
ଆଜି ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଠାରେ ଉଭୟ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିବା ସହିତ ବିଜେପିକୁ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ କରିବା ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ହେବା ଉଚିତ। ମୋଦୀ କରିକି ଦେଖାଇଛନ୍ତି ଯାହା ବିଜେଡି, କଂଗ୍ରେସ ପାଇଁ ଅସମ୍ଭବ ଥିଲା। ଓଡ଼ିଶାରେ ବିଜେଡି ସରକାର ଅନେକ ଦୁର୍ନୀତିରେ ଲିପ୍ତ ରହିଛି। ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଚିନ୍ତା କରୁନାହାନ୍ତି। ସେହିପରି କଂଗ୍ରେସକୁ ଟାର୍ଗେଟ୍ କରି କଂଗ୍ରେସ ସମୟରେ ଦେଶ ପ୍ରତି ବିପଦ ମାଡ଼ି ଆସିଛି ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡ଼ିଶାର ବିକାଶ ସହିତ ଏକ ନୂଆ ଓଡ଼ିଶା ଗଠନ ପାଇଁ ଏଠାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଥିଲେ। ମୋଦି ସରକାରଙ୍କ କାର୍ଯ୍ୟାବଳୀକୁ ବର୍ଣ୍ଣନା କରି ଗୁଣଗାନ କରିବା ସହିତ ମୋଦୀଙ୍କ ପାଇଁ ଓଡ଼ିଶାରେ ସ୍ମାର୍ଟ ସିଟି ହୋଇପାରିଛି ବୋଲି ସେ କହିଛନ୍ତି। ସେହିପରି ଚିଟ୍ଫଣ୍ଡ୍ ଠାରୁ ଆରମ୍ଭ କରି ଶୌଚାଳୟ ଏବଂ ଅନେକ ଦୁର୍ନୀତିରେ ବିଜେଡ଼ି ସରକାର ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ଦିଲ୍ଲୀ ଏବଂ ଓଡ଼ିଶାରେ ଏକାସାଙ୍ଗରେ ଗୋଟିଏ ସରକାର ରହିବେ। ଡବଲ ଇଞ୍ଜିନର ଏହି ସରକାର ଓଡ଼ିଶାର ବିକାଶକୁ ଏକ ନୂଆ ସ୍ତରକୁ ନେଇଯିବ ଏବଂ ଏକ ନୂଆ ଓଡ଼ିଶାର ବିକାଶ ଲାଗି ଆମେ ସମସ୍ତେ ମିଳିମିଶ କାମ କରିବା ପାଇଁ ଆହ୍ବାନ ଦେଇଛନ୍ତି ଯୋଗୀ।