ଗୁରୁ ଦିବସ ଅବସରରେ ଶିଳ୍ପୀଗୁରୁଙ୍କ ସମ୍ବର୍ଦ୍ଧନା କଲା ଓଡିଶା ଶିଳ୍ପୀ ମହାସଂଘ

Published: Sep 7, 2021, 6:20 am IST

ବାଲେଶ୍ବର : ଉତ୍କର୍ଷ ପାରଂପାରିକ କଳାକାରିଗରୀ ପାଇଁ ଆମ ରାଜ୍ୟ ଓଡିଶା ସାରା ବିଶ୍ୱରେ ବେଶ ସୁପରିଚିତ । ଏହାର ସମସ୍ତ ଶ୍ରେୟ ଯାଇଥାଏ ପିଢୀ ପରେ ପିଢୀ ଆମ ହସ୍ତକଳାକୁ ବଂଚାଇ ଆସିଥିବା ଆମ ରାଜ୍ୟର ଶିଳ୍ପୀକୂଳକୁ । କାରଣ ଗୁରୁଙ୍କ ଉପଯୁକ୍ତ ମାର୍ଗଦର୍ଶନରେ ଏହି କଳାକୁ ଆଗକୁ ନେବାକୁ ପଡିଥାଏ । ସେଥିପାଇଁ ପାରଂପରିକ କଳାକାରିଗରୀ କ୍ଷେତ୍ରରେ ଗୁରୁଙ୍କ ସ୍ଥାନ ବହୁ ଉଚ୍ଚରେ ବୋଲି କହିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା ।

ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ବାଲେଶ୍ୱର ଜିଲ୍ଲ ଜାମୁଝାଡିଠାରେ ଆୟୋଜିତ ଗୁରୁ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶ୍ରୀ ଧଡା ଏହି ମତବ୍ୟକ୍ତ କରିଛନ୍ତି । ନିଜ ବକ୍ତବ୍ୟରେ ଶ୍ରୀ ଧଡା ଶିଳ୍ପୀ ମହାସଂଘର ଏଭଳି ନିଆରା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବାସହ ସ୍ୱାବଲମ୍ବୀ ଏହି ଶିଳ୍ପୀ ଜାତିକୁ କଳାକାରଙ୍କ ଭଳି ମାସିକ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଥିଲେ ।

ଅନ୍ୟ ଅତିଥୀଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସହ ନିର୍ଦ୍ଦେଶକ, ହସ୍ତଶିଳ୍ପ ଅରୁଣ କୁମାର ମଣ୍ଡଳ, ଶିଳ୍ପୀ ମହାସଂଘ ସଭାପତି ଉଦୟ ମହାନ୍ତି, ସଂପାଦକ ପ୍ରିୟରଂଜନ କର, ଭଦ୍ରକ ଜିଲ୍ଲା ହସ୍ତଶିଳ୍ପ ସଂପ୍ରସାରଣ ଅଧିକାରୀ ମହେନ୍ଦ୍ରନାଥ ଟୁଡୁ ଓ ବାଲେଶ୍ୱର ଜିଲ୍ଲା ଶାଖା ସଭାନେତ୍ରୀ ବାସନ୍ତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ପଥର, କାଠ, ଟେରାକୋଟା, ଚାନ୍ଦୁଆ, ଝୋଟ, ବାଉଁଶ ଆଦି ହସ୍ତକଳାର ନିପୁଣ ଶିଳ୍ପୀ ଗୁରୁ ମାନଙ୍କୁ ଅଂଗବସ୍ତ୍ର ଓ ଫୁଲଗଛ ପ୍ରଦାନ କରିଥିଲେ । ପରେ ଏହି ଗୁରୁ ମାନଙ୍କୁ ବନ୍ଦାପନା କରାଯାଇଥିଲା ।

ଠିକ ସେହିଭଳି ବିଭିନ୍ନ ହସ୍ତକଳାରେ ପାରଦର୍ଶିତା ଲାଭ କରିଥିବା ୧୨ ଜଣ ଶିଳ୍ପୀଙ୍କୁ ମୁଖ୍ୟ ଅତିଥୀ ବିଧାୟକ ପର୍ଶୁରାମ ଧଡା ମାନପତ୍ର, ଅଂଗବସ୍ତ୍ର ଓ ଫୁଲଗଛ ଦେଇ ସଂବର୍ଦ୍ଧିତ କରିଥିଲେ । ଏହି ଗୁରୁଦିବସ ଓ ସଂବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ବାଲେଶ୍ୱର, ଭଦ୍ରକ , ମୟୁରଭଂଜ ଓ ଯାଜପୁର ଜିଲ୍ଲାର ଶିଳ୍ପୀ ଓ ବୁଣାକାର ସାମିଲ ହୋଇଥିଲେ ।

ଏହି ଅବସରରେ ବାଉଁଶ, ଚାନ୍ଦୁଆ, ସଫ୍ଟ ଟୟଜ, ଲାଖ କଣ୍ଡେଇ, ଟେରାକୋଟା ଓ ଝୋଟ ଆଦି ହସ୍ତକଳାକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଓଡିଶା ଶିଳ୍ପୀ ମହାସଂଘର ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ସରୋଜିନୀ ଦାସ, ସଂପା ସିଲ, ଖଗପତି ସାମଲ, ଅରୁଣ ମହାନ୍ତି, ବେବୀରାଣୀ ଜେନା, ମିନତି ବର, ଜୟନ୍ତି ନାୟକ, ଓ ସଂଧ୍ୟାରାଣୀ ଗିରି ପ୍ରମୁଖ ଏହି କର୍ମଶାଳାର ସଫଳତା ନିମନ୍ତେ ସମସ୍ତ ପ୍ରକାରର ସହଯୋଗ କରିଥିଲା । ଶେଷରେ ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନାୟକ ଅତିଥୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Related posts