ଜନ୍ତର ମନ୍ତରରେ ଆରମ୍ଭ ହେଉଛି କୃଷି ଆନ୍ଦୋଳନ: ସଂଖ୍ୟାକୁ ନେଇ ପୋଲିସ ଆଉ ଚାଷୀଙ୍କ ମଧ୍ୟରେ ଯୁକ୍ତିତର୍କ

Published: Jul 22, 2021, 11:17 am IST

ନୂଆଦିଲ୍ଲୀ: କେନ୍ଦ୍ରର ତିନୋଟି ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଆଜି ଠାରୁ ସଂସଦ ପଦଯାତ୍ରା ଆରମ୍ଭ କରୁଛନ୍ତି। ପ୍ରବଳ ସୁରକ୍ଷା ମଧ୍ୟରେ କୃଷକମାନେ ଜନ୍ତର ମନ୍ତ୍ରରେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିବେ ଏବଂ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବେ। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ୯ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତିଦିନ ସର୍ବାଧିକ ୨୦୦ କୃଷକଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ ପାଇଁ ବିଶେଷ ଅନୁମତି ଦେଇଛନ୍ତି।

ଦିଲ୍ଲୀ ପୋଲିସର ସୂତ୍ରରୁ ପ୍ରକାଶ ଯେ, ପୋଲିସ ସୁରକ୍ଷା ସହିତ ପ୍ରତିଦିନ ଚାରିଟି ବସ୍‌ରେ ୨୦୦ ଚାଷୀଙ୍କ ଏକ ଦଳ ବସ୍‌ରେ ସିଙ୍ଗୁ ସୀମାରୁ ଜନ୍ତର ମନ୍ତରକୁ ଆସିବେ ଏବଂ ସକାଳ ୧୧ ଟାରୁ ୫ଟା ପର୍ଯ୍ୟନ୍ତ ସେଠାରେ ବିରୋଧ କରିବେ। କଂଗ୍ରେସ ସାଂସଦମାନେ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂସଦ ଗୃହ କମ୍ପ୍ଲେକ୍ସରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ସୀମାରେ କୃଷକମାନଙ୍କୁ ନେଇ ଯାଉଥିବା ବସ୍‌କୁ ଅଟକାଇ ଦିଆଯାଇଛି। କୃଷକମାନଙ୍କୁ ଅନ୍ୟ ମାର୍ଗରୁ ଆଣିବା ବିଷୟରେ ଦିଲ୍ଲୀ ପୋଲିସ କହୁଥିବାବେଳେ କୃଷକମାନେ ସେମାନଙ୍କୁ ଜିଟି-କର୍ଣ୍ଣଲ ରାସ୍ତାରୁ ଆଣିବା କଥା କହୁଛନ୍ତି।

Related posts