ଦଳିତ, ପଛୁଆ ଏବଂ ମହିଳାଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତିକୁ ହଜମ କରି ପାରୁନାହାନ୍ତି ବିରୋଧୀ: ପ୍ରଧାନମନ୍ତ୍ରୀ ମୋଦୀ

Published: Jul 19, 2021, 2:57 pm IST

ନୂଆଦିଲ୍ଲୀ: ଲୋକସଭାରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଦଳର ଅସନ୍ତୋଷ ତଥା ସ୍ଲୋଗାନ ମଧ୍ୟରେ ମନ୍ତ୍ରୀ ପରିଷଦରେ ନୂତନ ଭାବେ ନିଯୁକ୍ତ ମନ୍ତ୍ରୀମାନଙ୍କୁ ପରିଚିତ କରାଇଥିଲେ। ଏହି ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ଦଳିତ-ପଛୁଆ ବର୍ଗ (ଏସସି ଏସଟି, ଓବିସି ମନ୍ତ୍ରୀ) ଏବଂ ମହିଳାମାନେ ମନ୍ତ୍ରୀ ହେବା କିଛି ଲୋକେ ପସନ୍ଦ କରନ୍ତି ନାହିଁ। ଏହି ମାସରେ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟରେ ୩୬ ଜଣ ନୂତନ ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆଜି ଦଳିତ ଭାଇମାନେ ମନ୍ତ୍ରୀ ହୋଇଛନ୍ତି। ଆଦିବାସୀ ସମ୍ପ୍ରଦାୟର ଅନେକ ସାଥୀ ମନ୍ତ୍ରୀ ହୋଇଛନ୍ତି, ଏଥିପାଇଁ ଗୃହର ସମସ୍ତ ସଦସ୍ୟ ଖୁସି ହେବା କଥା। ଏଥର ବହୁ କୃଷକ ପରିବାର ଏବଂ ଗ୍ରାମାଞ୍ଚଳ, ସାମାଜିକ, ଅର୍ଥନୈତିକ ପଛୁଆ ବର୍ଗର ଲୋକମାନେ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି। ତେଣୁ ଟେବୁଲକୁ ବାଡେଇ ତାଙ୍କୁ ସମ୍ମାନିତ କରାଯିବା କଥା।

କିନ୍ତୁ ସେମାନଙ୍କୁ ପରିଚିତ କରାଇବା ସମୟରେ ବାଧା ସୃଷ୍ଟି କରାଗଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁ ସଂଖ୍ୟକ ମହିଳା, ଦଳିତଙ୍କ ନେତା, ଗରିବ, ପଛୁଆ ଏବଂ କୃଷକ ମନ୍ତ୍ରୀ ହୋଇଛନ୍ତି। ହେଲେ ଏହାକୁ ବିରୋଧୀ ଦଳ ହଜମ କରୁନାହାଁନ୍ତି।

Related posts