Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟରୁ ଅବସର ନେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ, କରିଛନ୍ତି ଅନେକ ଉଲ୍ଲେଖନୀୟ କାର୍ଯ୍ୟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଜଣେ ନିର୍ଭିକ, ସ୍ପଷ୍ଟବାଦୀ ଏବଂ ସଚ୍ଚାଟ ଅଧିକାରୀ ଭାବେ ଶ୍ରୀ ଦୋରା ଜିଲ୍ଲାରେ ଛାପ ଛାଡି ଚାଲି ଯାଇଛନ୍ତି। ପୂର୍ବରୁ ବହୁ ଏସପି ଖୋର୍ଦ୍ଧାକୁ ଆସିଥିଲେ ମଧ୍ୟ ଶ୍ରୀ ଦୋରାଙ୍କ କାର୍ଯ୍ୟକାଳ ସମୟରେ ଏକାଧିକ ସଫଳତା ହାସଲ କରିପାରିଛି ଖୋର୍ଦ୍ଧା ଜିଲ୍ଲା ପୋଲିସ।

ଗତବର୍ଷ ଫେବୃଆରୀ ୧୦ ତାରିଖରେ ଜିଲ୍ଲା ଅଧିକ୍ଷକ ଭାବେ ଦାଇତ୍ୱ ଗ୍ରହଣ କରିବା ଦିନଠାରୁ ଜିଲ୍ଲାକୁ କିପରି ଅପରାଧ ମୁକ୍ତ କରାଯିବ ସେ ନେଇ ଏକାଧିକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଶ୍ରୀ ଦୋରା। ମାତ୍ର ଏଗାର ମାସର କାର୍ଯ୍ୟକାଳ ମଧ୍ୟରେ ଆଶାତିତ ସଫଳତା ପାଇଛି ଖୋର୍ଦ୍ଧା ଜିଲ୍ଲା ପୋଲିସ। ବିଶେଷକରି ଅପରାଧୀମାନଙ୍କୁ ସହାନୁଭୂତି ନଦେଖାଇ ଦୃଢ଼ହସ୍ତରେ ଦମନ କରିବାରେ ବେଶ ସଫଳ ସାବ୍ୟସ୍ତ ହୋଇପାରିଛନ୍ତି ଏସପି ଶ୍ରୀ ଦୋରା।

ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଉପରେ ପ୍ରହାର ହେଉ ଅବା ନିଶା ବେପାରୀଙ୍କ ବିରୁଦ୍ଧରେ ଆର୍ଥିକ ଅନୁସନ୍ଧାନ କରି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତ ହେଉ ଏପରି ଏକାଧିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଶ୍ରୀ ଦୋରା। ଅନୁରୂପ ଭାବେ ଜିଲ୍ଲାରେ ଚୋରା ଗୋ ଚାଲାଣକୁ ଲଗାମ, ବେଆଇନ ଖଣି ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ହାଇୱେ ଲୁଟ, ଛୀନତାଇ ଏବଂ ସାଇବର ଅପରାଧକୁ କମ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଶ୍ରୀ ଦୋରା।

ଏସପିଙ୍କ ତତ୍ୱାବଧାନରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଥାନା ଯଥା ବାଣପୁର, ଟାଙ୍ଗୀ ଏବଂ ଟାଉନ ଥାନାର ଏକାଧିକ ଜଟିଳ ଅପରାଧିକ ମାମଲା ଗୁଡ଼ିକର ସଠିକ ତଦନ୍ତ ହେବା ସହ ଅପରାଧୀଙ୍କୁ ଧରିବାରେ ସଫଳ ହୋଇପାରିଛି ଜିଲ୍ଲା ପୋଲିସ।

