ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା: ଟାର୍ଗେଟ କଲା ଆମ୍ ଆଦମୀ ପାର୍ଟି

Published: Sep 28, 2021, 6:08 pm IST

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ଆମ୍ ଆଦମୀ ପାର୍ଟି ଟାର୍ଗେଟ କରିଦେଇଛି।

ପଞ୍ଜାବ କଂଗ୍ରେସରେ ସମ୍ପୂର୍ଣ୍ଣ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆପ ନେତା ରାଘବ ଚଢା ଟ୍ୱିଟ କରିଛନ୍ତି। ପଞ୍ଜାବର ଲୋକମାନେ କିପରି ଏହି ସ୍ୱାର୍ଥପର ନେତାମାନଙ୍କୁ ଏକ ସ୍ଥିର, ପ୍ରଗତିଶୀଳ ଏବଂ ସମାବେଶି ପ୍ରଶାସନ ପ୍ରଦାନ କରିବେ ବୋଲି ଆଶା କରିପାରନ୍ତି? ପାକିସ୍ତାନଠାରୁ ୫୫୦ କିଲୋମିଟର ଦୂରରେ ଥିବା ଏକ ରାଜ୍ୟରେ ଏହି ଲୋକମାନଙ୍କୁ କିପରି ବିଶ୍ୱାସ କରାଯାଇପାରିବ? ଏଥି ସହିତ ଆମ୍ ଆଦମୀ ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ, ସିଦ୍ଧୁ ଦଳିତ ବିରୋଧୀ, ଜଣେ ଗରିବ ମା’ର ପୁଅକୁ ମୁଖ୍ୟମନ୍ତ୍ରୀ ହେବାକୁ ସହ୍ୟ କରିପାରିଲେ ନାହିଁ।

ଉଲ୍ଲେଖନୀୟ କଥା ହେଉଛି, ନବଜୋତ ସିଂ ସିଦ୍ଧୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଏଥିରେ ସିଦ୍ଧୁ କହିଛନ୍ତି, “ମଣିଷର ପତନ ଆପୋଷ ବୁଝାମଣାରୁ ଆସିଥାଏ। ମୁଁ କଂଗ୍ରେସର ଭବିଷ୍ୟତ ତଥା ପଞ୍ଜାବର କଲ୍ୟାଣ ସହ କଦାପି ଆପୋଷ ବୁଝାମଣା କରିପାରିବି ନାହିଁ। ସେଥିପାଇଁ ମୁଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଉଛି। କିନ୍ତୁ ପାର୍ଟି ପାଇଁ କାମ କରିବି।”

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ଏବିଷୟରେ ଜାଣି ନାହାଁନ୍ତି। ଯଦି ସିଦ୍ଧୁ ରାଗିଛନ୍ତି, ତେବେ ତାଙ୍କ ସହ କଥା ହେବି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସିଦ୍ଧୁ ଆମର ସଭାପତି ଏବଂ ସେ ଜଣେ ଭଲ ନେତା। ତାଙ୍କ ସହ ମୋର କୌଣସି ମତଭେଦ ନାହିଁ।

Related posts