ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଲାଗି କେନ୍ଦ୍ରକୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ

Published: Jun 11, 2021, 1:23 pm IST

ଭୁବନେଶ୍ବର: ଧାନରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଲାଗି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ଚିଠି ଲେଖିଛନ୍ତି। ବର୍ତ୍ତମାନ କେନ୍ଦ୍ର ପକ୍ଷରୁ ବୃଦ୍ଧି କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ମାମୁଲି ଅଟେ। ତେଣୁ ଧାନ କ୍ଵିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅରୁଣ ଦାବି କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୯ ତାରିଖରେ ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ୨୦୧୯-୨୦୨୦ ମସିହାରେ ଥିବା ଧାନର ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ କେନ୍ଦ୍ର ସରକାର ୧୯୪୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଏହାସହ ରାଶି, ହରଡ, ବିରି, ବାଜରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛି। ରାଶିର କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୫୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବିରି ଓ ହରଡ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇଛନ୍ତି।

କିନ୍ତୁ ଏହି ବୃଦ୍ଧିରେ ରାଜ୍ୟ ସରକାର ଅସନ୍ତୋଷ ବ୍ୟକ୍ତ କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ ୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛି।

Related posts