
ସୀତାରାମ ଅଗ୍ରୱାଲ
ବାଣପୁର: ଭଲକାମ ପାଇଁ ଓଡିଶା ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ଏସଆଇ ରାଜକିଶୋର ବେହେରା। ସ୍ୱାଧୀନତା ଦିବସ ଅବସରରେ ଓଡିଶା ପୋଲିସର ବିଭିନ୍ନ ୟୁନିଟର ସମୁଦାୟ ୬୬ ଜଣ ପୋଲିସ ଅଧିକାରୀଙ୍କ ସମେତ ୭ ଜଣ ସହିଦ କୋଭିଡ ଯୋଦ୍ଧାଙ୍କୁ ଡ଼ିଜିପି ଅଭୟ ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।
ରବିବାର ଦିନ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି ଡ଼ିଜିପି। ରାଜକିଶୋର ବେହେରା ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବାବେଳେ ବିଗତ ଏକ ବର୍ଷର ରହଣି ମଧ୍ୟରେ ବାଣପୁର ଥାନାର ଏକାଧିକ ଜଟିଳ ଅପରାଧିକ ମାମଲା ଗୁଡିକର ସମାଧାନ କରିବା ଦିଗରେ ସଫଳ ହୋଇପାରିଛନ୍ତି।
ନିଜର ଦକ୍ଷତା ଲାଗି ସମଗ୍ର ଖୋର୍ଦ୍ଧା ଜିଲ୍ଲାରୁ କେବଳ ଉକ୍ତ ଯୁବ ଅଧିକାରୀ ଜଣକ ଡ଼ିଜିପିଙ୍କ ନିକଟରୁ ପଦକ ପାଇବାକୁ ସକ୍ଷମ ହୋଇପାରିଛନ୍ତି। ତେବେ ଶ୍ରୀ ବେହେରା ନିଜର ଉକ୍ତ ସଫଳତାର ଶ୍ରେୟ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କୁ ପ୍ରଦାନ କରିଛନ୍ତି।