ମୋଦି ନିର୍ବାଚନ ଜିତିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନାରେ ବେଶ୍‌ ଉନ୍ନତ ଘଟିବ : ଇମ୍ରାନ୍‌ ଖାନ୍‌

Published: Apr 10, 2019, 1:53 pm IST

ଭାରତରେ ନିର୍ବାଚନକୁ ନେଇ ରାଜନୀତି ପାଣିପାଗ ବେଶ୍‌ ସରଗରମ ରହିଥିବାବେଳେ ଏହାର ପ୍ରଭାବ ମଧ୍ୟ ପଡ଼ୋଶୀ ଦେଶମାନଙ୍କ ଉପରେ ପଡୁଛି। ଭାରତର ନିର୍ବାଚନକୁ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଜି ଏକ ବୟାନ ଦେଇଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ, ଯଦି ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କର ବିଜୟ ହେଉଛି, ତେବେ ଦୁଇ ଦେଶ ମଧ୍ୟରେ ଶାନ୍ତିର ଆଲୋଚନା ଉଜ୍ଜ୍ବଳ ହୋଇପାରିବ। ଯଦି ଚଳିତ ନିର୍ବାଚନରେ ବିପକ୍ଷ ପାର୍ଟି କଂଗ୍ରେସର ବିଜୟ ହେଉଛି, ତେବେ କଂଗ୍ରେସ ନେତୃତ୍ବରେ ସରକାର କାଶ୍ମୀର ସମସ୍ୟାକୁ ନେଇ ପାକିସ୍ତାନ ସହ ଶାନ୍ତିବାର୍ତ୍ତା ନ ହେବାକୁ ନେଇ ସମ୍ଭାବନା ରହିବ କିମ୍ବା ପରିସ୍ଥିତି ଏହାଠାରୁ ଭୟାବହ ହୋଇପାରେ ବୋଲି କହିଛନ୍ତି ଇମ୍ରାନ୍‌। ଇମ୍ରାନ୍‌ ଏକ ସାକ୍ଷାତ୍‌କାରରେ ଏହି ବିଷୟରେ ନିଜର ମତାମତ ଦେଇଛନ୍ତି। ସେହିପରି ଇମ୍ରାନ୍‌ ହିନ୍ଦୁ ରାଷ୍ଟ୍ରବାଦ ଉପରେ ନିଶାନା ଲଗାଇ କହିଛନ୍ତି ଯେ, ପୂର୍ବରୁ ଭାରତରେ ମୁସଲିମ୍‌ ସମ୍ପ୍ରଦାୟ ଲୋକ ବହୁତ ଖୁସିରେ ଶାନ୍ତିପୂର୍ବକ ରହୁଥିଲେ, କିନ୍ତୁ ଆଜିର ହିନ୍ଦୁ ରାଷ୍ଟ୍ରବାଦର କାରଣ ହେତୁ ଏହି ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହେବା ସହିତ ବହୁତ ଖରାପ ରହିଛି। ବିଜେପି ଏଇ ସପ୍ତାହରେ ଜମ୍ମୁକାଶ୍ମୀରର ଲୋକଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି। ଯେଉଁ ଆଧାରରେ ରାଜ୍ୟ ବାହାରର ଲୋକ ସେଠାରେ ସମ୍ପତ୍ତି କିଣିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଇମ୍ରାନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, କାଶ୍ମୀର ଏକ ରାଜେନୖତିକ ସମସ୍ୟା, ଯାହାର ସମାଧାନ ସୈନ୍ୟ କରିପାରିବେ ନାହିଁ। ଗତ ଫେବୃଆରୀ ୧୪ ତାରିଖ ଫୁଲଓ୍ବାମା ଆକ୍ରମଣ ପରେ ଭାରତ – ପାକିସ୍ତାନ ମଧ୍ୟରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଇମ୍ରାନ୍‌ଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ବିଜେପିକୁ ସିଧା ନିଶାନା କରି  “ବିଜେପିକୁ ଭୋଟ୍‌ ହେଉଛି ପାକିସ୍ତାନକୁ ଭୋଟ୍‌” ବୋଲି  ତାଙ୍କ ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି।

Related posts