନ ସଂସଦ ଭବନ ସହିତ ନୂତନ ଜ୍ଞାନକୌଶଳ ଗ୍ରହଣ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗୃହରେ ଉପଲବ୍ଧ ନୂତନ ଜ୍ଞାନକୌଶଳରେ ଅଭ୍ୟସ୍ତ ହେବା ପାଇଁ ପରସ୍ପରକୁ ସହଯୋଗ କରିବାକୁ ସେ ସାଂସଦ ମାନଙ୍କୁ ଅନୁରୋଧ କରିଥିଲେ ।

ଏହି ଡିଜିଟାଲ ଯୁଗରେ ଆମେ ଟେକ୍ନୋଲୋଜିକୁ ଆମ ଜୀବନର ଏକ ଅଂଶ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମେକ୍ ଇନ୍ ଇଣ୍ଡିଆ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଶକ୍ତି ଏବଂ ଉତ୍ସାହ ସହିତ ଦେଶ ଏହି ପଦକ୍ଷେପର ଭରପୂର ଫାଇଦା ଉଠାଉଛି ।

ଲୋକ ସଭାରେ ଉପସ୍ଥାପିତ ନାରୀଶକ୍ତି ବନ୍ଦନ ଅଧିନିୟମ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଆମେ ଜୀବନର ସହଜତା ବିଷୟରେ କହିଥାଉ, ସେତେବେଳେ ସେହି ସହଜତାର ପ୍ରଥମ ଦାବି ମହିଳାଙ୍କର ହୋଇଥାଏ । ସେ କହିଥିଲେ ଯେ ଅନେକ କ୍ଷେତ୍ରରେ ମହିଳା ମାନଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରାଯାଉଛି । ମହିଳାଙ୍କ ସାମର୍ଥ୍ୟକୁ ସୁଯୋଗ ମିଳିବା ଦରକାର । ସେମାନଙ୍କ ଜୀବନରେ ‘ଯଦି ଏବଂ କିନ୍ତୁ’ ର ସମୟ ଶେଷ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଛନ୍ତି ଯେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଏକ ଜନକାର୍ଯ୍ୟକ୍ରମରେ ପରିଣତ ହୋଇଛି । ସେ ଜନ ଧନ ଏବଂ ମୁଦ୍ରା ଯୋଜନାରେ ମହିଳା ମାନଙ୍କର ଅଂଶଗ୍ରହଣ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ଏବଂ ତିନି ତଲାକ ଉଚ୍ଛେଦ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ଦୃଢ଼ ଆଇନ ବିଷୟରେ ଉଲ୍ଲେଖ କରିଥିଲେ । ଜି – ୨୦ ରେ ମହିଳା ମାନଙ୍କ ନେତୃତ୍ୱାଧୀନ ବିକାଶ ସବୁଠୁ ବଡ଼ ଆଲୋଚନାର ବିଷୟ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସଂସଦରେ ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ ଦଶନ୍ଧି ଧରି ବିଚାରାଧୀନ ରହିଛି ଏବଂ ସମସ୍ତେ ନିଜ ନିଜ ସାମର୍ଥ୍ୟରେ ଏଥିରେ ଯୋଗଦାନ ଦେଇଛନ୍ତି । ୧୯୯୬ ମସିହାରେ ଏହି ବିଲ୍ ପ୍ରଥମେ ଆଗତ ହୋଇଥିଲା ଏବଂ ଅଟଳ ଜୀଙ୍କ କାର୍ଯ୍ୟକାଳରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା, କିନ୍ତୁ ସଂଖ୍ୟା ଗରିଷ୍ଠତା ଅଭାବରୁ ଏହି ବିଲ୍ ପାରିତ ହୋଇ ପାରିନଥିଲା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି ବିଲ୍ ଶେଷରେ ଆଇନରେ ପରିଣତ ହେବ ଏବଂ ନୂତନ କୋଠାର ନୂତନ ଶକ୍ତି ସହିତ ରାଷ୍ଟ୍ର ନିର୍ମାଣ ଦିଗରେ ‘ନାରୀ ଶକ୍ତି’ ସୁନିଶ୍ଚିତ କରିବ । ସେ ଆଜି ଲୋକସଭାରେ ନାରୀ ଶକ୍ତି ବନ୍ଦନା ଅଧିନିୟମକୁ ସମ୍ବିଧାନ ସଂଶୋଧନ ବିଲ୍ ଭାବେ ଉପସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଯାହା ଉପରେ ଆସନ୍ତାକାଲି ବିତର୍କ ହେବ । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଶେଷ କରି ରାଜ୍ୟସଭାର ସଦସ୍ୟ ମାନଙ୍କୁ ସର୍ବସମ୍ମତି କ୍ରମେ ଏହି ବିଲ୍‌କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ, ଯାହା ଦ୍ୱାରା ଏହାର ଶକ୍ତି ଏବଂ ପହଞ୍ଚକୁ ସମ୍ପୂର୍ଣ୍ଣ ରୂପେ ବୃଦ୍ଧି କରା ଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ସଂସଦର ସ୍ୱତନ୍ତ୍ର ଅଧିବେଶନ: ଗୃହରେ ଉପସ୍ଥିତ ରହିବାକୁ ହ୍ଵିପ ଜାରି କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବୁଧବାର ସରକାର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ପ୍ରକାଶ କରିଛନ୍ତି। ସେପଟେ ଭାରତୀୟ ଜନତା ପାର୍ଟି ଏହାର ସାଂସଦମାନଙ୍କ ପାଇଁ ହ୍ଵିପ ଜାରି କରିଛି। ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବିଜେପି ନିର୍ଦ୍ଦେଶ ଦେଇଛି।

