ନିର୍ବାଚନୀ ହିଂସା: ସିବିଆଇ ତଦନ୍ତ ବିରୋଧରେ ସୁପ୍ରିମକୋର୍ଟ ଗଲା ମମତା ସରକାର

Published: Sep 1, 2021, 9:29 pm IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାର ସିବିଆଇ ତଦନ୍ତ ବିରୋଧରେ ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏହି ଆବେଦନରେ ରାଜ୍ୟ ସରକାର କହିଛନ୍ତି ଯେ, ସିବିଆଇ କେନ୍ଦ୍ରର ନିର୍ଦ୍ଦେଶରେ କାମ କରେ। ସେ ସିବିଆଇ ଠାରୁ ନିରପେକ୍ଷ ତଦନ୍ତ ଆଶା କରନ୍ତି ନାହିଁ। କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତି ପରେ ଟିଏମସି ନେତାମାନେ କହିଛନ୍ତି ଯେ, ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏହି ହିଂସା ମାମଲାରେ ୩୧ ଟି ମାମଲା ରୁଜୁ କରିଛି। ଅଧିକାରୀଙ୍କ କହିବାନୁସାରେ, ମଙ୍ଗଳବାର ଦିନ ୧୦ ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୬ ଟି ହତ୍ୟା ଅଭିଯୋଗ, ଦୁଇଟି ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ବାକି ଆକ୍ରମଣ, ଅନଧିକୃତ ପ୍ରବେଶ ଏବଂ ସମ୍ପତ୍ତି ନଷ୍ଟ ସହ ଜଡିତ।

ଅଧିକାରୀ କହିଛନ୍ତି ଯେ, ଅଗଷ୍ଟ ୧୯ ତାରିଖ ୨୦୨୧ ରେ କଲିକତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆଉ ଦଶଟି ମାମଲା ପଞ୍ଜିକୃତ ହୋଇଛି। ଏହି ମାମଲାଗୁଡ଼ିକର ତଦନ୍ତ ସିବିଆଇ ଗ୍ରହଣ କରିଛି। ଏହି ମାମଲା ପୂର୍ବରୁ ବଙ୍ଗଳାର ବିଭିନ୍ନ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିଲା।

Related posts