
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଗୁରୁବାର ଦେଶରେ ଆସନ୍ତା ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆସନ୍ତା ମେ ୧୮ରେ ହେବ ବୋଲି ସେ ଘୋଷଣା କରିଛନ୍ତି। ମୋରିସନଙ୍କ ପାଇଁ ନିର୍ବାଚନରେ ଜଳବାୟୁ ପରିବର୍ତ୍ତନ ଏବଂ ଅର୍ଥବ୍ୟବସ୍ଥା ପ୍ରମୁଖ ପ୍ରସଙ୍ଗ ହେବ। ମୋରିସନ ନିର୍ବାଚନ ତାରିଖ ଘୋଷଣା କରି କହିଥିଲେ ଯେ ଏବେଠାରୁ ପ୍ରଚାର ଅଧିକାରୀଙ୍କ କାର୍ଯ୍ୟ ଆରମ୍ଭ ହେଲା। ଏହି ନିର୍ବାଚନରେ ଜିତିଲେ ସ୍କଟ୍ ମୋରିସନ୍ ତୃତୀୟ ଥର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିବେ। ଯଦି ମୋରିସନ୍ ନିର୍ବାଚିତ ହେବାରେ ବିଫଳ ହୁଅନ୍ତି ତେବେ ଶ୍ରମିକ ନେତା ବିଲ୍ ସର୍ଟେନ୍ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବେ। ୨୦୧୮ରେ ଅଷ୍ଟ୍ରେଲିଆର ଅର୍ଥ ମନ୍ତ୍ରୀ ଥିବା ସ୍କଟ୍ ମୋରିସନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ହେବା ପରେ ସେ ପଶ୍ଚିମ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେଇଥିଲେ। ଏହି ନିର୍ବାଚନ ଅଷ୍ଟ୍ରେଲିଆର ଅର୍ଥନୈତିକ ଅଭିବୃଦ୍ଧିକୁ ଆାଗାମୀ ତିନି ବର୍ଷ ନୁହେଁ ବରଂ ଏକ ଦଶନ୍ଧି ପାଇଁ ନିୟନ୍ତ୍ରଣ କରିବ ବୋଲି ମୋରିସନ୍ ପ୍ରକାଶ କରିଥିଲେ। ଗତଥରର ଅଷ୍ଟ୍ରେଲିଆ ନିର୍ବାଚନରେ ୯୫ ପ୍ରତିଶତ ଲୋକ ଭୋଟ ଦେଇଥିଲେ ଯାହାକି ଏକ ରେକର୍ଡ।