ସେହିପରି ଭାବେ ବାଲୁଗାଁ, ନିରାକାରପୁର, ଜଙ୍କିଆ, ବୋଲଗଡ଼, ବାଘମାରି, ବେଗୁନିଆ ଓ ସଦର ଥାନାର ମଧ୍ୟ ବିଭିନ୍ନ ଅପରାଧିକ ମାମଲା ସହ ଅନ୍ୟାନ୍ୟ ଜଟିଳ ମାମଲା ଗୁଡିକର ସମାଧାନ ଦିଗରେ ଜିଲ୍ଲା ପୋଲିସ ଉଲ୍ଲେଖନୀୟ ସଫଳତା ହାସିଲ କରିଛି।

ଜିଲ୍ଲାରେ ଅନବରତ ରାଜନୈତିକ ତିକ୍ତତା ଲାଗିରହିଥିଲେ ସୁଦ୍ଧା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛନ୍ତି ଶ୍ରୀ ଦୋରା। ବିଶେଷ କରି ଜିଲ୍ଲାରେ ଏସପିଙ୍କ ତତ୍ୱାବଧାନରେ ସଫଳ କୋଭିଡ ପରିଚାଳନା ନିମନ୍ତେ ଏକାଧିକ ପୋଲିସ ଅଧିକାରୀ ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର ମଧ୍ୟ ପାଇଛନ୍ତି।

ଆଜି ସେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ବେଳେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ଅନ୍ୟାନ୍ୟ ସରକାରି କର୍ମଚାରୀମାନେ ତାଙ୍କୁ ଅବସର ଦେବା ସହ ଇଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଦୋରା ଦକ୍ଷ ପୋଲିସ ଅଧିକାରୀ ଭାବେ ସାରା ରାଜ୍ୟରେ ବେଶ୍ ଜଣାଶୁଣା। ଖୋର୍ଦ୍ଧା ଜିଲ୍ଲା ପୂର୍ବରୁ ଶ୍ରୀ ଦୋରା କ୍ରାଇମବ୍ରାଞ୍ଚ ଏସପି ଭାବେ ଅବସ୍ଥାପିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡ଼ିଜିପିଙ୍କ ନିକଟରୁ ପଦକ ପାଇଲେ ବାଣପୁର ଥାନା ଏସଆଇ

ସୀତାରାମ ଅଗ୍ରୱାଲ

ବାଣପୁର: ଭଲକାମ ପାଇଁ ଓଡିଶା ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ଏସଆଇ ରାଜକିଶୋର ବେହେରା। ସ୍ୱାଧୀନତା ଦିବସ ଅବସରରେ ଓଡିଶା ପୋଲିସର ବିଭିନ୍ନ ୟୁନିଟର ସମୁଦାୟ ୬୬ ଜଣ ପୋଲିସ ଅଧିକାରୀଙ୍କ ସମେତ ୭ ଜଣ ସହିଦ କୋଭିଡ ଯୋଦ୍ଧାଙ୍କୁ ଡ଼ିଜିପି ଅଭୟ ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।

ରବିବାର ଦିନ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି ଡ଼ିଜିପି। ରାଜକିଶୋର ବେହେରା ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବାବେଳେ ବିଗତ ଏକ ବର୍ଷର ରହଣି ମଧ୍ୟରେ ବାଣପୁର ଥାନାର ଏକାଧିକ ଜଟିଳ ଅପରାଧିକ ମାମଲା ଗୁଡିକର ସମାଧାନ କରିବା ଦିଗରେ ସଫଳ ହୋଇପାରିଛନ୍ତି।

ନିଜର ଦକ୍ଷତା ଲାଗି ସମଗ୍ର ଖୋର୍ଦ୍ଧା ଜିଲ୍ଲାରୁ କେବଳ ଉକ୍ତ ଯୁବ ଅଧିକାରୀ ଜଣକ ଡ଼ିଜିପିଙ୍କ ନିକଟରୁ ପଦକ ପାଇବାକୁ ସକ୍ଷମ ହୋଇପାରିଛନ୍ତି। ତେବେ ଶ୍ରୀ ବେହେରା ନିଜର ଉକ୍ତ ସଫଳତାର ଶ୍ରେୟ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କୁ ପ୍ରଦାନ କରିଛନ୍ତି।