ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲା: ସମୀର ୱାନଖେଡେଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

Published: Oct 25, 2021, 7:23 pm IST

ମୁମ୍ବାଇ: ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲାରେ ଚର୍ଚ୍ଚାକୁ ଆସିଥିବା ମୁମ୍ବାଇ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମୀର ୱାନଖେଡେ ଅଭିଯୋଗର ସମ୍ମୁଖୀନ ହୋଇପାରନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁମ୍ବାଇରେ ଗୃହ ବିଭାଗର ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜେ ଏହି ବୈଠକ ସମ୍ପର୍କରେ ସୂଚନା ନେଉଛନ୍ତି।

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ ସୋମବାର ଟ୍ୱିଟରରେ ଏକ ଜନ୍ମ ପ୍ରମାଣପତ୍ର ପ୍ରକାଶ କରିଛନ୍ତି ଏବଂ ଏନସିବି ଅଧିକାରୀଙ୍କ ନାମ ସମୀର ଦାଉଦ ୱାନଖେଡେ ବୋଲି ଦାବି କରିଛନ୍ତି। ମନ୍ତ୍ରୀଙ୍କ ଏହି ଦାବି ପରେ ମହାରାଷ୍ଟ୍ର ସରକାର ଆକ୍ସନ ମୋଡରେ ନଜର ଆସିଛି। ଗୃହ ବିଭାଗର ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀର ୱାନଖେଡେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଚାର କରାଯାଉଛି। ପ୍ରକୃତରେ, ସମୀର ୱାନଖେଡେ କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ, ଏଭଳି ପରିସ୍ଥିତିରେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ନିୟମ ଏବଂ ନିୟମାବଳୀ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହେଉଛି।

ସମୀର ୱାନଖେଡେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଖବର ପାଇ ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗରଲେ ଆଜି ସିମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଗତକାଲି ସମୀର ୱାନଖେଡେ ମୁମ୍ବାଇ ପୋଲିସ କମିଶନରଙ୍କୁ ଏକ ଚିଠି ଲେଖି କହିଥିଲେ ଯେ, ମୋତେ ଏକ ମିଥ୍ୟା ମାମଲାରେ ଜଡ଼ିତ ଫସେଇବାକୁ ଚେଷ୍ଟା କରାଯାଉଛି। ସମୀର ୱାନଖେଡେ ଚିଠିରେ ଦାବି କରିଛନ୍ତି ଯେ, କିଛି ଅଜ୍ଞାତ ବ୍ୟକ୍ତି ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

ଗୋଟିଏ ପଟେ ମହାରାଷ୍ଟ୍ର ସରକାର ସମୀର ୱାନଖେଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଉପାୟ ଖୋଜୁଥିବାବେଳେ ଅନ୍ୟପଟେ ଏନସିବି ଅଧିକାରୀ ସମୀର ୱାନଖେଡେ ମୁମ୍ବାଇରୁ ଦିଲ୍ଲୀ ଯାଇଛନ୍ତି।

ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଆର୍ଯ୍ୟନ ଖାନ କ୍ରୁଜ ଡ୍ରଗ୍ସ ମାମଲାରେ ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କୁ ଲଗାତାର ଅଭିଯୋଗ କରୁଛନ୍ତି। ସୋମବାର ଦିନ ସେ ଏକ ଜନ୍ମ ପ୍ରମାଣପତ୍ର ଟ୍ୱିଟ କରି ଲେଖିଛନ୍ତି ଯେ, ସମୀର ଦାଉଦ ୱାନଖେଡେଙ୍କ ନକଲି କାମ ଏଠାରୁ ଆରମ୍ଭ ହୋଇଛି।

ନବାବ ମଲିକ ସମୀର ୱାନଖେଡେଙ୍କୁ ଅଭିଯୁକ୍ତ କରି କହିଛନ୍ତି ଯେ, “ସମୀର ୱାନଖେଡେ ଜଣେ ନକଲି ବ୍ୟକ୍ତି। ତାଙ୍କର ଜନ୍ମ ପ୍ରମାଣପତ୍ର ସମୀର ଦାଉଦ ୱାନଖେଡେ ଅଟେ। ସେ ଜନ୍ମ ପ୍ରମାଣପତ୍ରକୁ ବଦଳାଇ ଏବଂ ଧର୍ମ ପରିବର୍ତ୍ତନ କରିବା ପରେ ତାଙ୍କ ପିତାଙ୍କ ନାମକୁ ସଂଶୋଧନ କରିଥିଲେ।” ଏହି ଆଧାରରେ ସେ ଜାତି ପ୍ରମାଣପତ୍ର ବାହାର କରିଥିଲେ।

Related posts