ରାଫାଲେ ବିମାନ କିଣାକୁ ନେଇ ମୁଣ୍ଡ ଟେକିଥିବା ନୂତନ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଫ୍ରାନ୍ସ ସରକାର। ଅନୀଲ ଅମ୍ବାନୀଙ୍କୁ ମିଳିଥିବା କର ରିହାତି କୌଣସି ସରକାରୀ ଚାପରେ ହୋଇନାହିଁ ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେଜାଣ୍ଡ୍ରେ ଜିଗ୍ଲର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’କୁ ପ୍ରଦାନ କରାଯାଇଥିବା କର ରିହାତି ସମ୍ପୂର୍ଣ୍ଣ ଭାବରେ ଆଇନଗତ ପ୍ରକ୍ରିୟାରେ କରାଯାଇଛି ବୋଲି ଜିଗ୍ଲର ଟ୍ବିଟ୍ କରି କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ଖବରକାଗଜରେ ପ୍ରକାଶିତ ସୂଚନା ଅନୁଯାୟୀ ଫ୍ରାନ୍ସ ସରକାର ରିଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’କୁ ପ୍ରାୟ ୧୪୩ମିଲୟନ୍ ବା ୧୧୦୦ କୋଟି ଟଙ୍କାର କର ଛାଡ କରିଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଟିକସ୍ ଅଧିକାରୀ ଯାଞ୍ଚ ସମୟରେ ୨୦୦୭ରୁ ୨୦୧୦ ମଧ୍ୟରେ ୬୦ ନିୟୁତ ୟୁରୋ ଟିକସ୍ ବାକିଥିଲା। ଏହାପରେ ୨୦୧୦ ରୁ ୨୦୧୨ମଧ୍ୟରେ ଏହି କମ୍ପାନୀକୁ ୯୧ ମିଲିୟନ ୟୁରୋ ଅତିରିକ୍ତ ଟିକସ୍ ଜମା କରିବାକୁ କୁହାଯାଇଥିଲା। ପରେ ରାଫେଲ ରାଜିନାମା ସମୟରେ ଫ୍ରାନ୍ସ ସରକାର ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’ କମ୍ପାନୀ ଉପରୁ ୧୪୩ ନିୟୁତ ୟୁରୋ ଛାଡ଼ କରି ଦେଇଥିଲେ। କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲେ। ବାମଦଳଗୁଡିକ ମଧ୍ୟ ଏହି ମାମଲା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସିପିଏମ୍ ନେତା ସୀତାରାମ ୟେଚୁରୀ କହିଛନ୍ତି, ସରକାର ସାଧାରଣ କରଦାତାଙ୍କ ଅର୍ଥ ଶିଳ୍ପପତିଙ୍କ ମଧ୍ୟରେ ଏହିପରି ଭାବରେ ବାଣ୍ଟୁଛନ୍ତି। ଭାରତ ଫ୍ରାନ୍ସ ନିକଟରୁ ୩୬ଟି ରାଫାଲେ ବିମାନ କିଣିବାର ଯୋଜନା ରହିଛି।
ସରକାରୀ ଚାପରେ ଅନୀଲଙ୍କୁ କର ରିହାତି ମିଳିନାହିଁ : ଫ୍ରାନ୍ସ
Published:
Apr 14, 2019, 11:53 am IST