ଜମ୍ମୁ-କାଶ୍ମୀରକୁ ନେଇ ଦେଖାଗଲା ରାଜନୈତିକ ହଲଚଲ: ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

Published: Jun 19, 2021, 11:28 am IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ପୁଣି ଥରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଆସନ୍ତା ୨୪ ତାରିଖକୁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇପାରନ୍ତି। ଏଥିରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଲାଗି ଆଲୋଚନା ହେବା ସମ୍ଭାବନା ରହିଛି।

୨୦୧୯ ଅଗଷ୍ଟ ମାସରେ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟାଇବା ଏବଂ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବାଣ୍ଟିବା ପରେ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ପାଖାପାଖି ୨ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ଚାଲିଥିବା ରାଜନୈତିକ ଗତିରୋଧ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏହା ଏକ ବଡ ପ୍ରୟାସ ବୋଲି କୁହାଯାଉଛି।

ଏହି ବୈଠକ ପାଇଁ ଜମ୍ମୁ-କାଶ୍ମୀରର ନେତାଙ୍କୁ ମଧ୍ୟ ଡକାଯାଇଛି। ଗତକାଲି ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ୯ ଟି ରାଜନୈତିକ ଦଳକୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସାଥିରେ ଏହି ସର୍ବଦଳୀୟ ବୈଠକରେ ୧୬ ଟି ରାଜନୈତିକ ଦଳକୁ ଡାକିବା ସମ୍ଭାବନା ରହିଛି। ତେବେ ଏହି ବୈଠକରେ ବିଧାନସଭା ନିର୍ବାଚନ ସହ ପୂର୍ଣ୍ଣ ରାଜ୍ୟ ମାନ୍ୟତାକୁ ନେଇ ଆଲୋଚନା ହେବା ସମ୍ଭାବନା ରହିଛି।

କେନ୍ଦ୍ର ପକ୍ଷରୁ ନ୍ୟାସନାଲ କନଫରେନ୍ସ ଦଳର ଅଧ୍ୟକ୍ଷ ଫାରୁକ ଅବଦୁଲା, ପିଡିପି ମୁଖ୍ୟ ମହାବୁବା ମୁଫ୍ତି, ଜମ୍ମୁ-କାଶ୍ମୀର ଅପନୀ ପାର୍ଟିର ଅଲତାଫ ବୁଖାରୀ ଏବଂ ପିପୁଲ୍ସ କନଫରେନ୍ସର ମୁଖ୍ୟ ସଜ୍ଜାଦ ଲୋନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି। ଏହାସହ ସର୍ବଦଳୀୟ ବୈଠକରେ ଜମ୍ମୁ-କାଶ୍ମୀରର ବିଜେପି ଏବଂ କଂଗ୍ରେସ ନେତା ସାମିଲ ହେବାର ସମ୍ଭାବନା ରହିଛି।

Related posts