ପେଗାସସ୍ ଗୁପ୍ତଚର ମାମଲା: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଦ୍ଵାରା ତଦନ୍ତ କରିବାକୁ ଦାବି

Published: Jul 20, 2021, 2:43 pm IST

ନୂଆଦିଲ୍ଲୀ: ପେଗାସସ୍ ସ୍ପାଇୱେୟାର୍ (ପେଗାସସ୍ ସ୍ପାଇୱେୟାର୍ କେସ୍) ମାଧ୍ୟମରେ ଗୁପ୍ତଚର ମାମଲା ସାମ୍ନାକୁ ଆସିବା ପରେ ବିରୋଧୀ ମାନେ କ୍ରମାଗତ ଭାବେ ସରକାରଙ୍କୁ ଆକ୍ରମଣ କରୁଛନ୍ତି। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ସାଂସଦମାନେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି କରି ରାଜ୍ୟସଭା ଏବଂ ଲୋକସଭା ସ୍ଥଗିତ ରଖିବାକୁ ବାଧ୍ୟ କରିଥିଲେ। ବିରୋଧୀ ଗୁପ୍ତଚର ଦୁର୍ନୀତିର ତଦନ୍ତ ଦାବି କରୁଛନ୍ତି। ଏହି ସମୟରେ ଆମ୍ ଆଦମୀ ପାର୍ଟି (ଏଏପି) ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ଏସଆଇଟି ଗଠନ କରି ଏହି ଘଟଣାର ତଦନ୍ତ ଦାବି କରିଛି।

ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, “ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ଏସଆଇଟି ସ୍ଥାପନ କରି ପେଗାସସ୍ ସ୍ପାଇୱେୟାର୍ ବିବାଦର ତଦନ୍ତ କରାଯିବା ଉଚିତ୍। ଦେଶର ଗୁରୁତ୍ୱପୂର୍ଣ୍ଣ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କ ଫୋନ୍ ହ୍ୟାକ୍ ସାମ୍ନାକୁ ଆସିଛି। ଏହି ବିବାଦରେ ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଯେଉଁ ମହିଳା ପୂର୍ବତନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ତାଙ୍କର ମଧ୍ୟ ଫୋନ୍ ହ୍ୟାକ୍ କରାଯାଇଥିଲା।

ସେ ଆହୁରି କହିଛନ୍ତି ଯେ, ଏହି ବିବାଦ ପ୍ରଥମେ ଏପ୍ରିଲରେ ଆସିଥିଲା ଏବଂ ପରେ ନଭେମ୍ବରରେ ରାଫାଲ ଚୁକ୍ତିରେ ଏକ କ୍ଳିନ ଚିଟ୍ ଦିଆଯାଇଥିଲା। ଏହି ସମଗ୍ର ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍। ଏହା ମଧ୍ୟ ଗୋପନୀୟତା ଉଲ୍ଲଂଘନ ମାମଲା। ଏହା ଏକ ସାଧାରଣ ମାମଲା ନୁହେଁ। ତେଣୁ କେବଳ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ଏସଆଇଟି ଦ୍ଵାରା ଏହି ମାମଲାର ତଦନ୍ତ କରାଯିବା ଆବଶ୍ୟକ।

Related posts