
ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ୯ ଟି ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଇଣ୍ଡିଆର ଏଡିଟର୍ସ ଗିଲ୍ଡ ଏବଂ ବରିଷ୍ଠ ସାମ୍ବାଦିକ ଏନ. ରାମ ତଥା ଶଶି କୁମାର ଦେଇଥିବା ଆବେଦନଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
କୋର୍ଟ କହିଛନ୍ତି ଯେ, ଯଦି ଗଣମାଧ୍ୟମର ରିପୋର୍ଟ ସତ୍ୟ ତେବେ ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏହି ମାମଲାରେ ପିଏଲ୍ ଦାଖଲ କରିଥିବା ଆଡଭୋକେଟ୍ ଏମ୍.ଏଲ୍ ଶର୍ମା ଶୁଣାଣି ସମୟରେ କପିଲ ସିବଲଙ୍କୁ ଅଟକାଇଥିଲେ, ପରେ ମୁଖ୍ୟ ବିଚାରପତି ଏହାକୁ ବିରୋଧ କରିଥିଲେ। ଶର୍ମାଙ୍କୁ ସିଜେଆଇ ରାମନା କହିଛନ୍ତି ଯେ, “ଖବରକାଗଜ କଟିଙ୍ଗ ବ୍ୟତୀତ ଆପଣଙ୍କ ପାଖରେ ସବିଶେଷ ତଥ୍ୟ କ’ଣ ରହିଛି? ଆପଣ ଚାହୁଁଛନ୍ତି କି, ଆମେ ଏହାର ଅନୁସନ୍ଧାନ କରିବୁ ଏବଂ ତଥ୍ୟ ସଂଗ୍ରହ କରିବୁ? ଏହା ଜନହିତ ଯାଚିକା ଦାଖଲ କରିବାର ଉପାୟ ନୁହେଁ।”
ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କହିଛନ୍ତି ଯେ, ବିଦେଶୀ କମ୍ପାନୀ ମଧ୍ୟ ଏହି ମାମଲାରେ ଜଡିତ ଅଛନ୍ତି। ଏହା ଏକ ଜଟିଳ ପ୍ରସଙ୍ଗ। କେହି ନୋଟିସ୍ ନେବାକୁ କେନ୍ଦ୍ର ତରଫରୁ ହାଜର ହେବା ଉଚିତ୍। ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଅଗଷ୍ଟ ୧୦ ତାରିଖରେ ହେବ।