ସେପ୍ଟେମ୍ବର ୧୭ ରେ ସର୍ବଦଳୀୟ ବୈଠକ:

ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ସେପ୍ଟେମ୍ବର ୧୭ ତାରିଖ ଦିନ ଅପରାହ୍ନ ୪.୩୦ ରେ ଡକାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହା ଘୋଷଣା କରିଥିଲେ। ସେ କହିଛନ୍ତି ଯେ, ଏ ସମ୍ପର୍କରେ ନିମନ୍ତ୍ରଣ ସଂପୃକ୍ତ ନେତାଙ୍କ ନିକଟକୁ ଇ-ମେଲ ମାଧ୍ୟମରେ ପଠାଯାଇଛି। ଚିଠି ମଧ୍ୟ ପଠାଯିବ।

ସ୍ୱତନ୍ତ୍ର ଅଧିବେଶନରେ କୌଣସି ପ୍ରଶ୍ନ କାଳ ରହିବ ନାହିଁ:

ଲୋକସଭା ଏବଂ ରାଜ୍ୟସଭା ସଚିବାଳୟ ନିକଟରେ ସେମାନଙ୍କ ବୁଲେଟିନ୍‌ରେ ସୂଚନା ଦେଇଛନ୍ତି ଯେ, ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ। ସରକାରଙ୍କ କାର୍ଯ୍ୟକାରିତାକୁ ବିଚାରକୁ ନେଇ ଏହା ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ କୁହାଯାଇଛି ଯେ, ଏହି ଅଧିବେଶନ ସାଧାରଣତ ସକାଳ ୧୧ ଟାରୁ ୧ ଟା ଏବଂ ତା’ପରେ ଅପରାହ୍ନ ୨ ଟାରୁ ୬ ଟା ପର୍ଯ୍ୟନ୍ତ ଚାଲିବ। ସଚିବାଳୟ ସୂତ୍ର ଅନୁଯାୟୀ, ସ୍ୱତନ୍ତ୍ର ଅଧିବେଶନରେ ଉଭୟ ଘରେ ପ୍ରଶ୍ନ କାଳ ଏବଂ ଅଣ-ସରକାରୀ କାର୍ଯ୍ୟ ହେବ ନାହିଁ।