ସୋଆ ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରାଙ୍କୁ ମିଳିଲା ଜାତୀୟ ପୁରସ୍କାର

Published: Aug 17, 2021, 8:42 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରାଙ୍କୁ ୨୦୧୯ ମସିହା ପାଇଁ ଡକ୍ଟର ଜେ.ଭେଙ୍କଟେଶ୍ୱରଲୁ ପୁରସ୍କାର ପ୍ରଦାନ କରାଯାଇଛି। ଶୁଷ୍କାଂଚଳ କୃଷି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ହାଇଦରାବାଦ ସ୍ଥିତ ଭାରତୀୟ ଶୁଷ୍କାଂଚଳ କୃଷି ସଂଗଠନ ଦ୍ୱାରା ପ୍ରଦାନ କରାଯାଇଥାଏ।

ଏହି ଉପଲକ୍ଷେ ସୋମବାର ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ଶୁଷ୍କାଂଚଳ କୃଷି ଗବେଷଣା ପ୍ରତିଷ୍ଠାନ ଓ ଭାରତୀୟ ଶୁଷ୍କାଂଚଳ କୃଷି ସଂଗଠନର ମିଳିତ ଆନୁକୂଲ୍ୟରେ “ଶୁଷ୍କାଂଚଳ କୃଷିରେ ଖାଦ୍ୟ ଓ ପୁଷ୍ଟି ନିରାପତା ପାଇଁ ସମସ୍ୟା ଓ ସୁଯୋଗ” ଉପରେ କର୍ମଶାଳା ଆୟୋଜନ କରାଯାଇଥିଲା। ଅପରାହ୍ଣରେ ପୁରସ୍କାର ପ୍ରଦାନ ଉତ୍ସବ ଉଭୟ ହାଇଦ୍ରାବାଦ ଓ ଭୁବନେଶ୍ୱରରେ ପ୍ରକୃତ ତଥା ଆଭାସି ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା।

ସୋଆ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନରେ ଆୟୋଜିତ ଏହି ଉତ୍ସବରେ ଉପକୁଳପତି ପ୍ରଫେସର ପି.କେ. ନନ୍ଦ, ଅଧ୍ୟକ୍ଷ ପ୍ରଫେସର ବି.କେ ସାହୁ, ପିଜି ଅଧ୍ୟକ୍ଷ ପ୍ରଫେସର. ପ୍ରେମାନନ୍ଦ ମହାପାତ୍ର, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ପି.କେ. ମିଶ୍ର, ଓୟୁଏଟିର ବୈଜ୍ଞାନିକ ଡ. ଦିଲ୍ଲିପ କୁମାର ବସ୍ତିଆ ଓ ଡ. ସୁବ୍ରତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ହାଇଦ୍ରାବାଦରେ ଆୟୋଜିତ ଉତ୍ସବରେ, କେନ୍ଦ୍ରୀୟ ଶୁଷ୍କାଂଚଳ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଭି.କେ. ସିଂହ, ବୈଜ୍ଞାନିକ ଡ. ଜି. ରବିନ୍ଦ୍ରାଚାରୀ ଓ ଡ. ମହମ୍ମଦ ଓସମାନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉତ୍ସବରେ ଡ. ବାସୁଦେବ ବେହେରା ତାଙ୍କର ଗବେଷଣା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଶେଷର ଡ. ବେହେରାଙ୍କୁ ପଦକ, ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ପ୍ରାୟ ୧୦୦୦ ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ଆଭାସି ବ୍ୟବସ୍ଥାରେ ଅଂଶଗ୍ରହଣ କରିଥିଲେ।

Related posts