କ୍ରିୟା ଉପରେ ପ୍ରତିକ୍ରିୟା: ଲକ୍ଷ୍ମୀପୁର ହିଂସାରେ ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ କୃଷକ ନେତାଙ୍କ ବିବାଦିତ ବୟାନ

Published: Oct 9, 2021, 6:12 pm IST

ନୂଆଦିଲ୍ଲୀ: ଭାରତୀୟ କିଷାନ ୟୁନିଅନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାଏତ ଲକ୍ଷ୍ମୀପୁର ଖେରୀ ହିଂସାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ହିଂସାରେ ନିହତ ହୋଇଥିବା ବିଜେପି କର୍ମୀମାନେ ଏକ କାର୍ଯ୍ୟାନୁଷ୍ଠାନର ପ୍ରତିକ୍ରିୟା। ଏହି ଘଟଣାରେ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ହତ୍ୟା କରିଥିବା ଲୋକଙ୍କୁ ସେ ଅପରାଧୀ ବୋଲି ଭାବନ୍ତି ନାହିଁ।

ଏକ ପ୍ରଶ୍ନର ଉତ୍ତରରେ ଟିକାଏତ କହିଛନ୍ତି ଯେ, ଲକ୍ଷ୍ମୀପୁର ଖେରୀରେ କାର ଚଢାଇ ଚାରିଜଣ ଚାଷୀଙ୍କୁ ହତ୍ୟା କରାଯାଇଥିଲା, ଏହାର ଜବାବରେ ଦୁଇ ବିଜେପି କର୍ମୀଙ୍କର ମୃତ୍ୟୁ ଘଟିଥିଲା। ଏହି କାର୍ଯ୍ୟର ପ୍ରତିଶୋଧରେ ଏଭଳି ପ୍ରତିକ୍ରିୟା ଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଲୋକଙ୍କୁ ମୁଁ ଅପରାଧୀ ବୋଲି ବିବେଚନା କରେ ନାହିଁ।

ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ସଠିକ ତଦନ୍ତ କରାଯାଇପାରିବ ନାହିଁ। କୌଣସି ଅଧିକାରୀ ଗୃହମନ୍ତ୍ରୀଙ୍କ ବିରୋଧରେ ପ୍ରଶ୍ନ ଉଠାଇ ପାରିବେ କି? ଚୁକ୍ତି ଅନୁଯାୟୀ ମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଯଦି ଆମର ଦାବି ପୂରଣ କରାଯାଏ ନାହିଁ, ତେବେ ଆନ୍ଦୋଳନ ଜାରି ରହିବ।

ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, “ବିଜେପି କର୍ମୀ କିମ୍ବା କୃଷକଙ୍କ ମୃତ୍ୟୁରେ ଆମେ ଦୁଃଖିତ। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଏବଂ ନ୍ୟାୟ ପ୍ରଦାନ କରାଯିବ ବୋଲି ଆମେ ଆଶା କରୁଛୁ। ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯିବାକୁ ଶନିବାର କୃଷକ ନେତାମାନେ ଦାବି କରିଛନ୍ତି। ଏହି ଘଟଣା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କୃଷକ ନେତାମାନେ କହିଛନ୍ତି।

ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଅଜୟ ମିଶ୍ରଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଉଚିତ। କାରଣ ସେ ଏହି ଷଡଯନ୍ତ୍ର ରଚିଛନ୍ତି ଏବଂ ସେ ଏହି ମାମଲାରେ ଦୋଷୀମାନଙ୍କୁ ସୁରକ୍ଷା ଦେଉଛନ୍ତି। ଅକ୍ଟୋବର ୧୫ ତାରିଖରେ ଦଶହରା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତଳିକା ଜାଳି ବିରୋଧ କରାଯିବ ବୋଲି କୃଷକ ନେତା କହିଛନ୍ତି।

Related posts