ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ରାଷ୍ଟ୍ରପତି

Published: Apr 14, 2019, 2:02 pm IST

ଭାରତୀୟ ସମ୍ବିଧାନର ପ୍ରଣେତା ବି ଆର ଆମ୍ବେଦକରଙ୍କ ୧୨୮ ତମ ଜନ୍ମଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସଂସଦ ଭବନ ପରିସରରେ ରହିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସହିତ ମୋଦି ଏବଂ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବରୁ ଟ୍ବିଟ୍‌ କରି କହିଥିଲେ, ‘ଭାରତୀୟ ସମ୍ବିଧାନର ଏହି ନିର୍ମାତା ଜାତିପ୍ରଥାର ବିନାଶ ନିମନ୍ତେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି, ଯାହାର ଫଳସ୍ବରୂପ ମହିଳା ଏବଂ ତଳୁଆ ବର୍ଗର ଲୋକଙ୍କୁ ଫଇଦା ମିଳିଛି।’  ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଥିଲେ। ‘ଭାରତୀୟ ସମ୍ବିଧାନର ଜନକ ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କୁ ତାଙ୍କ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି’ ବୋଲି ଟ୍ବିଟ୍‌ କରିଥିଲେ ନାଇଡୁ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦିରେ ନିଜର ଟ୍ବିଟ୍‌ କରିଥିଲେ। ସେ କହିଥିଲେ ‘ସାମାଜିକ ନ୍ୟାୟ ଏବଂ ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବି ଆର  ଆମ୍ବେଦକରଙ୍କ ଜନ୍ମବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଜୟ ଭୀମ୍‌’।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Related posts