ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

Published: Oct 10, 2021, 1:21 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ଚିକିତ୍ସା ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ନିମନ୍ତେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ଚିନ୍ତନ ‘mental health in an unequal world’ ଅସମାନ ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନସିକ ରୋଗ ବିଭାଗ ତରଫରୁ ପ୍ରସ୍ତୁତ ଏକ ଭିଡିଓ ବାର୍ତ୍ତାକୁ ଉନ୍ମୋଚନ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଡା.ସୁରଜିତ ସାହୁ ବିଶ୍ୱରେ ଶାରୀରିକ ଓ ମାନସିକ ଚିକିତ୍ସାର ଅସମାନତା ବିଷୟରେ ଆଲୋକପାତ କରିଥିଲେ।

ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମାନସିକ ରୋଗର ନିରାକରଣ ବିଷୟରେ ବକ୍ତବ୍ୟ ରଖିଥିଲେ। ଡା.ସ୍ନେହାଂଶୁ ଦେ, ଡା.ରାକେଶ ମହାନ୍ତି, ଡା.ଅମୀୟ କୃଷ୍ଣ ସାହୁ ଓ ଡ.ସୌମ୍ୟରଂଜନ ଦାଶ ମାନସିକ ରୋଗ କିପରି ସହଜରେ ଚିକିତ୍ସା କରାଯାଇପାରିବ ଓ ଏହା ସହିତ ଜଡିତ କଳଙ୍କକୁ କିପରି ଦୂର କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ମାନସିକ ରୋଗ ବିଭାଗର ଡା. ଲଗ୍ନଜିତ ଦାଶ ଓ ଡା. ହିରଣ୍ମୟ ମହାପାତ୍ରଙ୍କର ପ୍ରମୁଖ ଭୂମିକା ରହିଥିଲା। କାର୍ଯ୍ୟକ୍ରମ ଶେଷରେ ଡା. ଜିତେନ୍ଦ୍ରୀୟ ବିଶ୍ୱାଳଧନ୍ୟବାଦ ଅର୍ପଣ କରିଥିଲେ।

Related posts