
ପାକିସ୍ତାନରେ ଏକ ଶକ୍ତିଶାଳୀ ବୋମା ବିସ୍ଫାେରଣରେ ୧୬ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନୀ ସହର କ୍ବେଟାର ଦକ୍ଷିଣ ପଶ୍ଚିମ ଇଲାକାରେ ଏହି ବିସ୍ଫୋରଣ ଘଟିଛି। ସିଆ ସମ୍ପ୍ରଦାୟର ଲୋକ ମାନେ ରହୁଥିବା ଏହି ଅଞ୍ଚଳରେ ବିସ୍ଫୋରଣରେ ଅନ୍ୟୁନ ୧୬ ଜଣ ନିହତ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୋଲିସ ମୁଖ୍ୟ ଅବ୍ଦୁର ରଜାକ୍ ଶୁକ୍ରବାର ସକାଳୁ ଗଣମାଧ୍ୟମ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି। କୌଣସି ଆତଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସୁନ୍ନି ଜିହାଦୀ ମାନେ ଅତୀତରେ ଏଭଳି କାଣ୍ଡ ଘଟାଇଥିବାରୁ ଏହି ଘଟଣାରେ ମଧ୍ୟ ସୁନ୍ନି ସଙ୍ଗଠନର ହାତ ରହିଥିବା ନେଇ ରଜାକ ସନ୍ଦେହ ପ୍ରକଟ କରିଛନ୍ତି। ବେଲୁଚିସ୍ତାନର ରାଜଧାନୀ କ୍ବେଟା ପ୍ରାକୃତିକ ଗ୍ୟାସ୍ ଏବଂ ତୈଳରେ ଭରପୁର ରହିଥିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଏହାକୁ ଅକ୍ତିଆର କରିବା ନେଇ ପ୍ରତିଦ୍ବନ୍ଦିତା ଚଳାଇଛନ୍ତି।