ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ସ୍ଥାନାନ୍ତର ହେଲେ କିଛି ଅସୁବିଧା ନାହିଁ: ସମାଜବାଦୀ ପାର୍ଟି

Published: Jun 19, 2021, 4:33 pm IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରେ ୧୯୮୮ ମସିହାରେ ସ୍ଥାପିତ ହୋଇଥିବା ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତର କରାଗଲେ କୌଣସି ଅସୁବିଧା ହେବନାହିଁ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ସ୍ମାର୍ଟସିଟି ପ୍ରକଳ୍ପ ଭୁବନେଶ୍ୱର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଆଖି ଆଗରେ ରଖି କରାଯାଉଛି। ତେଣୁ କିଛି ପୁରୁଣା ପ୍ରତିମୂର୍ତ୍ତିକୁ ହଟାଇ ନୂଆ ପ୍ରକଳ୍ପ ସବୁ କରିବାର ଆବଶ୍ୟକତା ରହିଛି।

ଏହି ଦୃଷ୍ଟିରୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ ହୋଇଥିବା ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ଭୁବନେଶ୍ୱରର ଅନ୍ୟ ଏକ କେନ୍ଦ୍ରସ୍ଥଳ ରାଜଭବନ ଛକକୁ ସ୍ଥାନାନ୍ତର କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ଆମ୍ଭେ ସ୍ୱାଗତ କରୁଛୁ। କିଛି ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ନେଇ ଗୋଳିଆ ପାଣିରୁ ମାଛ ଧରିବାର ଯେଉଁ ଉଦ୍ୟମ କରୁଛନ୍ତି, ସେଥିରୁ ସେମାନେ କ୍ଷାନ୍ତ ହେବାକୁ ସମାଜବାଦୀ ପାର୍ଟି ସେମାନଙ୍କୁ ବିନମ୍ର ଅନୁରୋଧ କରୁଛି।

ଜନସାଧାରଣଙ୍କ ହିତ ଓ ରାଜଧାନୀର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ଦୃଷ୍ଟିରୁ ଘୋଡ଼ାକୁ ସ୍ଥାନାନ୍ତର କରାଯାଇ ରାଜଭବନ ଛକରେ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଯଥାର୍ଥ ଓ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି।

ଏହା କାହାର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କିମ୍ବା କାହାକୁ ଆଘାତ ଦେବା ପାଇଁ କରାଯାଉ ନାହିଁ, ବରଂ ରାଜଧାନୀ ଭୁବନେଶ୍ୱରର ଭବିଷ୍ୟତ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି। ତେଣୁ ଏହାକୁ ବିରୋଧ ନକରି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ସହଯୋଗ କରିବାକୁ ସେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି।

Related posts