ଆସନ୍ତାକାଲି ଠାରୁ କୋଭିଡ଼ କଟକଣାକୁ କରାଗଲା କୋହଳ: ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

Published: Jun 16, 2021, 1:47 pm IST

ଭୁବନେଶ୍ଵର: ଆସନ୍ତାକାଲି ସକାଳ ୫ ଟା ସୁଦ୍ଧା ରାଜ୍ୟରେ ଲକଡାଉନ-୩.୦ କଟକଣା ସମାପ୍ତ ହେଉଛି। ହେଲେ ଆସନ୍ତାକାଲି ଠାରୁ ପୁଣିଠାରେ ଲକଡାଉନ କଟକଣା ଜାରି ହେବ କି ନାହିଁ, ତାହା ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଜୀବିକାକୁ ଗୁରୁତ୍ଵ ଦେଇ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆଂଶିକ କୋହଳ କରିଛନ୍ତି। ଆସନ୍ତାକାଲି ସକାଳ ୫ ଟାରୁ ଜୁଲାଇ ୧ ତାରିଖ ସକାଳ ୫ ଟା ଯାଏଁ ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା ହୋଇଛି।

ସଂକ୍ରମଣ କମିଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ ଟି ଜିଲ୍ଲାରେ ସକାଳ ୬ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଉଛି। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ଗୁଡିକରେ କଟକଣା କୋହଳ କରାଯାଇଛି। ସେହିପରି ଅନ୍ୟ ୧୩ ଟି ଜିଲ୍ଲାରେ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କର୍ଫ୍ଯୁ ବଳବତ୍ତର ରହିବ।

ପୂର୍ବଭଳି ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ଏହି ଆଂଶିକ ଲକଡାଉନ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, ବସ ସେବା, ସିନେମା ହଲ, ସେଲୁନ, ସ୍ପା, ଜିମ୍ ବନ୍ଦ ରହିବ। ରାଜ୍ୟରେ ସବୁ ମନ୍ଦିର ବନ୍ଦ ରହିବ। କେବଳ ମନ୍ଦିରରେ ନୀତିକାନ୍ତି ଚାଲିବ। ବିବାହ, ବ୍ରତଘର ଏବଂ ଶୁଦ୍ଧିକ୍ରିୟା ପାଇଁ କଟକଣା ବଳବତ୍ତର ରହିବ।

ଦୁଗ୍ଧ ଚାଷୀଙ୍କ ହିତ ପାଇଁ ରାଜ୍ୟର ସମସ୍ତ ମିଠା ଦୋକାନ ଖୋଲା ରହିବ। ବିଦ୍ୟୁତ ଉପକରଣ ଦୋକାନ, ସ୍ୱାସ୍ଥ୍ୟ ସମ୍ବଧୀୟ ଦୋକାନ, ଚାଷୀ ସମ୍ବଧୀୟ ଦୋକାନ ଖୋଲା ରହିବ। ଖାଦ୍ୟ ଦୋକାନମାନଙ୍କରେ ଖାଇବା ପାଇଁ ଅନୁମତି ନାହିଁ। କେବଳ ଗ୍ରାହକମାନଙ୍କୁ ଖାଦ୍ୟ ପାର୍ସଲ ନେବା ପାଇଁ ଅନୁମତି ରହିଛି। ସାଇକେଲ ଗାଡି ମରାମତି ଦୋକାନ ଖୋଲା ରହିବ। ସେହିଭଳି ସାରା ରାଜ୍ୟରେ ୬ ଟା ରୁ ୯ ଟା ଯାଏଁ ମର୍ଣ୍ଣିଂ ୱାକ୍ ଏବଂ ସାଇକେଲିଂ ପାଇଁ ଅନୁମତି ରହିଛି। ସରକାରୀ ଏବଂ ଘରୋଇ ଅଫିସରେ ୫୦ ପ୍ରତିଶତଙ୍କୁ ନେଇ କାର୍ଯ୍ୟ ଚାଲିବ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Related posts