
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଗତବର୍ଷ ପ୍ରଣୀତ ତିନୋଟି ନୂଆ କୃଷି ଆଇନ୍ ବିରୁଦ୍ଧରେ ସଂଯୁକ୍ତ କିଷାନମୋର୍ଚ୍ଚା ଆସନ୍ତା ୨୭ ତାରିଖ ଦିନ ‘ଭାରତ ବନ୍ଦ’ ଡ଼ାକରା ଦେଇଛି। ସୋମବାର ଦିନ ହେବାକୁ ଥିବା ଏହି ଭାରତ ବନ୍ଦ ଡାକରାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି।
ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ଏହି ବନ୍ଦକୁ ନିଜର ଦଳର ସମର୍ଥନ ଘୋଷଣା କରି କହିଛନ୍ତି ଯେ, ଦୀର୍ଘ ୧୦ ମାସ ହେଲା ଖରା, ବର୍ଷା, ଶୀତ ଓ କାକରରେ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ନିଜର ଜିଦ୍ ଓ ଅହଙ୍କାର ଯୋଗୁ କୃଷକମାନଙ୍କ ସହିତ କଥାବାର୍ତ୍ତା ନକରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ବାଧ୍ୟ ହୋଇ କୃଷକମାନେ ଏହି ତିନୋଟି କଳା ଆଇନ ବାତିଲ ଦାବିରେ ଯେଉଁ ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି ତାହାକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନକୁ ବାତିଲ କରନ୍ତୁ।
ସମସ୍ତ ବାମ ଗଣତାନ୍ତ୍ରିକ ରାଜନୈତିକ ଦଳ ୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବା ପାଇଁ ଶ୍ରୀ ବେହେରା ସମସ୍ତଙ୍କୁ ନିବେଦନ କରିଛନ୍ତି।