![](https://thesamikhsya.com/odia/wp-content/uploads/2021/08/delet-157-34-163-65-98-40.jpg)
କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ଗଡାଖୋଲ ଗ୍ରାମରେ ଜନୈକ ଯୁବକ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।
ପ୍ରକାଶ ଯେ, ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତର ଗଡାଖୋଲ ଗ୍ରାମର ଦେବେନ୍ଦ୍ର ଦେହୁରୀ (୩୦)ନିଜ କୂଅ ଚାରିପାଖ ବୁଦା ସଫା କରୁଥିଲେ। କୂଅ ଉପରେ ଥିବା କାଠ ଉପରେ ଗୋଡ ଦେଇ ଏହି ସଫା କାମ କରୁଥିବା ସମୟରେ ଅଜାଣତରେ ତାଙ୍କର ଗୋଡ ଖସିଯାଇ କୂଅରେ ପଡିଯାଇଥିଲେ। ଅପରାହ୍ନ ୪ ଟାରେ ସେ କୂଅରେ ପଡିଥିବାର ପରିବାର ଲୋକେ ଜାଣି ସଙ୍ଗେ ସଙ୍ଗେ ଦମକଳ ବାହିନୀ ଓ ପୋଲିସ୍ କୁ ଖବର ଦେଇଥିଲେ।
ଦମକଳ ବାହିନୀ ଓ ପୋଲିସ ବାହିନୀ ସହାୟତାରେ ଶବକୁ କୂଅରୁ ବାହାର କରି ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ସଂଧ୍ୟା ହୋଇ ଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ବ୍ୟକ୍ତିର ତିନିଜଣ ଛୋଟ ଛୋଟ ଝିଅ ଥିବା ଜଣା ପଡିଛି।